LIVE TV

ସଞ୍ଜୁ ସମେତ ଏହି ୩ ଖେଳାଳି ଆଜି ପଡ଼ି ପାରନ୍ତି ବାଦ୍, ଦେଖନ୍ତୁ ଶ୍ରୀଲଙ୍କା ବିପକ୍ଷରେ ଭାରତର ସମ୍ଭାବିତ ଏକାଦଶ

NEWS7
IND vs SL

ନୂଆଦିଲ୍ଲୀ: ଆଜି ଏସିଆ କପ୍ ୨୦୨୫ର ସୁପର-୪ର ଶେଷ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଭାରତ ପୂର୍ବରୁ ଏସିଆ କପର ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଏହି ମ୍ୟାଚ୍ ଦଳ ପାଇଁ ଏକ ଅଭ୍ୟାସ ମ୍ୟାଚ୍ ରହିବ। ଅନ୍ୟପଟେ ଶ୍ରୀଲଙ୍କା ଏହି ମୁକାବିଲା ଜିତି ସମ୍ମାନର ସହ ବିଦାୟ ନେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ରବିବାର ଫାଇନାଲ୍ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଭାରତ ଆଜିର ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ। ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ମିଳିପାରେ।  ରିଙ୍କୁ ସିଂ ଓ ଅର୍ଶଦୀପଙ୍କ ପରି ଖେଳାଳିଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ତେବେ କେଉଁ ଖେଳାଳିଙ୍କୁ ଆଜି ବାହାରେ ବସିବାକୁ ପଡ଼ିପାରେ।

ରିଙ୍କୁ ସିଂ ୨ ଖେଳାଳିଙ୍କୁ କରି ପାରନ୍ତି ରିପ୍ଲେସ

ସୂର୍ଯ୍ୟକୁମାର ଯାଦବ ଯଦି ରିଙ୍କୁ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରନ୍ତି ତେବେ ସେ ଦୁଇ ଜଣ ଖେଳାଳିଙ୍କ ସ୍ଥାନ ନେଇ ପାରନ୍ତି। ପ୍ରଥମେ ତିଳକ ବର୍ମା ଓ ଦ୍ଵିତୀୟ ଶିବମ ଦୁବେ। ଏହି ଦୁଇ ଖେଳାଳି ଏସିଆ କପରେ ଏ  ପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଖେଳିଛନ୍ତି।  ଦୁବେଙ୍କ ବ୍ୟାଟିଂରେ ପ୍ରଦର୍ଶନ ସେତେ ଆଶାନୁରୂପ ହୋଇ ନାହିଁ। ଏମିତିରେ ରିଙ୍କୁ ସିଂ ଜଣେ ଫିନିସର ଭାବେ  ଦୁବେଙ୍କ ସ୍ଥାନ ନେଇ ପାରନ୍ତି।

ବୁମରାଙ୍କ ସ୍ଥାନରେ ଅର୍ଶଦୀପ

ଆଗାମୀ ଫାଇନାଲ୍ ମ୍ୟାଚ୍ ଏବଂ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି  ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେବା ଜରୁରୀ। କାରଣ  ଦୁଇ ମ୍ୟାଚ୍ ମଧ୍ୟରେ କମ ଦିନର ବ୍ୟବଧାନ ରହିଛି। ବୁମରାଙ୍କୁ ଯଦି ଆଜି ବିଶ୍ରାମ ଦିଆଯାଏ ତେବେ  ତାଙ୍କ ସ୍ଥାନରେ ଆଶାନୁରୂପ ଭାବେ ଟି-୨୦ରେ ଭାରତର ସବୁଠୁ ସଫଳ ବୋଲର ଅର୍ଶଦୀପ ସିଂଙ୍କୁ ସ୍ଥାନ ମିଳିବା ସ୍ଵାଭାବିକ। ଏହି ବାମହାତୀ ବୋଲର ଚଳିତ ଏସିଆ କପରେ ଏକ ମାତ୍ର ମ୍ୟାଚ୍ ଓମାନ ବିପକ୍ଷରେ ଖେଳିଥିଲେ।

ସଞ୍ଜୁଙ୍କ ସ୍ଥାନରେ ଜିତେଶଙ୍କୁ ମିଳିପାରେ ସୁଯୋଗ  ?

ସଞ୍ଜୁ ସାମସନଙ୍କୁ ଏସିଆ କପରେ ଅଧିକ ବ୍ୟାଟିଂ କରିବାକୁ ସୁଯୋଗ ମିଳିନାହିଁ। କାରଣ ସେ ଅଧିକ ନିମ୍ନ ଅର୍ଡରରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ଓମାନ ବିପକ୍ଷରେ ସେ ଟପ୍ ଅର୍ଡରରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ତାଙ୍କ ସ୍ଥାନ ନିମ୍ନକ୍ରମରେ ହିଁ ରହୁଛି। ଯଦି ସୂର୍ଯ୍ୟକୁମାର ଯାଦବ ଚାହିଁବେ ତେବେ ତାଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ପରଖି ପାରନ୍ତି। ଜିତେଶ ନିମ୍ନ ଅର୍ଡରରେ ବ୍ୟାଟିଂ କରନ୍ତି ଏବଂ ସେ ଜଣେ ବଡ଼ ମ୍ୟାଚ୍ ଫିନିସର ମଧ୍ୟ। ଭାରତ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ପରଖିବା ପାଇଁ ଏହା ଶେଷ ସୁଯୋଗ।

ଶ୍ରୀଲଙ୍କା ବିପକ୍ଷରେ ଭାରତର ସମ୍ଭାବିତ ଏକାଦଶ

ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଜିତେଶ  ଶର୍ମା, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଅର୍ଶଦୀପ ସିଂ। ​​​​​​​