ଗୌହାଟୀ ୧୩।୭: ନିଷିଦ୍ଧ ଉଗ୍ରବାଦୀ ସଙ୍ଗଠନ ଉଲଫା (ଆଇ) ରବିବାର ମିଆଁମାର ସୀମାସ୍ଥିତ ଶିବିର ଉପରେ ଭାରତୀୟ ସେନା ଡ୍ରୋନ ଆକ୍ରମଣ କରିଥିବା ଅଭିଯୋଗ କରିଛି। ତେବେ ଭାରତୀୟ ସଶସ୍ତ୍ର ବଳ ପକ୍ଷରୁ ଏ ନେଇ ପୁଷ୍ଟି କରାଯାଇ ନାହିଁ। ଏହି ଡ୍ରୋନ ଆକ୍ରମଣରେ ଉଲଫା ସଙ୍ଗଠନର ନିମ୍ନ ପରିଷଦ ଅଧ୍ୟକ୍ଷ ନୟନ ଅସୋମ ଓରଫ ନୟନ ମେଧି ପ୍ରାଣ ହରାଇଛି। ଏହା ଛଡା ଆକ୍ରମଣରେ ଅନ୍ୟ ୧୯ ଜଣ ଆହତ ହୋଇଛନ୍ତି।
ତେବେ ଭାରତୀୟ ସେନା ସହ ସମ୍ପର୍କ କରାଯିବାରେ ଏପରି କୌଣସି ଘଟଣା ସମ୍ପର୍କରେ ସୂଚନା ନଥିବା ସେନାପକ୍ଷରୁ କୁହାଯାଇଛି। ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାବତ କହିଛନ୍ତି ଯେ ଭାରତୀୟ ସେନା ପାଖରେ ଏପରି କୌଣସି ଅପରେସନର ସୂଚନା ନାହିଁ। ଆକ୍ରମଣକୁ ଭାରତୀୟ ସେନା ଅସ୍ୱୀକାର କରିବା ପରେ ଉଗ୍ରବାଦୀ ସଙ୍ଗଠନ ଦୋହରା ଆକ୍ରମଣ ନେଇ ବୟାନ ଜାରି କରିଛି।
ଏଥିରେ ସଙ୍ଗଠନ କହିଛି ଯେ ଯେବେ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା ସେତେବେଳେ ସେମାନଙ୍କ ଶିବିର ଉପରକୁ ମିଜାଇଲ ଆକ୍ରମଣ ହୋଇଥିଲା। ଏହି ଦ୍ୱିତୀୟ ଆକ୍ରମଣ କାଳରେ ସଙ୍ଗଠନର ୨ ବରିଷ୍ଠ ସଦସ୍ୟ ବ୍ରିଗେଡିୟର ଗଣେଶ ଅସୋମ ଓ କର୍ଣ୍ଣେଲ ପ୍ରଦୀପ ଅସୋମଙ୍କ ମୃତ୍ୟୁ ହୋଇଛି। ଏଥିରେ ସଙ୍ଗଠନର ଅନ୍ୟ ସଦସ୍ୟ ଓ ସାଧାରଣ ଲୋକେ ଆହତ ହୋଇଛନ୍ତି।
ଏଥି ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିସ୍ୱାଶର୍ମା ରବିବାର ଉଲଫ(ଆଇ) ଉପରେ ହୋଇଥିବା ଡ୍ରୋନ ଓ ମିଜାଇଲ ଆକ୍ରମଣରେ ରାଜ୍ୟ ପୋଲିସର ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଲାଘାଟ ଜିଲ୍ଲାକୁ ଏକ ଅଧିକାରୀକ ଗସ୍ତରେ ଯାଇଥିବା ବେଳେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଏପରି ଘଟଣାରେ ଆସାମ ପୋଲିସର କୌଣସି ସମ୍ପୃକ୍ତି ନାହିଁ ଓ ଆମ କ୍ଷେତ୍ରରୁ କୌଣସି ଆକ୍ରମଣ କରାଯାଇ ନାହିଁ। ସେ ଓଲଟି କହିଛନ୍ତି ଯେ ଏପରି ସ୍ଥିତିରେ ଭାରତୀୟ ସେନା ଅଭିଯାନ ନେଇ ବୟାନ ଜାରି କରିଥାଏ। ତେବେ ଏ ପର୍ଯ୍ୟନ୍ତ ସେନା ପକ୍ଷରୁ ଏ ନେଇ କୌଣସି ଘଟଣା ପୁଷ୍ଟି କରାଯାଇ ନାହିଁ।