ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ତାଙ୍କ ଟାରିଫ ନୀତି ପାଇଁ ସାରା ବିଶ୍ୱରେ ହଲଚଲ୍ ଜାରି ରହିଛି। ଯଦିଓ ସେ ଚୀନକୁ ଅଧିକ ଟାର୍ଗେଟ୍ କରୁଛନ୍ତି ତେବେ ଭାରତ ବି ଏଥିରୁ ବର୍ତ୍ତି ପାରୁନି। ଭାରତକୁ ମିତ୍ର ରାଷ୍ଟ୍ର ବୋଲି କହୁଥିବା ଟ୍ରମ୍ପ ବନ୍ଧୁତ୍ୱର ମୂଲ୍ୟ ବଦଳରେ ସ୍ୱାର୍ଥ ସାଧନରେ କୌଣସି ବି ମଉକା ଛାଡୁ ନାହାନ୍ତି। ଭାରତରେ କାରଖାନା ନ ଖୋଲିବାକୁ ବିଭିନ୍ନ କମ୍ପାନୀକୁ ଧମକ ଦେବା ଓ ଭାରତର ରେମିଟାନ୍ସ ଉପରେ ଶୁଳ୍କ ଲଗାଇବା ଭଳି ନିଷ୍ପତ୍ତି ତାଙ୍କର ବନ୍ଧୁତ୍ୱ ଉପରେ ପ୍ରଶ୍ନ ଉଠାଇଛି।
ଅନ୍ତର୍ଜାତୀୟ ପୃଷ୍ଠଭୂମିକୁ ଦେଖିଲେ ଭାରତ ସହିତ ଆମେରିକାର ଭଲ ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଛି। ନିଜେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ମିତ୍ର ରାଷ୍ଟ୍ର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘନିଷ୍ଟ ବନ୍ଧୁ ବୋଲି କହୁଛନ୍ତି। ହେଲେ ଭାରତ ପ୍ରତି ତାଙ୍କ ଆଚରଣ କିନ୍ତୁ ଅଲଗା କଥା କହୁଛି। ଭାରତର ବନ୍ଧୁତ୍ୱ ମୂଲ୍ୟ ବଦଳରେ ଟ୍ରମ୍ପ ସ୍ୱାର୍ଥ ସାଧନର କୌଣସି ମଉକା ଛାଡ଼ୁ ନଥିବା ଦେଖାଯାଉଛି। ନିକଟରେ ପ୍ରବାସୀ ଭାରତୀୟଙ୍କ ହାତଗୋଡ଼ ବାନ୍ଧି ଆଣି ଭାରତରେ ଛାଡିବା, ଆପଲକୁ ଭାରତରେ କାରଖାନା ନ ଖୋଲିବାକୁ ଧମକ ଦେବା ଓ ପ୍ରବାସୀ ଭାରତୀୟ ଆମେରିକାରୁ ସ୍ୱଦେଶକୁ ପଠାଉଥିବା ଟଙ୍କା ଉପରେ ଶୁଳ୍କ ଲଗାଇବା ଭଳି କାର୍ଯ୍ୟ ଟ୍ରମ୍ପଙ୍କ ବନ୍ଧୁତ୍ୱ ଉପରେ ପ୍ରଶ୍ନ ଛିଡ଼ା କରିଛି।
ଆପଲ ସିଇଓ ଟିମ୍ କୁକ୍ ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ୍ ଭାରତରେ ତିଆରି କରିବାକୁ ଯେତେବେଳେ ଘୋଷଣା କଲେ,ଏହା ଉପରେ ତୁରନ୍ତ ଅସସ୍ତୋଷ ପ୍ରକାଶ କରିଥିଲେ ଟ୍ରମ୍ପ। ଏନେଇ ସେ କୁକ୍ଙ୍କୁ ସିଧାସିଧା କହିଥିଲେ ଭାରତ ଫ୍ୟାକ୍ଟ୍ରି ଲଗାଇବାର ଆବଶ୍ୟକତା ନାହିଁ। ଭାରତ ନିଜ କଥା ନିଜେ ବୁଝିପାରିବ। ହେଲେ ଏହା ସତ୍ତ୍ୱେ ବି ଆପଲର ସବୁଠୁ ବଡ଼ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକଚରର ଫକ୍ସକନ ଭାରତରେ ୧.