ଭେଣ୍ଟିଲେଟରରେ ଏଫ୍ଏମ୍ ପୀଡିତା, ବାହାରେ ରାଜନୀତି: ବିଜେଡି ଲୋଡ଼ିଲା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ

Published By : Prameya-News7 Bureau | July 14, 2025 IST

ଭୁବନେଶ୍ୱର: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ‘‘ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛୁ, ଆଶା କରୁଛୁ ଆମକୁ ସମୟ ଦେବେ। ରାଷ୍ଟ୍ରପତି ହସ୍ତକ୍ଷେପ କରିବେ। ଇଂରେଜଙ୍କଠୁ ଅଧିକ କଠୋର ବିଜେପି ସରକାର । ଲୋକ ବିଜେପି ଠାରୁ ଯେଉଁ ଭରସା କରିଥିଲେ ତାକୁ ଛିନ ଭିନ କରି ଦେଲେଣି । ମହିଳା କି ଚାଷୀ କାହାକୁ ସୁରକ୍ଷା ଦେଇ ପାରୁନାହାନ୍ତି ।’’ 

ସେ ଆହୁରି କହିଛନ୍ତି ‘‘ମୁଖ୍ୟମନ୍ତ୍ରୀଙ୍କ କଥା ରାଜ୍ୟରେ କେହି ଶୁଣୁନାହାନ୍ତି । ଶାସନ କେମିତି ଚାଲିବ। ୫ ଦିନ ତଳୁ ଏସପି ଜାଣିଛନ୍ତି, ଜିଲ୍ଲାପାଳ ଜାଣିଛନ୍ତି, ପ୍ରିନ୍ସପାଲ ଜାଣିଛନ୍ତି... ହେଲେ ସୁରକ୍ଷା ଦେଇପାରିଲେ ନାହିଁ। ଏହା ସହ ଦିନକୁ ୧୫ ବଳାତ୍କାର ହେଲାଣି। କି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ?’’ ବାଲେଶ୍ୱର ଝିଅ ଟ୍ୱିଟ୍ କଲା ପରେ ବି କେମିତି ଜାଣିପାରିଲେନି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । 

ସୂଚନାଥାଉକି, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇଦିନିଆ ଗସ୍ତକାଳରେ ସେ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟସ୍ଥାନରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ରାଷ୍ଟ୍ରପତିଙ୍କୁ ଦେଖାକରିବା ପାଇଁ ବିଜୁ ଜନତା ଦଳ ୫ ମିନିଟ ସମୟ ମାଗିଛି। ରାଜ୍ୟରେ ଅରାଜକତା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ବିଜେଡି ଅଭିଯୋଗ ଆଣିଛି। 

ଏନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ବିଜେଡି ନିବେଦନ କରିଛି। ଓଡ଼ିଶାରେ ଏବେ ଆଇନ ଶୃଙ୍ଖଳା ସ୍ଥିତି ପୁରା ବିଗିଡ଼ିଯାଇଛି । ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ।  ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ନିଜେ ରାଷ୍ଟ୍ରପତି ଏବେ ଭରସା ଦେବା ପାଇଁ ଆଶା କରିଛୁ ବୋଲି ବିଜେଡି କହିଛି । ବିଜେଡି କହିଛି, ବାଲେଶ୍ଵରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶନିବାର ଦିନ ଘଟିଥିବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। 

ଏହି ଘଟଣା ଆମ ସମସ୍ତଙ୍କୁ ଅତ୍ୟନ୍ତ ଦୁଃଖ ଦେଇଛି। କାରଣ ଆମେ ବି ଜଣେ ଜଣେ ମା, ଆମର ବି ଝିଅ ଅଛନ୍ତି । ରାଷ୍ଟ୍ରପତି ମଧ୍ୟ ଜଣେ ମା ଭଳି, ସେ ମଧ୍ୟ ଏହି ଘଟଣାକୁ ହୃଦଙ୍ଗମ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ନିଜର ମୂଲ୍ୟବାନ ସମୟ ମଧ୍ୟରୁ ୫ ମିନିଟ ସମୟ ଦିଅନ୍ତୁ ରାଷ୍ଟ୍ରପତି ବୋଲି ଅନୁରୋଧ କରିଛି ବିଜେଡି ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.