News7 Logo

ତେଲ ଠାରୁ ବିଦ୍ୟୁତ୍ ପର୍ଯ୍ୟନ୍ତ... ଭାରତରୁ କ’ଣ କ’ଣ କିଣୁଛି ନେପାଳ ?

NEWS7
nepal

ନୂଆଦିଲ୍ଲୀ ୧୨।୦୯: ନେପାଳରେ ଦେଖାଦେଇଛି ଉତ୍ତେଜନା । ଜେନ୍-ଜେଡ୍ ପ୍ରତିବାଦ ପରେ ତୀବ୍ର ହୋଇଥିଲା ରାଜନୈତିକ ଅସ୍ଥିରତା। ସୋଶିଆଲ୍‌ ମିଡିଆ ବନ୍ଦ ଯୋଗୁଁ ରାଜରାସ୍ତାକୁ ଓହ୍ଲାଇଥିଲେ ଜେନ୍-ଜେଡ୍ । ବର୍ତ୍ତମାନ ଦେଶରେ ବଢିବାରେ ଲାଗିଲାଣି ଆର୍ଥିକ ସଙ୍କଟ ।  ଏହାରି ମଧ୍ୟରେ ପ୍ରଶ୍ନ ଆସୁଛି ଭାରତ-ନେପାଳ ସମ୍ପର୍କ କିପରି ? ଭାରତରୁ କେଉଁ ସାମଗ୍ରୀ କରିଥାଏ ଆମଦାନୀ ? ନେପାଳ ଭାରତକୁ କଣ କରିଥାଏ ରପ୍ତାନୀ ?

ବାସ୍ତବରେ ଭାରତ-ନେପାଳ ମଧ୍ୟରେ ଏକ ବଡ଼ ବାଣିଜ୍ୟ ସହଭାଗୀତା ଅଛି । ନେପାଳର ଅର୍ଥନୀତି ମୁଖ୍ୟତଃ କୃଷି ଏବଂ ପର୍ଯ୍ୟଟନ ଉପରେ ନିର୍ଭରଶୀଳ । ନେପାଳ ମୋଟ ବାଣିଜ୍ୟର ୬୦ ପ୍ରତିଶତରୁ ଅଧିକ ଆମଦାନୀ-ରପ୍ତାନି କେବଳ ଭାରତ ସହିତ କରିଥାଏ । ଅର୍ଥାତ୍ ପରିସ୍ଥିତି ଖରାପ ହେଲ ଯୋଗାଣ ପ୍ରଭାବିତ ହେବ, ଆଉ ନେପାଳର ସମସ୍ୟା ବଢ଼ିବ । ଟ୍ରେଣ୍ଡିଂ ଇକୋନୋମିକ୍ସ ଅନୁଯାୟୀ, ୨୦୨୪ ମସିହାରେ ଭାରତରୁ ନେପାଳକୁ ୬.୯୫ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରାଯାଇଥିଲା । ଯେତେବେଳେ କି ଭାରତ ନେପାଳରୁ ୮୬୭ ମିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା ।

ଭାରତ ନେପାଳକୁ ପ୍ରଚୁର ପରିମାଣରେ ବିଦ୍ୟୁତ୍ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ଯୋଗାଇଥାଏ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ନେପାଳକୁ ଆବଶ୍ୟକ ତେଲ ରପ୍ତାନି କରେ ଏବଂ ଏହି କମ୍ପାନୀ ସେଠାରେ ଏହାର ବଣ୍ଟନ କାର୍ଯ୍ୟ ମଧ୍ୟ ପରିଚାଳନା କରେ । ଏହାବ୍ୟତୀତ ଭାରତରୁ ନେପାଳକୁ ରିହାତି ଦରରେ ବିଦ୍ୟୁତ୍ ମଧ୍ୟ ଯୋଗାଇ ଦିଆଯାଏ । ଯଦି ଅନ୍ୟାନ୍ୟ ସାମଗ୍ରୀର ରପ୍ତାନି ଦେଖିବା, ତେବେ ପେଟ୍ରୋଲିୟମ୍ ଉତ୍ପାଦ ବ୍ୟତୀତ, ଇସ୍ପାତ-ଲୁହା, ଅଟୋ ପାର୍ଟସ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁକିଛି ରହିଛି ସାମିଲ ।

