ନୂଆଦିଲ୍ଲୀ: ଭାରତୀୟ କମ୍ପାନୀଗୁଡ଼ିକର ଫ୍ରେସର ନିଯୁକ୍ତି(ନବାଗତ ନିଯୁକ୍ତି) ଉପରେ ଇଚ୍ଛା କମିବା ଭଳି ଦେଖାଯାଉଛି। ମଙ୍ଗଳବାର ପ୍ରକାଶିତ ସଦ୍ୟତମ TeamLease EdTech କ୍ୟାରିଅର ଆଉଟଲୁକ୍ ରିପୋର୍ଟ (HY2 2025) ଅନୁଯାୟୀ, ସାମଗ୍ରିକ ଭାବରେ, ଜୁଲାଇ-ଡିସେମ୍ବର ୨୦୨୫ ଅବଧି ପାଇଁ ନୂଆ ନିଯୁକ୍ତି ଉଦ୍ଦେଶ୍ୟ ୭୦% କୁ ହ୍ରାସ ପାଇଛି। ଯାହା ବର୍ଷର ପ୍ରଥମାର୍ଦ୍ଧରେ ଦେଖା ଦେଇଥିବା ୭୪% ରୁ ୪ ପ୍ରତିଶତ କମ୍ ରହିଛି।
ମେ ଏବଂ ଜୁଲାଇ ମଧ୍ୟରେ ୧,୦୬୫ ଜଣ ନିଯୁକ୍ତିଦାତାଙ୍କୁ ନେଇ ସଂସ୍ଥା ସର୍ଭେ କରିଥିଲା। ଏଥିରୁ ଜଣାପଡ଼ିଛି ଯେ କମ୍ପାନୀଗୁଡ଼ିକ ଏଆଇ-ନେତୃତ୍ୱାଧୀନ କର୍ମଚାରୀ ପୁନର୍ଗଠନ, ବିଶ୍ୱ ବାଣିଜ୍ୟ ଅନିଶ୍ଚିତତା ଏବଂ ମୁଖ୍ୟ ଶିଳ୍ପଗୁଡ଼ିକରେ ଅଭିଜ୍ଞ କର୍ମଚାରୀମାନଙ୍କୁ ପଦବୀରେ ରଖିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ଫଳରେ ନବାଗତଙ୍କ ନିଯୁକ୍ତି କମ ରହିବାର ଆଶଙ୍କା ଦେଖା ଦେଇଛି।
ସାମଗ୍ରିକ ମାନ୍ଦାବସ୍ଥା ସତ୍ତ୍ୱେ, ଶିଳ୍ପ ଅନୁସାରେ ଗତି ସୁଦୃଢ଼ ରହିଛି। ଇ-କମର୍ସ ଏବଂ ଟେକ୍ନୋଲୋଜୀ ଷ୍ଟାର୍ଟଅପ୍ ଏଥିରେ ଫ୍ରେସର ନିଯୁକ୍ତିରେ ଆଗୁଆ ଅଛନ୍ତି। ଏହି କ୍ଷେତ୍ର ସର୍ବାଧିକ ୮୮% ଫ୍ରେଶର୍ସଙ୍କୁ ନିଯୁକ୍ତି ଦେବାର ଉଦ୍ଦେଶ୍ୟ ରଖିଛି। ଏହା ପଛକୁ ରିଟେଲ (୮୭%) ଏବଂ ପ୍ରଡକ୍ସନ (୮୨%) ରହିଛି। "ଇ-କମର୍ସ ଏବଂ ଟେକ୍ନୋଲୋଜୀ ଷ୍ଟାର୍ଟଅପ୍ଗୁଡ଼ିକରେ ଦୃଢ଼ ନିଯୁକ୍ତି ଉଦ୍ଦେଶ୍ୟ ଏହି କ୍ଷେତ୍ରରେ ଗତିଶୀଳ ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି। ଯାହା ଫ୍ରେଶର୍ସଙ୍କ ପାଇଁ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରେ ବୋଲି ଟିମ୍ଲିଜ୍ ଏଡଟେକ୍ର ପ୍ରତିଷ୍ଠାତା ଶାନ୍ତନୁ ରୁଜ୍ କହିଛନ୍ତି।
ସେହିପରି ସହର ଅନୁସାରେ ଦେଖିଲେ ବାଙ୍ଗାଲୁରୁ ୮୧% ନିଯୁକ୍ତି ଉଦ୍ଦେଶ୍ୟ ରଖି ତାଲିକାର ଶୀର୍ଷରେ ରହିଛି। ଏହାପରେ ମୁମ୍ବାଇ (୬୭%) ଏବଂ ଚେନ୍ନାଇ (୫୯%) ରହିଛି। ବଡ଼ ଉଦ୍ୟୋଗ ତୁଳନାରେ ଛୋଟ ସଂଗଠନଗୁଡ଼ିକ ଫ୍ରେସର୍ସଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକ ଆଗ୍ରହ ପ୍ରଦର୍ଶନ କରୁଛନ୍ତି, ଯଦିଓ ସେମାନଙ୍କର ସାମଗ୍ରିକ କ୍ଷମତା ସୀମିତ ରହିଛି। ରୁଜ୍ ଶିକ୍ଷାର୍ଥୀ ମଡେଲର ଅଭିବୃଦ୍ଧିକୁ ମଧ୍ୟ ଆଲୋକପାତ କରିଥିଲେ। "ଡିଗ୍ରୀ ଶିକ୍ଷାର୍ଥୀ କାର୍ଯ୍ୟକ୍ରମର ବୃଦ୍ଧି ବ୍ୟବହାରିକ, ଦକ୍ଷତା-ଆଧାରିତ ଶିକ୍ଷା ମାର୍ଗର ଚାହିଦାକୁ ଆହୁରି ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।
