ଗୋପାଳପୁର ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀ, ଗଞ୍ଜାମକୁ ୪୯୨ କୋଟି ଟଙ୍କାର ପ୍ରକଳ୍ପ ଭେଟି, କବି ସମ୍ରାଟଙ୍କ ଜୟନ୍ତୀ ରାଜ୍ୟ ଉତ୍ସବ ଘୋଷିତ

NEWS7
india-fined-20-per-cent-match-fee-for-slow-over-rate-against-australia-in-first-odi-sydney

ଗୋପାଳପୁର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ । ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ର ଉଦଯାପନୀ ଅବସରରେ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୫ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୪୪୨ କୋଟି ଟଙ୍କା ମୂଲ୍ୟର ୬୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ହଷ୍ଟେଲ ସୁବିଧା, ସଡକ ନିର୍ମାଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ୩୨ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବେଳାଭୂମିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ରହିଛି ।

ଏଥି ସହିତ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି କବିସମ୍ରାଟଙ୍କ ବହୁମୂଲ୍ୟ ଅବଦାନ ପ୍ରତି ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମ୍ମାନଜନକ ‘ଉପେନ୍ଦ୍ର ଭଞ୍ଜ ଚେୟାର’ର ପୁନଃସ୍ଥାପନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବହୁ ପୂର୍ବରୁ ଏହି ଚେୟାର ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏହା ଦୀର୍ଘ ବର୍ଷ ଧରି ଅଚଳ ଥିଲା । ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ଚଳିତ ବର୍ଷ ଠାରୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବା ପାଇଁ ଘୋଷଣା କରିଛନ୍ତି । ଆସନ୍ତା ମଇ ୧୬ ତାରିଖରୁ କବି ସମ୍ରାଟଙ୍କ ଜୟନ୍ତୀ ୭ ଦିନ ବ୍ୟାପୀ ଉତ୍ସବ ଆକାରରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।