୫ ବିଲିୟନ ଡଲାରର ନିବେଶ କରିଥିଲ। ଫକ୍ସକନ ଏହାର ସିଙ୍ଗାପୁର ୟୁନିଟ୍ ଦ୍ୱାରା ୫ ଦିନରେ ତାମିନାଡୁର ୟୁଜହାନ ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ଏହି ନିବେଶ କରିଥିଲା। ଆଉ ଏକଥା ଟ୍ରମ୍ପଙ୍କୁ ପୁଣି ପିତା ଲାଗିଛି।
ତେଣୁ ସେ ପୁଣିଥରେ ଆପଲକୁ ଧମକ ଦେଇଛନ୍ତି। ଶୁକ୍ରବାର ଟ୍ରମ୍ପ କହିଛନ୍ତି ଆମେରିକାରେ ବିକ୍ରି ହୋଉଥିବା ଆଇଫୋନ୍ ନିର୍ମାଣ ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ନୁହେଁ ବରଂ ଆମେରିକାରେ ହେବା ଦରକାର। ତା' ନହେଲେ କମ୍ପାନୀ ୨୫ ପ୍ରତିଶତ ଟାରିଫ ଦେବ। ତେବେ ଆମେରିକାର ନିର୍ମାଣ କଲେ ଶୁଳ୍କ ଲାଗୁ ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। କେବଳ ଆପଲ ନୁହେଁ ସାମସଙ୍ଗ ସମେତ ଆମେରିକାର ସ୍ମାର୍ଟଫୋନ୍ ବିକ୍ରି କରୁଥିବା ସମସ୍ତ କମ୍ପାନୀକୁ ଟ୍ରମ୍ପ ଏହି ଧମକ୍ ଦେଇଛନ୍ତି। ତେବେ ଟ୍ରମ୍ପଙ୍କ ଏହି ଧମକ ପରେ ଆପଲର ଶେୟାର ୪% ଖସି ୧୯୩ ଡଲାରକୁ ଆସିଯାଇଛି। ହେଲେ ଏହି ନିଷ୍ପତ୍ତି ଭାରତର କ୍ଷତି କରିପାରିବନି। କାରଣ ଆମେରିକା ଭାରତରେ ତିଆରି ହେଉଥିବା ଆଇଫୋନ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେବି ତାହା କମ୍ପାନିକୁ ଶସ୍ତା ପଡ଼ିବ। ଆଉ ଏଥିପାଇଁ ଟିମ୍ କୁକ୍ ଭାରତ ଛାଡ଼ିବାକୁ ଚାହୁଁ ନାହାନ୍ତି।
ଆମେରିକାରେ କାରଖାନା ଖୋଲି ସମ୍ପୂର୍ଣ୍ଣ ଭାବରେ ସ୍ମାର୍ଟଫୋନ୍ ନିର୍ମାଣ କରିବାକୁ ଡୋନାଲ୍ଡ ଟ୍ରମ୍ପ ଯେତେ ଚାପ ପକାଉଥିଲେ କମ୍ପାନୀଗୁଡ଼ିକ ପଛଘୁଞ୍ଚା ଦେଉଛନ୍ତି। ତା’ର କାରଣ ବି ରହିଛି। କାରଣ ହେଉଛି ଆମେରିକାରେ ସ୍ମାର୍ଟଫୋନ୍ ନିର୍ମାଣ କରିବା ମହରଗର ବ୍ୟାପାର ହୋଇଯିବ। କାହିଁକି ନା ଆମେରିକାର ଆସେମ୍ବଲ ଚାର୍ଜ ଓ ଲେବର କଷ୍ଟ ଭାରତ ଓ ଚୀନ ଠାରୁ ଢେର୍ ଅଧିକ। ତେଣୁ କମ୍ପାନୀ ଏହାର ଲାଭ ପାଇଁ ଏସିଆ ମାର୍କେଟ୍କୁ ଗୁରୁତ୍ୱ ଦେଉଛି।
