ଭାରତରେ ଖୁବ୍‌ଶୀଘ୍ର ଆରମ୍ଭ ହେବା ସାଟକମ ସେବା: ମାସିକ ୮୪୦ ଟଙ୍କାରୁ ବି କମ୍ ମୂଲ୍ୟର ମିଳିବ ସାଟେଲାଇଟ୍ ଡାଟା ପ୍ଲାନ୍

Published By : Prameya-News7 Bureau | May 24, 2025 IST

internet

ନୂଆଦିଲ୍ଲୀନିକଟରେ ବାଂଲାଦେଶରେ ଏଲନ ମସ୍କଙ୍କ କମ୍ପାନୀ ଷ୍ଟାର୍ ଲିଙ୍କ ସାଟେଲାଇଟ୍ ଡାଟା ପ୍ରଦାନ କରି ସାରିଛି। ଏବେ କମ୍ପାନୀ ଭାରତରେ ବି ଏହି ସେବା ଯୋଗାଇ ଦେବା। ତେବେ ସାଟେଲାଇଟ୍ ଡାଟା ପ୍ଲାନ୍ ମାସକୁ ୮୪୦ ଟଙ୍କାରୁ କମ୍ ରହିବ ବୋଲି ଜଣାପଡ଼ିଛି। 
 ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ସମେତ ସାଟେଲାଇଟ୍ ଯୋଗାଯୋଗ ସଂସ୍ଥାଗୁଡ଼ିକ ପ୍ରତି ମାସରେ $୧୦ (ପ୍ରାୟ ₹୮୪୦) ରୁ କମ୍ ମୂଲ୍ୟର ପ୍ରମୋସନାଲ୍ ଅସୀମିତ ଡାଟା ପ୍ଲାନ୍ ସହ ଭାରତରେ ସେମାନଙ୍କର ସେବା ଆରମ୍ଭ କରିବେ ବୋଲି ଆଶା କରାଯାଉଛି।
ଏହି କମ୍ପାନୀଗୁଡ଼ିକ ଭାରତରେ ଦ୍ରୁତ ଗତିରେ ସେମାନଙ୍କର ଉପଭୋକ୍ତାଙ୍କ ସଂଖ୍ୟା ବଢ଼ାଇକୁ ଲକ୍ଷ୍ୟ ରଖିଛନ୍ତି। ମଧ୍ୟମରୁ ଦୀର୍ଘକାଳୀନ ମଧ୍ୟରେ ୧୦ ନିୟୁତ ଗ୍ରାହକଙ୍କ ପାଖରେ ପହଞ୍ଚିବାର କମ୍ପାନୀଗୁଡ଼ିକର ଟାର୍ଗେଟ୍ ରହିଛି। ଏହା ପରିମାଣର ଅର୍ଥନୀତି ମାଧ୍ୟମରେ ଅଧିକ ସ୍ପେକ୍ଟ୍ରମ୍ ମୂଲ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ।

ପଢନ୍ତୁ- ଟ୍ରମ୍ପଙ୍କ ଟାରିଫ ଧମକ୍‌ ପରେ ବି ଭାରତ ଛାଡିବନି ଆପଲ: କାରଣ ଭାରତରେ ଲାଭ ହିଁ ଲାଭ, ଜାଣନ୍ତୁ ସରଳ ଗଣିତ

ଷ୍ଟାରଲିଙ୍କ ପାଇଁ ଉଚ୍ଚ ସ୍ପେକ୍ଟ୍ରମ୍ ଫିସ୍ ଏକ ପ୍ରମୁଖ ପ୍ରତିବନ୍ଧକ ନୁହେଁ

ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ମାସିକ ସହରାଞ୍ଚଳ ଉପଭୋକ୍ତା ଶୁଳ୍କ ₹୫୦୦ ସୁପାରିଶ କରିଛି। ତଥାପି ବି ଏହା ପାରମ୍ପରିକ ଟେଲିକମ ସେବା ତୁଳନାରେ ସାଟେଲାଇଟ୍ କମ୍ୟୁନିକେସନ ସ୍ପେକ୍ଟ୍ରମ୍‌କୁ ଅଧିକ ମହଙ୍ଗା କରିଛି। ଏହା ସତ୍ତ୍ୱେ, ଷ୍ଟାରଲିଙ୍କ୍ ଭଳି କମ୍ପାନୀକୁ ଭାରତୀୟ ମାର୍କେଟ୍‌ରେ ପ୍ରତିଦ୍ୱନ୍ଦ୍ୱୀତା କରିବାରେ ଅସୁବିଧା ହେବ ନାହିଁ ବୋଲି ବିଶ୍ଳେଷକମାନେ କହିଛନ୍ତି। 