ସର୍ଭେରୁ ଜଣାପଡିଛି ଯେ ଡିଗ୍ରୀ ଶିକ୍ଷାର୍ଥୀ ପାଇଁ କାମର ଚାହିଦା ମନ୍ଥର ଗତିରେ ବୃଦ୍ଧି ପାଉଛି। ମେନୁଫେକ୍ଚରିଂ କ୍ଷେତ୍ରରେ (୩୭%), ଇଞ୍ଜିନିୟରିଂ ଏବଂ ଭିତ୍ତିଭୂମି (୨୯%), ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (୧୮%) ସର୍ବାଧିକ ଆଗ୍ରହ ଦେଖାଇଛି। ବେଙ୍ଗାଲୁରୁ, ଚେନ୍ନାଇ ଏବଂ ପୁଣେ ସହରଗୁଡ଼ିକ ମଧ୍ୟରେ ଶିକ୍ଷାର୍ଥୀ ନିଯୁକ୍ତିରେ ଆଗରେ ଅଛନ୍ତି। ଚାକିରି ଭୂମିକା ମଧ୍ୟରେ ଲଟ୍ ଇଞ୍ଜିନିୟର, କ୍ଲାଉଡ୍ ଇଞ୍ଜିନିୟର, ପ୍ରକ୍ରିୟା ଅଟୋମେସନ୍ ଆନାଲିଷ୍ଟ, ଜୁନିଅର ଏନଏଲିପ ଡେଭଲପର, କଣ୍ଟେଣ୍ଟ ମାର୍କେଟିଂ ଏକଜିକ୍ୟୁଟିଭ୍ ଏବଂ ଜୁନିଅର ଆକ୍ଚୁଆରିଆଲ୍ ଆନାଲିଷ୍ଟ ଭଳି ପଦବୀଗୁଡ଼ିକର ଚାହିଦା ଅଧିକ ରହିଛି।
ନିଯୁକ୍ତିଦାତାମାନେ ସାଇବର ସୁରକ୍ଷା, ଡାଟା ଷ୍ଟୋରିଟେଲିଂ, ପ୍ରମ୍ପ୍ଟ ଇଞ୍ଜିନିୟରିଂ, ସଷ୍ଟେନବଲ ଏନର୍ଜୀ ସିଷ୍ଟମ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ଆକ୍ଚୁଆରିଆଲ୍ ସାଇନ୍ସ, ଜେନେଟିକ୍ ଇଞ୍ଜିନିୟରିଂ, ବିଜନେଶ ଆନାଲିଟିକ୍ସ ଏବଂ ପରଫର୍ମାନ୍ସ ମାର୍କେଟିଂରେ ମଧ୍ୟ ନବାଗତରଙ୍କର ଦକ୍ଷତା ଖୋଜୁଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ସଫ୍ଟ ସ୍କିଲ୍ ଥିବା କର୍ମଚାରୀଙ୍କ ଗୁରୁତ୍ୱ ବୃଦ୍ଧି ପାଉଥିବା ସଂକେତ ଦିଆଯାଇଛି। ନିଯୁକ୍ତିଦାତାମାନେ କମ୍ୟୁନିକେସନ, ଇମ୍ପାଥି, ଏଥିକାଲ ଜଜମେଣ୍ଟ, ଆକ୍ଟିଭ ଲିସନିଂ, ସମସ୍ୟା ସମାଧାନ, କୋଲାବରେସନ, ସ୍ଥିରତା ଏବଂ ଟାଇମ ମ୍ୟାନେଜମେଣ୍ଟ ନିଯୁକ୍ତିଯୋଗ୍ୟତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରାଥମିକତା ଦେଉଛନ୍ତି। ରୁଜ୍ ଆହୁରି କହିଛନ୍ତି ଯେ ଟେକ୍ନୋଲୋଜୀ ସହ ଶିଳ୍ପଗୁଡ଼ିକ ବିକଶିତ ହେବା ସହିତ "ଯେଉଁ ଫ୍ରେସର୍ସମାନେ ଟେକ୍ନିକାଲ ଏକ୍ସପର୍ଟିସ ହାସଲ କରିଥିବେ ଏବଂ ଅନ୍ୟାନ୍ୟ ଦକ୍ଷତା ରଖିଥିବେ ସେମାନଙ୍କ ପାଇଁ ନିଯୁକ୍ତି ସ୍ଥିତି ଭଲ ରହିବ।