ପିଆଜ ବିକ୍ରି କରି ଭାରତ ମାଲାମାଲ, ବିଶ୍ୱର ଏହି ୧୦ ଦେଶ ସବୁଠୁ ବଡ଼ କ୍ରେତା

Published By : Prameya-News7 Bureau | August 27, 2025 IST

ନୂଆଦିଲ୍ଲୀ ୨୭।୮: ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବ ବୃହତ୍ତ ପିଆଜ ଉତ୍ପାଦନକାରୀ ଦେଶ। କଟୁ ସ୍ୱାଦ ଯୋଗୁ ବିଶ୍ୱରେ ଭାରତୀୟ ପିଆଜକୁ ବେଶ୍ ପସନ୍ଦ କରାଯାଏ ଓ ଏହା ବର୍ଷ ସାରା ଉପଲବ୍ଧ ହୋଇଥାଏ। କାରଣ ଭାରତରେ ପିଆଜ ବର୍ଷକୁ ଦୁଇ ଥର ଚାଷ ହୋଇଥାଏ। ଏଥିରୁ ପ୍ରଥମ ଅମଳ ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ହେଉଥିବା ବେଳେ ଦ୍ୱିତୀୟ ଅମଳ ଜାନୁୟାରୀରୁ ମେ ମାସ ମଧ୍ୟରେ ହୋଇଥାଏ। ଏଣୁ ଭାରତରୁ ବିଦେଶକୁ ମଧ୍ୟ ପିଆଜ ରପ୍ତାନୀ ହୋଇଥାଏ। ତେବେ ଭାରତୀୟ ପିଆଜର ସବୁଠୁ ବଡ଼ ଆମଦାନୀକାରୀ ଦେଶ କିଏ ଆସନ୍ତୁ ଜାଣିବା।  

ଏଗ୍ରିକଲଚର ଆଣ୍ଡ ପ୍ରୋସେସଡ ଫୁଡ ଡେଭଲପମେଣ୍ଟ ଅଥରିଟି (ଏପିଡିଏ) ତଥ୍ୟ ଅନୁସାରେ ଭାରତର ପିଆଜ ମୁଖ୍ୟତଃ  ବାଂଲାଦେଶ, ମାଲେସିୟା, ୟୁଏଇ, ଶ୍ରୀଲଙ୍କା, ନେପାଲ, କ୍ୱେତ୍, ଇଣ୍ଡୋନେସିୟା, ମାଲଦ୍ୱୀପ, ଓମାନ ଓ ଭିଏତନାମ ଆଦି ଦେଶକୁ ରପ୍ତାନୀ ହୋଇଥାଏ। ସେହିପରି ଭାରତରେ ବିଶେଷ କରି ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜରାଟ, ବିହାର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ହରିୟାଣା ଓ ତେଲେଙ୍ଗାନା ଆଦି ରାଜ୍ୟରେ ପ୍ରଚୁର ପିଆଜ ଉତ୍ପାଦନ ହୁଏ। 

ପିଆଜ ଉତ୍ପାଦନରେ ମହାରାଷ୍ଟ୍ର ୩୫% ସହିତ ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ପଛକୁ ୧୭% ଭାଗିଦାରୀ ସହ ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି। ଭାରତୀୟ ପିଆଜ ଉପରୋକ୍ତ ଦେଶମାନଙ୍କ ସମେତ ସିଙ୍ଗାପୁର, କତାର, ବହାରୀନ, ଭୁଟାନ, ମରିସସ, ୟୁକେ, ବ୍ରୁନେଇ ଓ ସାଉଦୀ ଆରବ ମଧ୍ୟ ରପ୍ତାନୀ ହୋଇଥାଏ। ଭାରତରେ ମୁଖ୍ୟତଃ ଏଗ୍ରିଫାଉଣ୍ଡ ଡାର୍କ ରେଡ, ଏଗ୍ରିଫାଉଣ୍ଡ ଲାଇଟ ରେଡ, ଏନଏଚଆରଡିଏଫ ରେଡ, ଏଗ୍ରିଫାଇଣ୍ଡ ହ୍ୱାଇଟ୍, ଏଗ୍ରିଫାଇଣ୍ଡ ରୋଜ, ପୁଷା ରତ୍ନାର, ପୁଷା ରେଡ ଓ ପୁଷା ହ୍ୱାଇଟ୍ ରାଉଣ୍ଡ କିସମର ପିଆଜ ଉତ୍ପାଦନ ହୋଇଥାଏ। 

ଏଥିରୁ କେତେକ କିସମ ୟୁରୋପୀୟ ଦେଶଙ୍କୁ ରପ୍ତାନୀ ପାଇଁ ଉତ୍ତମ ମନେ କରାଯାଏ। ଏଥିରେ ଟାନା ସାଫ-୧, ଅରାଦ-ଏଚ୍, ସୁପ୍ରେକ୍ସ, ଗ୍ରାନେକ୍ସ ୫୫, ଏଚଏ-୬୦ ଓ ଗ୍ରୋନୋକ୍ସ ୪୨୯ ୟୁରୋପୀୟ ଦେଶମାନଙ୍କୁ ରପ୍ତାନୀ ହୋଇଥାଏ। ପିଆଜ ରପ୍ତାନୀରୁ ଭାରତ ବେଶ ଲାଭବାନ ହେଉଥିବା ବେଳେ ଚାଷ କରି ଚାଷୀ ମଧ୍ୟ ମାଲାମାଲ ହେଉଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.