ଆପଲ ଏହାର ସ୍ମାର୍ଟଫୋନ ଓ ବିଭିନ୍ନ ଆସେସୋରିଜ୍ କେବଳ ଗୋଟିଏ ଦେଶରେ ନୁହେଁ ବିଭିନ୍ନ ଦେଶର ତିଆରି କରୁଛି। ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ବା GTRIର ରିପୋର୍ଟ ଅନୁଯାୟୀ ଆପଲ ଏହାର ହାୟର ଭ୍ୟାରିଏଣ୍ଟ ଆଇଫୋନ୍, ଯାହାର ଉତ୍ପାଦନ ଖର୍ଚ୍ଚ ପାଖାପାଖି ୧ ହଜାର ଡଲାର ରହୁଛି, ସେଗୁଡ଼ିକର ପାର୍ଟ୍ସକୁ କମ୍ପାନୀ ବିଭିନ୍ନ ଦେଶରେ ଅଲଗା ଅଲଗା କରି ତିଆରି କରୁଛି। ପରେ ଚୀନ ଓ ଭାରତରେ ଏହାକୁ ଆସେମ୍ବଲ କରୁଛି। ଏହାର ବ୍ରାଣ୍ଡ୍, ଡିଜାଇନ ଏବଂ ସଫ୍ଟଓୟାର ଆପଲ ନିଜେ ଆମେରିକାରେ ତିଆରି କରୁଛି। ଯାହାର ଖର୍ଚ୍ଚ ୪୫୦ ଡଲାର ପଡ଼ୁଛି।
ସେହିଭଳି ତାଇୱାନରେ ଚିପ୍ ନିର୍ମାଣ ପାଇଁ ୧୫୦ ଡଲାର, ସାଉଥକୋରିଆରେ ଡିସ୍ପ୍ଲେ ଓ ମେମୋରୀ କମ୍ପୋନେଣ୍ଟ ତିଆରି ପାଇଁ ୯୦ ଡଲାର, ଜାପାନରେ କ୍ୟାମେରା ସେଟଅପ୍ ତିଆରି ପାଇଁ ୮୫ ଡଲାର, କ୍ୱାଲକମ ଏବଂ ବ୍ରଡକମ ଭଳି ଆମେରିକୀୟ ଚିପ୍ କମ୍ପାନିଙ୍କୁ ୮୦ ଡଲାର ଖର୍ଚ୍ଚ ହେଉଛି। ଏହା ବାଦ୍ ଜର୍ମାନୀ, ଭିଏତନାମ ଏବଂ ମାଲେସିଆ ଭଳି ଦେଶରୁ ଆସୁଥିବା ଆନୁସଂଗିକ ପାର୍ଟ ପାଇଁ ମୋଟ ୪୫ ଡଲାର ଖର୍ଚ୍ଚ ହେଉଛି।
ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଆମେରିକାରେ ବ୍ରାଣ୍ଡ୍, ଡିଜାଇନ ଏବଂ ସଫ୍ଟଓୟାର ପାଇଁ କମ୍ପାନୀକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଆଉ ଏହିଠାରୁ ହିଁ ଆରମ୍ଭ ହେଉଛି ପ୍ରକୃତ ଗଣିତ। ପ୍ରକୃତରେ ଭାରତ ଏବଂ ଚୀନରେ ଗୋଟିଏ ଆଇଫୋନର ଆସେମ୍ବଲ୍ ଚାର୍ଜଂ ୩୦ ଡଲାର ରହିଛି। କିନ୍ତୁ କମ୍ପାନୀ ଯଦି ଏହାକୁ ଆମେରିକାରେ ଆସେମ୍ବଲ କରିବ ତେବେ ଏହା କମ୍ପାନିକୁ ମହଙ୍ଗା ପଡ଼ିବ। କାରଣ କମ୍ପାନିକୁ ସେଠାରେ ଆସେମ୍ବଲିଂ ଚାର୍ଜ ୩୯୦ ଡଲାର ଦେବାକୁ ପଡ଼ିବ। ସେହିଭଳି ଲେବର କଷ୍ଟ ଦେଖିଲେ ଭାରତରେ ଖୁବ୍ ଶସ୍ତା ରହିଛି। ଭାରତୀୟ ୱାର୍କରଙ୍କ ଦରମା ମାସିକ ୨୩୦ ଡଲାର ରହିଥିବା ବେଳେ ଆମେରିକାରେ ଏହା କମ୍ପାନୀକୁ ୨୯୦୦ ଡଲାର ପଡ଼ିଯାଉଛି। ଏହି ହିସାବରେ ଆସେମ୍ବଲି ଏବଂ ୱାର୍କରଙ୍କ ଦରମା ବାବଦକୁ ଆପଲକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ, ଯାହା କମ୍ପାନି ଆଦୌ ଚାହୁ ନାହିଁ।