ଇକୋନୋମିକ୍ସ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ଗ୍ଲୋବାଲ୍ ଟିଏମଟି କନସଲ୍ଟିଂ ଫାର୍ମ ଆନାଲିସିସ୍ ମ୍ୟାସନର ପାର୍ଟନର ଥିବା ଅଶ୍ୱିନ୍ଦର ସେଟ୍ଟୀ କହିଛନ୍ତି ଯେ ଉଚ୍ଚ ସ୍ପେକ୍ଟ୍ରମ୍ ଚାର୍ଜ ଏବଂ ଲାଇସେନ୍ସ ଫି ସତ୍ତ୍ୱେ, ସାଟକମ୍ କମ୍ପାନୀଗୁଡ଼ିକ ଭାରତରେ କମ୍ ମୂଲ୍ୟରେ ଲଞ୍ଚ କରିବେ ବୋଲି ଆଶା କରାଯାଉଛି। ସମ୍ଭବତଃ ମାସିକିଆ ପ୍ୟାକ୍‌ର ମୂଲ୍ୟ ୧୦ ଆମେରିକୀୟ ଡଲାରରୁ କମ୍ ହୋଇପାରେ। କମ୍ ମୂଲ୍ୟରେ ସର୍ଭିସ ଯୋଗାଇ ଭାରତରେ ଗ୍ରହଣୀୟତା ହାସଲ କରିବା ଏବଂ ଦ୍ରୁତ ଗତିରେ ଗ୍ରାହକ ବଢ଼ାଇବା ଖର୍ଚ୍ଚ ସ୍ଥିର କରିବା କମ୍ପାନୀଗୁଡିକର ଲକ୍ଷ  ରହିବ। 

ଟ୍ରାଇର ରାଜସ୍ୱ ଅଂଶ ଏବଂ ଲାଇସେନ୍ସ ଫି 
 
ଟ୍ରାଇର ସୁପାରିଶଗୁଡ଼ିକ ମଧ୍ୟରେ ପ୍ରତି ମେଗା ହର୍ଟ୍‌ଜ (MHz) ସ୍ପେକ୍ଟ୍ରମ୍ ପାଇଁ ସର୍ବନିମ୍ନ ବାର୍ଷିକ ଶୁଳ୍କ ₹୩,୫୦୦ ସହିତ ଟେଲିକମ୍ କମ୍ପନୀର ମୋଟ ରାଜସ୍ୱ (ଏଜିଆର୍) ଉପରେ ୪ ପ୍ରତିଶତ ଲେଭି ରହିଛି। ଏହା ସହିତ, ସାଟେଲାଇଟ୍ ଯୋଗାଯୋଗ ପ୍ରଦାନକାରୀମାନଙ୍କୁ ବାଣିଜ୍ୟିକ ସେବା ପ୍ରଦାନ କରିବା ପାଇଁ ୮ ପ୍ରତିଶତ ଲାଇସେନ୍ସ ଶୁଳ୍କ ଦେବାକୁ ପଡିବ। ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେବା ପୂର୍ବରୁ ସରକାରଙ୍କ ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷା ରହିଛି। ତେବେ ବିଶ୍ଳେଷକଙ୍କ କହିବା କଥା ହେଲା ସୁହାଇଲା ଭଲି ମୂଲ୍ୟ ସତ୍ତ୍ୱେ ବି ସୀମିତ ସାଟେଲାଇଟ୍ କ୍ଷମତା ଷ୍ଟାରଲିଙ୍କ୍‌ର ଭାରତୀୟ ଗ୍ରାହକ ଆଧାରକୁ ଦ୍ରୁତ ଗତିରେ ବୃଦ୍ଧି କରିବାର କ୍ଷମତାକୁ ପ୍ରତିବନ୍ଧିତ କରିପାରେ।

