ନୂଆଦିଲ୍ଲୀ: ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ଲାଗି ଅନୁମତି ଦେଲା ଭାରତ । ବିଶ୍ୱବ୍ୟାପୀ ଭାରତୀୟ ଦୂତାବାସ ଏବଂ କନସୁଲେଟ ମାଧ୍ୟମରେ ଏହି ସୁବିଧା ତୁରନ୍ତ ପୁନଃସ୍ଥାପିତ କରାଯାଇଛି। ପ୍ରାୟ ଚାରି ବର୍ଷ ପରେ ଆସିଥିବା ଏହି ନିଷ୍ପତ୍ତିକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି ।

ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ସାମରିକ ଗତିରୋଧ ପରେ ଏପ୍ରିଲ-ମେ ୨୦୨୦ ରେ ଚୀନ୍ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ସେବା ସ୍ଥଗିତ କରାଯାଇଥିଲା। ଗଲୱାନ୍ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ଏହି ଲଢ଼େଇରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ସରକାରୀ ସୂତ୍ର ଅନୁଯାୟୀ, ବିଶ୍ୱବ୍ୟାପୀ ଭାରତୀୟ ଦୂତାବାସଗୁଡ଼ିକରେ ଚୀନ୍ ପାସପୋର୍ଟ ଧାରକଙ୍କ ପାଇଁ ପର୍ଯ୍ୟଟନ ଭିସା ଆବେଦନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇ ନଥିଲା ।

ଭାରତ ଏବଂ ଚୀନ୍ ସଂପର୍କରେ ସୁଧାର:-

ସିଧାସଳଖ ବିମାନ ଚଳାଚଳ ପୁନଃସ୍ଥାପିତ: ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବାଣିଜ୍ୟିକ ବିମାନ ଚଳାଚଳ ଅକ୍ଟୋବର ୨୦୨୪ରୁ ପୁନଃସ୍ଥାପିତ ହୋଇଛି । ଏହା ୨୦୨୦ରୁ ବନ୍ଦ ଥିଲା।

- ତୀର୍ଥଯାତ୍ରା: କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ।-ଭିସା ସରଳୀକରଣ: ଯାତ୍ରୀମାନଙ୍କ ପାଇଁ ଭିସା ପ୍ରକ୍ରିୟାକୁ ସରଳ କରାଯାଇଛି।

କୂଟନୈତିକ ସମାରୋହ: ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂରଣ ଅବସରରେ ସମାରୋହ ଆୟୋଜନ କରାଯାଇଥିଲା।

- ଜୁଲାଇ ୨୦୨୪ରେ, ଭାରତ ବେଜିଂ, ସାଂଘାଇ, ଗୁଆଙ୍ଗଝୁ ଏବଂ ହଂକଂରେ ଥିବା ଏହାର ମିଶନ ମାଧ୍ୟମରେ ପର୍ଯ୍ୟଟନ ଭିସା ପ୍ରଦାନ କରିବା ଆରମ୍ଭ କରିଥିଲା । ଏହାକୁ ବର୍ତ୍ତମାନ ବିଶ୍ୱ ସ୍ତରରେ ବିସ୍ତାର କରାଯାଇଛି।

ଉଚ୍ଚସ୍ତରୀୟ ଆଲୋଚନା ପରେ ସମ୍ପର୍କରେ ଏହି ଉନ୍ନତି ଆସିଛି। ଅକ୍ଟୋବର ୨୦୨୪ରେ, ଦୁଇ ଦେଶ ଏଲଏସିର ଆଗ ଧାଡିରୁ ସୈନ୍ୟମାନଙ୍କୁ ହଟାଇବା ପାଇଁ ରାଜି ହୋଇଥିଲେ। ପରବର୍ତ୍ତୀ ସମୟରେ, ରୁଷର କାଜାନରେ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସୀମା ବିବାଦ ସମେତ ଅନ୍ୟାନ୍ୟ ଅମୀମାଂସିତ ପ୍ରସଙ୍ଗ ଉପରେ ପ୍ରଗତି ପାଇଁ ଏକ ପଥ ପ୍ରସ୍ତୁତ କରିଥିଲେ।

ସୀମା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଏବଂ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ଆଲୋଚନା ସୀମା, ବାଣିଜ୍ୟ, ଆର୍ଥିକ ସହଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକଳାପ ପୁନଃ ଆରମ୍ଭ କରିବା ପାଇଁ ପଥ ପ୍ରଶସ୍ତ କରିଛି। ଚୀନ୍ ମଧ୍ୟ ଭାରତ ସହ ବାଣିଜ୍ୟ କରିବା ଦିଗରେ ଅନେକ ପଦକ୍ଷେପ ନେଇଛି ।