ଆଉ ଯଦି ଆପଲ ଟ୍ରମ୍ପଙ୍କୁ ସର୍ତ୍ତକୁ ନ ମାନି ୨୫% ଟାରିପ୍ ସହିତ ଭାରତରେ ଆସେମ୍ବଲିଂ କରୁଛି ତେବେ ବି ଏହା ଆମେରିକା ଠାରୁ ଶସ୍ତା ହେବ। କାରଣ ୨୫ ପ୍ରତିଶତ ଟାରିଫ୍ ଲାଗିବା ପରେ ଏହାର ଖର୍ଚ୍ଚ ୩୦ ଡଲାରରୁ ବଢ଼ି ୩୭.୫ ଡଲାର ହୋଇଯିବ। ସେହିଭଳି ଯଦି ଆମେରିକା ୧୦୦ ପ୍ରତିଶତ ଇମ୍ପୋର୍ଟ ଟାରିଫ୍ ଲଗାଉଛି, ତେବେ ଆଇଫୋନର ଆସେମ୍ବଲି ଚାର୍ଜ ୩୦ ଡଲାରରୁ ବଢ଼ି ୬୦ ଡଲାର ହୋଇଯିବ। ଯାହା ଆମେରିକାର ଆସେମ୍ବଲ ଚାର୍ଜ ୩୯୦ ଡଲାର ତୁଳନାରେ ବହୁତ କମ୍।
ମୋଟାମୋଟି କହିବାକୁ ଗଲେ ଆମେରିକାର ଧମକ ପରେ ବି ଭାରତକୁ ବହୁତ କମ୍ କ୍ଷତି ହେବ। କାରଣ ଯଦି ଆପଲ ଆମେରିକାରେ ଆସେମ୍ବଲି ସିଫ୍ଟ କରୁଛି, ତେବେ କମ୍ପାନୀକୁ ବଡ଼ କ୍ଷତି ହେବ। ତେଣୁ ହୁଏତ ଆପଲ ଟ୍ରମ୍ପଙ୍କ ଧମକକୁ ଅଣଦେଖା କରିପାରିବେ ବୋଲି ବିଶେଷଜ୍ଞ କହିଛନ୍ତି। ସମାନ ସ୍ଥିତି ସାମସଙ୍ଗ କ୍ଷେତ୍ରରେ ମଧ୍ୟ ରହିଛି। ତେଣୁ ସାମସଙ୍ଗ ମଧ୍ୟ ଭାରତରେ ରହିବାକୁ ନିଷ୍ପତ୍ତି ନେଇପାରେ।
ବିଶେଷଜ୍ଞଙ୍କ ମତରେ ଆପଲ ଭାରତ ଉପରେ ଅଧିକ ଫୋକସ ଦେବାର ଅନେକ କାରଣ ରହିଛି। କାରଣ କମ୍ପାନି ଚୀନରେ ଦେଖା ଦେଉଥିବା ଭୂରାଜନୈତିକ ପରିସ୍ଥିତି, ଟ୍ରେଡ ଡିସପ୍ୟୁଟ ଭଳି କାରଣରୁ ସେଠାରେ ନିର୍ଭରଶୀଳତା କମ୍ କରି ଭାରତକୁ ଏକ ଭଲ ବିକଳ୍ପ ଭାବରେ ଦେଖୁଛି। ଏହା ସହ ଭାରତର ମେକ ଇନ୍ ଇଣ୍ଡିଆ ଏବଂ ପିଏଲଆଇ ସ୍କିମ କାରଣରୁ କମ୍ପାନିଙ୍କୁ ଆର୍ଥିକ ସହାୟତା ମିଳୁଛି। ଏହି ପଲିସି କାରଣରୁ ହିଁ ଆପଲର ପାର୍ଟନର ଫକ୍ସକନ ଏବଂ ଟାଟା ଭାରତରେ ଅଧିକ ନିବେଶ କରୁଛନ୍ତି। ଆହୁରି ମଧ୍ୟ ଭାରତରେ ବର୍ତ୍ତମାନ ଦୁନିଆର ସବୁଠୁ ଦ୍ରୁତ ଭାବରେ ବଢ଼ୁଥିବା ସ୍ମାର୍ଟଫୋନ ମାର୍କେଟ ହୋଇଛି। ସରକାରୀ ସହାୟତାର ଲାଭ ଉଠାଇ ସାମସଙ୍ଗ ଆପଲ ଭଳି ଟେକ୍ ଜାଏଣ୍ଟ ସ୍ଥାନୀୟ ଉତ୍ପାଦନ ବୃଦ୍ଧି କରିବାରୁ ଏହି ସଫଳତା ମିଳିଛି। ଏଥିରେ ଆପଲ ନିଜ ଚାହିଦା ପୂରଣ କରିପାରିଛି। ଯାହା ଫଳରେ କମ୍ପାନିର ମାର୍କେଟ ଶେୟାର ବଢ଼ି ବର୍ତ୍ତମାନ ୬-୭% ରହିଛି।
