News7 Logo

ଭାରତକୁ ଫେରିବ କି ଟିକ୍‌ଟକ୍‌ ? କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ଜବାବ

NEWS7
tiktok

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ଗସ୍ତ ପରେ ନୂଆଦିଲ୍ଲୀ ଓ ବେଜିଂ ସମ୍ପର୍କରେ ନୂଆ ମୋଡ ଆସିବ ବୋଲି ଅନୁମାନ କରାଯାଉଛି । ପ୍ରତିବନ୍ଧିତ ଚୀନ ଆପ୍ ଉପରୁ ସରକାର କଟକଣା ହଟାଇବା ସମ୍ଭାବନାକୁ ନେଇ ଅନେକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଭାରତରେ ପୁଣି ଥରେ ଚୀନ ଆପ୍ ଟିକ୍‌ଟକ୍‌ ଆରମ୍ଭ ଚର୍ଚ୍ଚା ଭିତରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ସୂଚନା ଦେଇଛନ୍ତି । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସରକାରଙ୍କ ଅଭିମୁଖ୍ୟକୁ ସ୍ପଷ୍ଟ କରି କହିଛନ୍ତି, ଚୀନ ଆପ୍ ଟିକ୍‌ଟକ୍ ଉପରୁ ବ୍ୟାନ୍ ହଟାଇବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ।

ମନି କଣ୍ଟ୍ରୋଲକୁ ଦେଇଥିବା ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଏହି ଚର୍ଚ୍ଚା ଉପରେ ଜବାବ ଦେଇ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ସରକାର ଭିତରେ ଏବେ ସୁଦ୍ଧା କୌଣସି ଚର୍ଚ୍ଚା ହୋଇ ନାହିଁ । ଏହା ପୂର୍ବରୁ ଟିକ୍‌ଟକ୍‌ର ମୂଳ କମ୍ପାନି ବାଇଟ୍ ଡାନ୍ସ ଏଲ୍‌ଟିଡି ପ୍ରତିକ୍ରିୟା ଦେଇ କହିଥିଲା ଯେ, ବର୍ତ୍ତମାନ ସୁଦ୍ଧା ସେବା ଆରମ୍ଭ ପାଇଁ କୌଣସି ପ୍ରକାର ପ୍ରସ୍ତାବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ୨୦୨୦ରେ ଗଲୱାନ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଥିଲା । ଜୁନ୍ ୨୦୨୦ରେ କେନ୍ଦ୍ର ସରକାର ୫୯ଟି ଚୀନ୍ ଆପ୍ ବ୍ୟାନ୍ କରିବା ପରେ ଭାରତରେ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଜାତୀୟ ସୁରକ୍ଷା ଏବଂ ଡାଟା ଗୋପନୀୟତାକୁ କାରଣ ଦର୍ଶାଇ ସରକାର ଆପ୍‌ଗୁଡ଼ିକୁ ନିଷେଧ କରିଥିଲେ । ଏହି ପ୍ରତିବନ୍ଧକ ପରେ, ଆପଲ୍ ଏବଂ ଗୁଗଲ ଭାରତୀୟ ସର୍ଭରରୁ ଏହି ଆପ୍‌ଗୁଡ଼ିକୁ ହଟାଇ ଦେଇଥିଲେ ।

ଭାରତ ସରକାର ୨୦୨୦ ଜୁନରେ କହିଥିଲେ ଯେ ଟିକ୍‌ଟକ୍‌ ସମେତ ୫୯ଟି ଚୀନ୍ ଆପ୍ ଚୀନ୍‌ର ସର୍ଭରକୁ ଉପଭୋକ୍ତାଙ୍କ ତଥ୍ୟ ପଠାଉଛନ୍ତି । ଏପରି ପରିସ୍ଥିତିରେ, ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଗୋପନୀୟତା ଏବଂ ତଥ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ଭାରତ ସରକାର ସ୍ପଷ୍ଟ କରିଥିଲେ ଯେ ଭାରତରେ କାମ କରୁଥିବା ଯେକୌଣସି କମ୍ପାନି ଭାରତୀୟ ଉପଭୋକ୍ତାଙ୍କ ତଥ୍ୟ ଭାରତରେ ହିଁ ରଖିବା ଦରକାର । ଟିକ୍‌ଟକ୍‌ ଏହି ସର୍ତ୍ତ ପୂରଣ କରିନଥିଲା । ଏହା ପରେ ସରକାର ଆପ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।