ନୂଆଦିଲ୍ଲୀ: ଭାରତ ଦେଶର ତୈଳ ବିଶୋଧନକାରୀମାନଙ୍କୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ନାହିଁ। ଘଟଣା ସହ ପରିଚିତ ବିଶେଷ ସୂତ୍ରରୁ ସୂଚନା ଇକୋନୋମିକ୍ସ ଟାଇମ୍ସ ଏହି ଖବର ପ୍ରକାଶ କରିଛି। ତେବେ ଟ୍ରମ୍ପଙ୍କୁ ଅଧିକ ନ ରଗାଇ ଦେଶର ଶକ୍ତି ଆବଶ୍ୟକତା କେମିତି ପୂରଣ କରାଯିବ ଏବଂ ମସ୍କୋ ସହିତ ସମ୍ପର୍କ ବଜାୟ ରଖିବା ପାଇଁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।
ଘଟଣାର ଗୁରୁତ୍ୱକୁ ଦେଖି ନାଁ ଗୋପନ ରଖିବା ସର୍ତ୍ତରେ କିଛି ବ୍ୟକ୍ତି କହିଛନ୍ତି ଯେ ରୁଷରୁ ଆମଦାନୀ ବନ୍ଦ କରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ରାଷ୍ଟ୍ରାୟତ୍ତ କିମ୍ବା ଘରୋଇ ରିଫାଇନାରୀ ଉଭୟଙ୍କୁ ସେମାନଙ୍କ ପସନ୍ଦର ଠିକଣାରୁ ତେଲ କିଣିବାକୁ ଅନୁମତି ଦିଆଯାଇଛି ଏବଂ ଅଶୋଧିତ ତୈଳ କ୍ରୟ ସେମାନଙ୍କ ଦ୍ୱାରା ନିଆଯାଇଥିବା ଏକ ବାଣିଜ୍ୟିକ ନିଷ୍ପତ୍ତି ବୋଲି ସେମାନେ କହିଛନ୍ତି।
ଚଳିତ ସପ୍ତାହ ବୁଧବାର ଟ୍ରମ୍ପ ଭାରତକୁ ଋଷଠାରୁ ଅଧିକାଂଶ ସାମରିକ ଉପକରଣ ଏବଂ ଏନର୍ଜି କ୍ରୟ ଜାରି ରଖିବା ପାଇଁ ସମାଲୋଚନା କରିଥିଲେ। ଏବଂ ଭାରତ ଉପରେ ଆଶ୍ଚର୍ଯ୍ୟଜନକ ଭାବରେ ୨୫% ଶୁଳ୍କ ଲାଗୁ କରିବା ସହ ମସ୍କୋ ସହିତ ଘନିଷ୍ଠ ସମ୍ପର୍କ ପାଇଁ ଅତିରିକ୍ତ ଜରିମାନ ଲଗାଇଭାକୁ ଧମକ ଦେଇଥିଲେ। ଏହାର ଦୁଇ ଦିନ ପରେ, ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ "ଶୁଣିଛନ୍ତି" ଯେ ଭାରତ ଆଉ ଋଷଠାରୁ ତେଲ କିଣିବ ନାହିଁ। ଏହା ଏକ ଭଲ ପଦକ୍ଷେପ ବୋଲି ସେ କହିଥିଲେ।
ଭାରତ ଏହାର ଏନର୍ଜି କ୍ରୟକୁ ବଜାର ସ୍ଥିତି ଏବଂ ମୂଲ୍ୟକୁ ଦେଖି ପରିଚାଳିତ କରିଆସୁଛି। ଗତ ସପ୍ତାହରେ, ରିଫାଇନରମାନଙ୍କୁ ଅଣ-ରୁଷୀୟ ଅଶୋଧିତ ତେଲ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିଲା ବୋଲି ଜଣେ ସମ୍ପର୍କିତ ବ୍ୟକ୍ତି ବ୍ଲୁମବର୍ଗକୁ ସୂଚନା ଦେଇଥିଲେ।
ସମ୍ପର୍କିତ ବ୍ୟକ୍ତିମାନେ କହିଛନ୍ତି ଯେ, ଯଦି ରୁଷୀୟ ତେଲ ଯୋଗାଣ ବନ୍ଦ ହୋଇଯାଏ, ତେବେ ବିକଳ୍ପ ବ୍ୟାରେଲ କେଉଁଠାରୁ ଏବଂ କେତେ ପରିମାଣରେ ସଂଗ୍ରହ କରାଯାଇପାରିବ ତାହାର ଏକ ରୂପରେଖା ପ୍ରସ୍ତୁତ କରିବାକୁ ସରକାର ରାଷ୍ଟ୍ରାୟତ୍ତ ପ୍ରକ୍ରିୟାକରଣକାରୀମାନଙ୍କୁ କହିଥିଲେ। କାରଣ ଯଦି ରୁଷୀୟ ଅଶୋଧିତ ତୈଳ ଉପଲବ୍ଧ ନହୁଏ ସେ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ତେବେ ଘଟଣାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଲିପାରି ନାହିଁ।