ଏଜବାଷ୍ଟନରେ ଡ୍ରାଇଭ ସିଟରେ ଭାରତ, ଐତିହାସିକ ବିଜୟଠୁ ଏତିକି ଦୂରରେ ଗିଲ୍ ବାହିନୀ

Published By : Prameya-News7 Bureau | July 06, 2025 IST

ଏଜବାଷ୍ଟନ: ଏଜବାଷ୍ଟନରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତର ରାଜୁତି। ଡ୍ରାଇଭ ସିଟରେ ଶୁଭମନ ଗିଲ୍ଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ। ଭାରତ ଦ୍ଵିତୀୟ ଇନିଂସରେ ୪୨୭/୫ରେ ପାଲି ସମାପ୍ତି ଘୋଷଣା ପରେ ଇଂଲଣ୍ଡକୁ ମିଳିଛି ୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ। ଜବାବରେ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ହରାଇ ୭୨ ରନ କରିଛି। କ୍ରିଜରେ ଓଲି ପପ୍ ୨୪ ରନ ଓ ହାରି ବ୍ରୁକ ୧୫ ରନ କରି  ଅପରାଜିତ ଅଛନ୍ତି। ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୫୩୬ ରନ ଦରକାର ଯାହା ଅସମ୍ଭବ ଲାଗୁଛି। ଭାରତକୁ ସିରିଜ୍ ବରାବର କରିବା ପାଇଁ ଦରକାର ୭ ଓ୍ଵିକେଟ୍। ଏହା ପୂର୍ବରୁ ଚତୁର୍ଥ ଦିନରେ ଭାରତର ଦ୍ଵିତୀୟ ଇନିଂସରେ ଅଧିନାୟକ ଶୁଭମନ ଗିଲ୍ ୧୬୧ ରନର ଶତକୀୟ ଇନିଂସ ଖେଳିଥିଲେ। 

ଦ୍ଵିତୀୟ ଇନିଂସ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ ମହମ୍ମଦ ସିରାଜ। ଜ୍ୟାକ କ୍ରାଉଲିଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ ସିରାଜ। ଏହା ପରେ ବେନ ଡକେଟ୍ଙ୍କୁ ଆକାଶ ଦୀପ କ୍ଲିନ ବୋଲ୍ଡ କରିଥିଲେ। ଡକେଟ୍ ଦ୍ରୁତ ବ୍ୟାଟିଂ କରି ୨୫ ରନ କରିଥିଲେ। ତେବେ ଇଂଲଣ୍ଡକୁ ସବୁଠୁ ବଡ଼ ଝଟକା ଜୋ ରୁଟ୍ଙ୍କ ରୂପେ ଲାଗିଥିଲା। ଦଳର ସବୁଠୁ ଅନୁଭବୀ ବ୍ୟାଟର(୬ ରନ) ଆକାଶ ଦୀପଙ୍କ ବଲରେ କ୍ଲିନବୋଲ୍ଡ ହୋଇଥିଲେ। ଓଲି ପପ୍ ୨୪ ରନର ଓ ହ୍ୟାରି ବ୍ରୁକ ୧୫ ରନ କରି ଖେଳୁଛନ୍ତି। ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୭୨ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଛି। 

ଏହା ପୂର୍ବରୁ ଭାରତ ଚତୁର୍ଥ ଦିନରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲେ। ତେବେ ଦିନର ଆରମ୍ଭରୁ କରୁଣ ନାୟର(୨୬ ରନ) ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। କ୍ରିଜରେ ଜମି ଅର୍ଦ୍ଧଶତକ ହାସଲ କରିଥିବା କେଏଲ ରାହୁଲ ୫୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ଗିଲ୍ ଓ ଋଷଭ ପନ୍ତ ଚତୁର୍ଥ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ପନ୍ତ ଧୂଆଁଧାର ବ୍ୟାଟିଂ କରି ୫୮ ବଲରୁ ୮ ଚୌକା ଓ ୩ ଛକା ସହ ୬୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ଜାଡ଼େଜା ଦିନିକିଆ ପରି ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଏହି କ୍ରମରେ ଗିଲ୍ ଟେଷ୍ଟ କ୍ୟାରିୟରରେ ଅଷ୍ଟମ ଶତକ ପୂରା କରିଥିଲେ। ଜାଡ଼େଜା ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଗିଲ୍ ଓ ଜାଡେଜା ୧୭୫ ରନ ଯୋଡ଼ି ଦଳର ସ୍କୋରକୁ ୪୧୧ ରେ ପହଞ୍ଚାଇଥିଲେ। ଗିଲ୍ ୧୬୨ ବଲରୁ ୧୩ ଚୌକା ଓ ୮ ଛକା ସହ ୧୬୧ ରନର ଚିତ୍ତାକର୍ଷକ ପାଳି ଖେଳି ଆଉଟ୍ ହୋଇଥିଲେ। ଜାଡେଜା ୬୯ ରନରେ ଅପରାଜିତ ଥିଲେ। ଭାରତ ୫ ଓ୍ଵିକେଟ୍ ହରାଇ  ୪୨୭ ରନରେ ପାଳି ସମାପ୍ତି ଘୋଷଣା କରିଛି। 

ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ଗିଲ୍ଙ୍କ ୨୬୯ ରନ ବଳରେ ଭାରତ ୫୮୭ ରନ କରିଥିଲା। ଜବାବରେ ଇଂଲଣ୍ଡରେ ଜେମି ସ୍ମିଥଙ୍କ ଅପରାଜିତ ୧୮୪ ରନ ଓ ହ୍ୟାରି ବ୍ରୁକଙ୍କ ୧୫୮ ରନ ବଳରେ ୪୦୭ ରନ କରି ପାରିଥିଲା। ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ୭୦ ରନ ଦେଇ ୬ଟି ଏବଂ ଆକାଶ ଦୀପ ୮୮ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.