ଆପଲ ଭାରତରୁ କରୁଥିବା ଆଇଫୋନ ରପ୍ତାନୀ ୭୦%ରେ ପହଞ୍ଚିଛି। ୨୦୨୪ରେ ଭାରତରୁ ଆଇଫୋନ ଏକ୍ସପୋର୍ଟ ୧୨.୮ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି। ଯାହା ଆଗାମୀ ସମୟରେ ଆହୁରି ଅଧିକ ବଢ଼ିବା ନେଇ ଅନୁମାନ କରାଯାଉଛି। ତେବେ ସବୁଠାରୁ ବଡ଼ କଥା ହେଲା ଚୀନ ଓ ଆମେରିକା ଠାରୁ ଭାରତରେ ଲେବର କଷ୍ଟ ମଧ୍ୟ କମ୍ ରହୁଛି। ତେଣୁ ଏତେସବୁ ଲାଭ ପାଉଥିବାରୁ ଆପଲ ଭାରତରେ ଛାଡ଼ିବାକୁ ଇଚ୍ଛା କରୁ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସାମସଙ୍ଗ କଥା ଦେଖିଲେ କମ୍ପାନୀ ଏହାର ସ୍ମାର୍ଟଫୋନ ନିର୍ମାଣ ପାଇଁ ଚୀନ ଉପରେ ନିର୍ଭର କରେ ନାହିଁ। ଏହାର ଅଧିକାଂଶ ପ୍ରଡକ୍ସନ କାମ ଭାରତ, ଦକ୍ଷିଣ କୋରିଆ, ଭିଏତନାମ ଏବଂ ବ୍ରାଜିଲରେ ହୋଇଥାଏ। ଦକ୍ଷିଣ କୋରିଆର ଏହି ଟେକ୍ ଜାଏଣ୍ଟ ୨୦୧୯ ଚୀନ୍ରେ ଏହାର ଶେଷ ଫୋନ୍ ନିର୍ମାଣ କାରଖାନା ବନ୍ଦ କରିଦେଇଥିଲା।
ଭାରତରେ କାରଖାନ ନ ଖୋଲିବାକୁ ଟ୍ରମ୍ପ ଆପଲକୁ ଚେତାବନୀ ଦେବା ପରେ ଆମେରିକାରେ ରହୁଥିବା ପ୍ରବାସୀୟ ଭାରତୀୟଙ୍କ ଅର୍ଥ ଉପରେ ବି ଟ୍ରମ୍ପଙ୍କ ନଜର ପଡ଼ିଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ନିଜ ଦେଶକୁ ପଠାଉଥିବା ଅର୍ଥ, ବା ରେମିଟାନ୍ସ ଉପରେ ଟ୍ରମ୍ପ ଶୁଳ୍କ ଲାଗୁ କରିଛନ୍ତି। ଏନେଇ ଆମେରିକା ସଂସଦରେ ଏକ ବିଲ୍ ପାସ୍ କରାଯାଇଛି। ଯେଉଁଥିରେ ରେମିଟାନ୍ସ ଉପରେ ୩.୫ ପ୍ରତିଶଥ ଶୁଳ୍କ ଲାଗୁ କରାଯାଇଛି। ଏହାଫଳରେ ଭାରତୀୟଙ୍କ ଉପରେ କେତେ ଆର୍ଥିକ ବୋଝ ପଡ଼ିବ ଦେଖନ୍ତୁ।
ଭାରତ ଉପରେ ଆଉ ଏକ ଚାପ ଲଦିବାକୁ ଯାଉଛି ଆମେରିକା। ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ମେ’ ୨୨ରେ ‘ୱାନ୍ ବିଗ୍, ବିଉଟିଫୁଲ ବିଲ୍ ଆକ୍ଟ’କୁ ଅନୁମୋଦନ ଦେଇଛି । ଏହି ଆଇନ ୨୦୨୬ ଜାନୁଆରୀ ୧ରୁ ଏହା ଲାଗୁ ହୋଇଯିବ। ଏହାପରେ ଆମେରିକାରୁ ଟଙ୍କା ପଠାଉଥିବା ପ୍ରବାସୀୟ ଭାରତୀୟଙ୍କୁ ଏଥିପାଇଁ ୩.