IIFL ରିସର୍ଚ୍ଚ ଅନୁଯାୟୀ, ଷ୍ଟାରଲିଙ୍କ୍‌ର ବର୍ତ୍ତମାନର ୭,୦୦୦ ସାଟେଲାଇଟ୍ ବିଶ୍ୱ ସ୍ତରରେ ପ୍ରାୟ ୪ ନିୟୁତ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛି। ରିପୋର୍ଟରେ କୁହାଯାଇଛି ଯେ ଯଦିଓ କମ୍ପାନୀ ସାଟେଲାଇଟ୍ ସଂଖ୍ୟା ୧୮,୦୦୦କୁ ବିସ୍ତାର କରେ, ତଥାପି ଏହା ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ପ୍ରାୟ ୧.୫ ନିୟୁତ ଭାରତୀୟ ଗ୍ରାହକଙ୍କୁ ସେବା ଯୋଗାଇବାରେ ସକ୍ଷମ ହେବ। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ସମାନ କ୍ଷମତା ସୀମା ଯୋଗୁ ଷ୍ଟାରଲିଙ୍କ ପୂର୍ବରୁ ଆମେରିକା ଏବଂ ଆଫ୍ରିକାର କିଛି ଅଂଶରେ ଗ୍ରାହକ ଯୋଡ଼ିବା ପ୍ରକ୍ରିୟାକୁ ସ୍ଥଗିତ ରଖିଛି। 

ତେବେ ବର୍ତ୍ତମାନ, ଭାରତରେ ପାରମ୍ପରିକ ହୋମ୍ ବ୍ରଡବ୍ୟାଣ୍ଡ ସେବା ତୁଳନାରେ ସାଟେଲାଇଟ୍-ଆଧାରିତ ବ୍ରଡବ୍ୟାଣ୍ଡ ଯଥେଷ୍ଟ ମହଙ୍ଗା ରହିଛି। ଭାତରୀୟ ଫାଇନାନ୍ସିଆ ସର୍ଭିସ୍ ଗ୍ରୁପର୍ ଜେଏମ୍ ଫାଇନାନ୍ସିଆଲ୍ ଅନୁସାରେ, ସାଟକମ୍ ବ୍ରଡବ୍ୟାଣ୍ଡ ମୂଲ୍ୟ ହୋମ୍ ଇଣ୍ଟରନେଟ୍ ପ୍ଲାନ ତୁଳନାରେ ୭ ରୁ ୧୮ ଗୁଣ ଅଧିକ ମହଙ୍ଗା ହେବ।

IN-SPACE କ୍ଲିୟରାନ୍ସ ଅପେକ୍ଷାରେ ଷ୍ଟାରଲିଙ୍କ୍

ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଦୂରସଂଚାର ବିଭାଗର ଅନୁମୋଦନ ପରେ, ଷ୍ଟାରଲିଙ୍କକୁ ଏବେ ଭାରତରେ କାର୍ଯ୍ୟ ଆରମ୍ଭ କରିବା ପାଇଁ IN-SPACE ଠାରୁ ଅନୁମତି ଆବଶ୍ୟକ।  ଏହା ପୂର୍ବରୁ ଏହାର ପ୍ରତିଯୋଗୀ ୟୁଟେଲସାଟ୍ ୱାନୱେବ୍ (Eutelsat OneWeb) ଏବଂ ଜିଓ ସାଟେଲାଇଟ୍ କମ୍ୟୁନିକେସନ (Jio Satellite Communications) ଯଥାକ୍ରମେ ୨୦୨୧ ଏବଂ ୨୦୨୨ରେ ସମାନ ଲାଇସେନ୍ସ ହାସଲ କରିଥିଲେ। କିନ୍ତୁ IN-SPACE ଅନୁମୋଦନ ପାଇଁ ପ୍ରାୟ ଏମାନଙ୍କୁ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ମହାକାଶ ବିଭାଗ ଅଧୀନରେ ଜୁନ୍ ୨୦୨୦ରେ ପ୍ରତିଷ୍ଠିତ ହୋଇଥିବା IN-SPACE, ମହାକାଶ କାର୍ଯ୍ୟକଳାପରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ନିୟନ୍ତ୍ରଣ ଏବଂ ସହଜ କରିବା ପାଇଁ ଏକ ସିଙ୍ଗଲ୍-ୱିଣ୍ଡୋ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି। ଏହା ଅଣ-ସରକାରୀ ସଂସ୍ଥାଗୁଡ଼ିକ ପାଇଁ ଲାଇସେନ୍ସିଂ, ଭିତ୍ତିଭୂମି ଅଂଶୀଦାର ଏବଂ ମହାକାଶ-ଭିତ୍ତିକ ସେବାର ପ୍ରମୋସନ ଆଦି ତଦାରଖ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.