ମହିଳା ବ୍ରିଗେଡର ଶ୍ରୀଲଙ୍କା ଦଖଲ, ଟି20 ସିରିଜକୁ ୫-୦ରେ କ୍ଲିନ୍ ସ୍ୱିପ୍ କଲା ଟିମ୍ ଇଣ୍ଡିଆ

NEWS7
indian-army-promotes-5-women-officers-to-colonel-rank

ନୂଆଦିଲ୍ଲୀ, ୩୧/୧୨ : ଇତିହାସ ରଚିଲା ଭାରତୀୟ ମହିଳା ଟିମ୍ । ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-ଟ୍ୱେଣ୍ଟିରେ ଜିତିଛି ଟିମ୍ । ମୁକାବିଲାରେ ଭାରତ ୧୫ ରନରେ ବିଜୟ ହାସଲ କରି ୫-୦ରେ ସିରିଜକୁ କ୍ଲିନ୍ ସ୍ୱିପ୍ କରିଛି। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ୭ ୱିକେଟ୍ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । 

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଟିମ୍ ଇଣ୍ଡିଆ ଶେଷ ମୁକାବିଲାରେ ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ, କ୍ରାନ୍ତି ଗୌଡ଼ ଓ ରେଣୁକା ସିଂହ ଠାକୁରଙ୍କୁ ବିଶ୍ରାମ ଦେଇଥିଲା । ଜି. କମଳିନୀ ପଦାର୍ପଣ କରିଥିଲେ । । ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା । ଶେଫାଳି ବର୍ମା ୫, କମଳିନୀ ୧୨, ହର୍ଲିନ ୧୩, ରିଚା ଘୋଷ ୫ ଓ ଦୀପ୍ତି ଶର୍ମା ୭ ରନ କରି ଆଉଟ୍ ହୋଇଥିଲେ । ୭୭ ରନରେ ଦଳ ୫ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ତୃତୀୟ ୱିକେଟ୍ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ହର୍ମନପ୍ରୀତ କୌର ଖେଳିଥିଲେ ଅଧିନାୟିକ ଇନିଂସ । ଅମନଜୋତଙ୍କୁ ସାଥୀ କରି ହର୍ମନପ୍ରୀତ ଷଷ୍ଠ ୱିକେଟ୍ରେ ଯୋଗ କରିଥିଲେ ୬୧ ରନ ।

ଦଳୀୟ ସ୍କୋର ୧୩୮ ବେଳେ ଅମନଜୋତ ୨୧ (୧ଚୌକା, ୧ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ହର୍ମନପ୍ରୀତ ୪୩ଟି ବଲରୁ ୯ ଚୌକା ଓ ୧ଛକା ବଳରେ ୬୮ ରନ କରି ପାଭିଲିୟନ ଫେରିଥିଲେ । ଅନ୍ତିମ ଭାଗରେ ଅରୁନ୍ଧତୀ ୧୧ଟି ବଲରୁ ୪ଚୌକା ଓ ୧ଛକା ବଳରେ ଅପରାଜିତ ୨୭ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୭୫ରେ ପହଞ୍ଚାଇ ଦେଇଥିଲେ । ଶ୍ରୀଲଙ୍କା ପକ୍ଷରୁ କବିଶା ଦିଲହାରୀ, ରଶ୍ମିକା ସେୱାଣ୍ଡି ଓ ଚାମରି ଆଟ୍ଟାପଟୁ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଜବାବରେ ଶ୍ରୀଲଙ୍କା ୭ ରନରେ ପ୍ରଥମ ୱିକେଟ୍ ହରାଇଥିଲା । ଚାମରି ଆଟ୍ଟାପଟୁ ୨ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଇମେଶ ଦୁଲାନୀ ଅପରାଜିତ ଓପନର ହାସିନି ପେରେରାଙ୍କ ସହ ମିଶି ସ୍ଥିତି ସୁଧାରି ନେଇଥିଲେ । ଉଭୟ କ୍ରିଜରେ ଜମିବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୧୨ତମ ଓଭରରେ ଦୁଲାନିଙ୍କୁ ଆଉଟ୍ କରିଥିଲେ ଅମନଜୋତ । ସେ ୩୯ଟି ବଲ୍ରୁ ୫୦ (୮ଚୌକା) ରନ କରିଥିଲେ । ଏହାପରେ ଭାରତ ମ୍ୟାଚକୁ ଫେରିଥିଲା । ପରବର୍ତ୍ତୀ ବ୍ୟାଟରମାନେ କ୍ରିଜରେ ତିଷ୍ଠି ପାରି ନଥିଲେ । ଦଳ ଶେଷରେ ୭ ୱିକେଟ୍ ହରାଇ ୧୬୦ କରି ପାରିଥିଲା । ଭାରତ ପକ୍ଷରୁ ଦୀପ୍ତି, ଅରୁନ୍ଧତୀ, ସ୍ନେହ ରାଣା, ବୈଷ୍ଣବୀ ଶର୍ମା, ଶ୍ରୀ ଚରଣୀ ଓ ଅମନଜୋତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ମୁକାବିଲା ଜିତିବା ସହ ଭାରତ ସିରିଜକୁ କ୍ଲିନ୍ ସ୍ୱିପ୍ କରିଛି । ଦଳ ଶ୍ରୀଲଙ୍କାକୁ ୫-୦ରେ ମାତ୍ ଦେଇଛି । ମହିଳା ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ରିଗେଡ୍ ଏବେବି ଜବରଦସ୍ତ ଫର୍ମରେ ଥିବା ପ୍ରମାଣ ଦେଇଛନ୍ତି ।