୫ ପ୍ରତିଶତ ଟ୍ୟାକ୍ସ ଗଣିବାକୁ ପଡ଼ିବ। ଯାହା ଭାରତ ଉପରେ ବଡ଼ ପ୍ରଭାବ ପକାଇବ। କାରଣ ଭାରତୀୟ ପ୍ରବାସୀ ଆମେରିକାରୁ ସବୁଠାରୁ ଅଧିକ ରେମିଟାନ୍ସ ପଠାଇଥାନ୍ତି। ରିପୋର୍ଟ ଅନୁସାରେ, ବର୍ଷକୁ ଆମେରିକାରୁ ପ୍ରାୟ ୩୦ ବିଲିୟନ ଡଲାର ରେମିଟାନ୍ସ ଭାରତକୁ ଆସିଥାଏ। ୩.୫% ଟିକସ ଲାଗୁ ହେବା ପରେ ପ୍ରବାସୀ ଭାରତୀୟଙ୍କ ଉପରେ ୧.୦୫ ବିଲିୟନ ଡଲାର ବା ପ୍ରାୟ ୮,୭୫୦ କୋଟି ଟଙ୍କାର ବୋଝ ପଡ଼ିବ। ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ । ଉଦାହର ସ୍ୱରୂପ ଯଦି ଜଣେ ପ୍ରବାସୀ ଭାରତକୁ ଲକ୍ଷେ ଟଙ୍କା ପଠାଉଥିବେ ତେବେ ଏହା ଉପରେ ତାଙ୍କୁ ୩,୫୦୦ ଟଙ୍କାର ଟିକସ ଦେବାକୁ ପଡ଼ିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଅନୁସାରେ, ୨୦୨୩-୨୪ରେ ଭାରତକୁ ଆସିଥିବା ମୋଟ ରେମିଟାନ୍ସ ମଧ୍ୟରେ ଆମେରିକାରୁ ସର୍ବାଧିକ ୨୭.୭% ଆସିଛି। ଯାହା ୨୦୨୦-୨୧ରେ ୨୩.୪% ଥିଲା । ଭାରତର ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ଆମେରିକାରେ ୪୫ ଲକ୍ଷ ପ୍ରବାସୀ ଭାରତୀୟ ଅଛନ୍ତି, ଯେଉଁଥିରୁ ୩୨ ଲକ୍ଷ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି(ପିଆଇଓ) ।
ଆମେରିକାରେ ୭୮% ଭାରତୀୟ ପ୍ରବାସୀ ଉଚ୍ଚ ଆୟ ପ୍ରଦାନକାରୀ କ୍ଷେତ୍ର ଯେପରି ମ୍ୟାନେଜ୍ମେଣ୍ଟ, ବିଜ୍ନେସ୍ ଏବଂ ସାଇନ୍ସ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆର୍ବିଆଇ ତଥ୍ୟ ଅନୁସାରେ,୨୦୧୦-୧୧ରେ ଭାରତକୁ ୫୫.୬ ବିଲିୟନ ଡଲାର ରେମିଟାନ୍ସ ଆସିଥିବା ବେଳେ ୨୦୨୩-୨୪ରେ ଏହା ଦୁଇ ଗୁଣା ହୋଇ ୧୧୮.୭ ବିଲିୟନ ଡଲାରରେ ପହଞ୍ଚିଛି। ତେଣୁ ଏସବୁ ଦେଖିଲେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ପଦକ୍ଷେପ ଭାରତକୁ ଦୁର୍ବଳ କରିବା ଉଦ୍ଦେଶ୍ୟ ନିଆଯାଉଥିବା ଜଣାପଡ଼ୁଛି। କଥାରେ ଅଛି ବନ୍ଧୁ ବଳ ଦିଏ ହେଲେ ଆମେରିକାର ବଳ ଦେବା ବଦଳରେ ଓଲଟି ବିଧା ମାରୁଛି।