ନୂଆଦିଲ୍ଲୀ: ନିର୍ବାଚନ ବେଳେ ଦେଇଥିବା ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୁଭାସ୍ପା ବିଧାୟକ ଆବାସ ଅନସାରୀ। ଦୁଇ ବର୍ଷ ଜେଲଦଣ୍ଡ ଏବଂ ତିନି ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ସେହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମନସୁର ଅନସାରୀଙ୍କୁ ଛଅ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ମାଉର ସାଂସଦ-ବିଧାୟକ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୨ ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ, ମାଉର ପାହାଡପୁର ମୈଦାନରେ ଆୟୋଜିତ ଏକ ସାଧାରଣ ସଭାରେ ଆବାସ ଅନସାରୀ ଅଧିକାରୀମାନଙ୍କୁ ଧମକ ଦେଇଥିଲେ। ଯଦି ସରକାର ଗଠନ ହୁଏ ତେବେ 'ଭଲଭାବେ ଦେଖିନେବୁ'। ଏହି ଉତ୍ତେଜନାପୂର୍ଣ୍ଣ ବୟାନକୁ ନେଇ ବିରୋଧ ହୋଇଥିଲା ଏବଂ ମାଉ କୋତୱାଲିର ତତ୍କାଳୀନ ସବ-ଇନ୍ସପେକ୍ଟର ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।
ଭାରତୀୟ ଦଣ୍ଡ ସଂହିତା (IPC)ର ନିମ୍ନଲିଖିତ ୬ଟି ଧାରା ଅନୁଯାୟୀ ଆବାସ ଅନସାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଯେଉଁଥିରେ ଅପରାଧୀକ ଧମକ, ନିର୍ବାଚନରେ ମିଥ୍ୟା ପ୍ରଚାର, ସରକାରୀ କାର୍ଯ୍ୟରେ ବାଧା, ସରକାରୀ କର୍ମଚାରୀଙ୍କୁ ଧମକ ଦେବା, ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ପ୍ରସାର କରିବା, ଅପରାଧୀକ ଷଡ଼ଯନ୍ତ୍ର ଅନ୍ତର୍ଭୁକ୍ତ।
ଏହି ମାମଲାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ଆବାସ ଅନସାରୀ କେବଳ ପୂର୍ବତନ ବାହୁବଳୀ ସାଂସଦ ମୁଖତାର ଅନସାରୀଙ୍କ ପୁଅ ନୁହଁନ୍ତି, ବରଂ ବର୍ତ୍ତମାନ ମାଉ ସଦର ଆସନର ବିଧାୟକ ମଧ୍ୟ। କୋର୍ଟ ମାଉ ବିଧାୟକ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି (SBSP) ନେତା ଆବାସ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।