ଡଲଫିନଙ୍କୁ ସୁହାଉଛି ଓଡିଶାର ପାଣିପାଗ, ରାଜ୍ୟର ଅଛନ୍ତି ୬ ପ୍ରଜାତିର ୭୬୫ ଡଲଫିନ୍

NEWS7
indian-cricket-team-raman-lamba-death-australia

ଭୁବନେଶ୍ୱର, ୧୧|୦୨: ଓଡିଶାରେ ଡଲଫିନଙ୍କୁ ସୁହାଉଛି ପାଣିପାଗ । ବଡୁଛି ବଂଶ । ବିଭିନ୍ନ ଜାଗାରେ ଆସୁଛନ୍ତି ନଜର । ରାଜ୍ୟରେ ଚିଲିକା ପ୍ରସିଦ୍ଧ ଇରାୱାଡି ସହ ବୋଟଲନୋଜ୍, ହମ୍ପବ୍ୟାକ୍, ସ୍ପିନର, ଫିନ୍ଲେସ୍ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଛି। ସଦ୍ୟତମ ଗଣନାରୁ ରାଜ୍ୟରେ ମୋଟ ୭୬୫ଟି ଡଲଫିନ୍ ଓ ଅନ୍ୟାନ୍ୟ ସେଟାସିଆନ୍ ଥିବା ଜଣାପଡ଼ିଛି। ସେଥିରୁ ୪୯୫ଟି ହେଉଛନ୍ତି ହମ୍ପବ୍ୟାକ୍ ଡଲଫିନ୍। ଗତ ୫ ବର୍ଷରେ ରେକର୍ଡ ସଂଖ୍ୟକ ଡଲଫିନ୍ ରାଜ୍ୟରେ ଥିବା ଏହି ଗଣନାରୁ ଜଣାପଡ଼ିଛି।

ଡଲଫିନ୍ ଗଣନା ତଥ୍ୟରୁ ଜଣାପଡ଼ିଛି ଯେ, ଚିଲିକା ହ୍ରଦର ପ୍ରମୁଖ ପ୍ରଜାତି ଇରାୱାଡି ଡଲଫିନର ବାସସ୍ଥାନ ବିସ୍ତାର ହେବାରେ ଲାଗିଛି। ରାଜ୍ୟରେ ମୋଟ ଇରାୱାଡି ଡଲଫିନ୍ ଙ୍କ ସଂଖ୍ୟା ୨୦୮ । ସେଥିରୁ ୧୫୯ଟି ଇରାୱାଡି ଚିଲିକାରେ ନଜର ଆସିଛି । ୨୦୨୦-୨୧ରେ ୨୦୯ଟି, ତା’ ପରବର୍ଷ ୨୦୮ଟି ଇରାୱାଡି ଡଲଫିନ୍ ଚିଲିକାରେ ଥିଲେ । ମାତ୍ର ୧୬ଟି ହମ୍ପବ୍ୟାକ୍ ଚିଲିକା ଜଳରାଶିରେ ଦେଖିବାକୁ ମିଳିଛି । ବାଲେଶ୍ୱର ବନଖଣ୍ଡରେ ପ୍ରାୟ ୧୫ଟି, ବ୍ରହ୍ମପୁର ବନଖଣ୍ଡର ସାମୁଦ୍ରିକ ଜଳରାଶିରେ ୧୩ଟି ଇରାୱାଡିଂ ଡଲଫିନ୍ ଅଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବ୍ରହ୍ମପୁର ଡିଭିଜନରେ ଏହି ଡଲଫିନ୍ ଉପସ୍ଥିତି ଜାହିର୍ କରିଛି । ପୁରୀ ବନଖଣ୍ଡରେ ୧୨ଟି ଇରାୱାଡି ଡଲଫିନ୍ ଥିବା ଗଣନା ରିପୋର୍ଟରୁ ଜଣାପଡ଼ିଛି । ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପୁରୀରେ ଏହି ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଦେଖିବାକୁ ମିଳିଛି । ୨୦୨୩ରେ ୪ଟି ଇରାୱାଡି ଡଲଫିନ୍ ଦୃଶ୍ୟମାନ ହୋଇଥିଲା । ହେନ୍ତାଳବଣ ଭରା ରାଜନଗରରେ ଏହି ଇରାୱାଡି଼ ଜଳଜୀବ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା ବହୁତ କମ୍। ମାତ୍ର ୯ରେ ସୀମିତ । କିନ୍ତୁ ସର୍ବାଧିକ ୪୭୪ଟି ହମ୍ପବ୍ୟାକ୍ ଡଲଫିନ୍ ରାଜନଗରରେ ଅଛନ୍ତି । ୫ଟି ବୋଟଲନୋଜ, ୩ଟି ସ୍ପିନର, ୨ଟି ଫଇନଲେସ୍ ପରପୋଇଜ୍ ପ୍ରଜାତିକୁ ନେଇ ରାଜନଗରରେ ସର୍ବାଧିକ ୪୯୩ଟି ଡଲଫିନ୍ ଦୃଶ୍ୟମାନ ।

ଗତବର୍ଷ ଗଣନା ତୁଳନାରେ ରାଜନଗରରେ ୧୨ଟି ଡଲଫିନ କମ ଅଛନ୍ତି । ଏହାବାଦ୍ ରାଜ୍ୟରେ ୫୫ଟି ବୋଟଲ-ନୋଜ୍, ୩ଟି ସ୍ପିନର ଓ ୨ଟି ଫିନ୍ଲେସ୍ ପରପୋଇଜ୍ ପ୍ରଜାତିର ଡଲଫିନ ଥିବା ଗଣନାରୁ ଜଣାପଡି଼ଛି । ଭଦ୍ରକ ବନଖଣ୍ଡରେ ୩ଟି, ପୁରୀରେ ୪ଟି ହମ୍ପବ୍ୟାକ୍ ଅଛନ୍ତି । ପିସିସିଏଫ୍(ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି ଯେ ଓଡ଼ିଶା ଉପକୂଳ ସଂରକ୍ଷଣ କ୍ଷେତ୍ରରେ ଏହା ଅସାଧାରଣ ସଫଳତା । ଡଲଫିନ୍ ଙ୍କ ବଂଶବିସ୍ତାର ସ୍ଥାୟୀ ବାସସ୍ଥାନ ସୁରକ୍ଷା, ସ୍ଥାନୀୟ ସମ୍ପ୍ରଦାୟର ସମ୍ପୃକ୍ତି, ବୈଜ୍ଞାନିକ ତଦାରଖ, ବନ୍ୟଜନ୍ତୁରେ ସମନ୍ୱିତ ସଂରକ୍ଷଣ ପ୍ରସାୟ କ୍ଷେତ୍ରରେ ବେଶ ପ୍ରଶଂସନୀୟ ପଦକ୍ଷେପ । ପ୍ରାୟ ୧,୧୦୦ ବର୍ଗ କିଲୋମିଟର ଲୁଣି ଜଳ ହ୍ରଦ ଇରାୱାଡି ଡଲଫିନଙ୍କ ପାଇଁ ଏକ ସୁରକ୍ଷିତ ଘର ଭାବରେ ପରିଚିତ କିନ୍ତୁ ଏହି ଜଳଜୀବର ଅନ୍ୟତ୍ର ଉପସ୍ଥିତି ନିହାତି ଖୁସିର କଥା । ଇରାୱାଡିର ବାସସ୍ଥାନ ବିସ୍ତାରକୁ ନେଇ ଗବେଷଣା କରାଯିବ।