ନୂଆଦିଲ୍ଲୀ, ୨୭/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ ହାରିଛି ଭାରତ । ଗୌହାଟୀରେ ଖେଳାଯାଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆ ୪୦୮ ରନରେ ଲଜ୍ଜାଜନକ ପରାସ୍ତ ହୋଇଛି । ଯାହା ଇତିହାସରେ କେବେ ହୋଇନଥିଲା । ଦଳର ପରାଜୟ ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ସମସ୍ତେ ଟାର୍ଗେଟ୍ କରୁଛନ୍ତି । ଭାରତୀୟ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ କୋଚଙ୍କୁ ଟାର୍ଗେଟ୍ କରି ପୋଷ୍ଟ କରୁଛନ୍ତି । ଏପଟେ କିନ୍ତୁ ଗମ୍ଭୀରଙ୍କ ପାଇଁ ବାହାରିଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି ଯେ, ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଏସିଆ କପରେ ଦମଦାର ବିଜୟ ହାସଲ କରିଛି । ଏଥିପାଇଁ ତାଙ୍କୁ କେହି ପ୍ରଶଂସା କରୁ ନାହାଁନ୍ତି । କେବଳ ଘରୋଇ ମାଟିରେ ଟେଷ୍ଟ୍ ସିରିଜ୍ ପରାଜୟ ପାଇଁ ଗମ୍ଭୀରକୁ ଦାୟୀ କରାଯିବା ଠିକ୍ ନୁହେଁ ।

ସେ ଆହୁରି କହିଛନ୍ତି ଯେ, ଗୌତମ ଜଣେ କୋଚ୍ । ଯିଏକି ଦଳକୁ ପ୍ରସ୍ତୁତ କରିଥାନ୍ତି । ଗମ୍ଭୀରଙ୍କ ପାଖରେ ଅଭିଜ୍ଞତା ରହିଛି । ଯେତେବେଳେ ଭାରତ ଚାମ୍ପିଅନ ହେଉଥିଲା ସେତେବେଳେ ଫ୍ୟାନ୍ସମାନେ କେଉଁଠି ଥିଲେ ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି । ଗମ୍ଭୀର କୋଚ୍ ହୋଇ ରହିବାରେ କିଛି ଅସୁବିଧା ନାହିଁ । ସେ ତିନୋଟି ଫର୍ମାଟରେ କୋଚ୍ ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ଟିମ୍ ସେମିତି ଚାଲିଛି । ଦଳ ଭଲ ପ୍ରଦର୍ଶନ ମଧ୍ୟ କରୁଛି । ତେଣୁ ଗମ୍ଭୀରଙ୍କୁ ହଟାଇବା ଠିକ୍ ନୁହେଁ ।

ସୂଚନାଯୋଗ୍ୟ, ଗମ୍ଭୀର ଭାରତୀୟ ଦଳର କୋଚ୍ ହେଲା ପରେ ଟେଷ୍ଟରେ ଦଳର ପ୍ରଦର୍ଶନ ଅତି ଖରାପ ରହିଛି । ଦଳ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାସ୍ତ ହୋଇଛି । ଯାହାକୁ ନେଇ ଅନେକ କ୍ରିକେଟରଙ୍କ ସହ ଫ୍ୟାନ୍ସମାନେ ପ୍ରଶ୍ନ କରିଛନ୍ତି । ତାଙ୍କୁ ହଟାଇବା ପାଇଁ ମଧ୍ୟ ସୋସିଆଲ ମିଡିଆରେ ଦାବି ହେଉଛି ।