୨୦୨୪ରେ ନେପାଳକୁ ଭାରତରୁ ୨.୧୯ ବିଲିୟନ ଡଲାରର ପେଟ୍ରୋଲିୟମ୍ ଉତ୍ପାଦ ରପ୍ତାନି କରାଯାଇଥିଲା। ଏହାବ୍ୟତୀତ ଇସ୍ପାତ-ଲୁହା ୭୦୦.୫୭ ମିଲିୟନ ଡଲାର, ଯନ୍ତ୍ରପାତି-ବଏଲର୍ ୪୨୯.୧୭ ମିଲିୟନ୍‌ ଡଲାର,   କାର, ଅନ୍ୟାନ୍ୟ ଯାନବାହନ ଏବଂ ସେମାନଙ୍କର ପାର୍ଟସର ରପ୍ତାନି ୩୫୨.୬୨ ନିୟୁତ ଡଲାର ଥିଲା। ଇଲେକ୍ଟ୍ରୋନିକ୍ସ ୩୨୭.୩୭ ମିଲିୟନ ଡଲାର, ପ୍ଲାଷ୍ଟିକ୍ ୨୭୮.୫୦ ମିଲିୟନ ଡଲାର, ଔଷଧ  ୨୩୯.୫୭ ମିଲିୟନ ଡଲାର ରପ୍ତାନି ହୋଇଥିଲା। ଏହାବ୍ୟତୀତ ରବର, କାଗଜ, ଆଲୁମିନିୟମ୍ ମଧ୍ୟ ଭାରତରୁ ନେପାଳକୁ ପଠାଯାଇଥାଏ।

ଏବେ ପ୍ରଶ୍ନ ଆସୁଛି ନେପାଳରୁ ଭାରତକୁ କ’ଣ କ’ଣ ଆସିଥାଏ ? ଭାରତରୁ ନେପାଳକୁ ବହୁ ପରିମାଣରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରପ୍ତାନି କରାଯାଉଛି । ଭାରତ ନେପାଳରୁ କିଛି ସାମଗ୍ରୀ ମଧ୍ୟ କିଣୁଛି । ଏଥିରେ ପାଟ ଉତ୍ପାଦ, ଇସ୍ପାତ, ଫାଇବର, କାଠ ସାମଗ୍ରୀ, କଫି, ଚା ଏବଂ ମସଲା ସାମିଲ ରହିଛି । ଯଦି ଆମେ ୨୦୨୪ ମସିହାରେ ନେପାଳରୁ ଭାରତର ଆମଦାନିର ତଥ୍ୟ ଦେଖିବା, ତେବେ ସେଠାରୁ ସର୍ବାଧିକ ୧୫୨.୭୧ ମିଲିୟନ ଡଲାର ବନସ୍ପତି ତେଲ ଏବଂ ଚର୍ବି ଆମଦାନି ହୋଇଥିଲା।

ଏହାବ୍ୟତୀତ ୧୦୧.୧୦ ମିଲିୟନ ଡଲାର ଇସ୍ପାତ, କଫି-ଚା, ମସଲା ୯୮.୦୫ ମିଲିୟନ ଡଲାର ଆମଦାନି ହୋଇଥିଲା। କାଠ ଏବଂ କାଠ ଉତ୍ପାଦ ଆମଦାନି ଥିଲା ୭୦.୮୯ ନିୟୁତ ଡଲାର । ବୟନ, ଫାଇବର, ଲୁଣ, ପଥର ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ନେପାଳରୁ ଭାରତକୁ ଆସିଥିଲା। ଏହାବ୍ୟତୀତ ନେପାଳରେ ଭାରତର ଅନେକ ବଡ଼ କମ୍ପାନୀର ପ୍ରକଳ୍ପ ଚାଲିଛି । ଯାହା ମାଧ୍ୟମରେ ହଜାର ହଜାର ସ୍ଥାନୀୟ ଲୋକ ସେଠାରେ ନିଯୁକ୍ତି ପାଉଛନ୍ତି । ଏହାବ୍ୟତୀତ ନେପାଳୀ ବଂଶୋଦ୍ଭବ ନାଗରିକମାନେ ମଧ୍ୟ ଚାକିରି ପାଇଁ ବହୁସଂଖ୍ୟାରେ ଭାରତ ଆସୁଛନ୍ତି । ଏହାସହିତ ନେପାଳୀ କମ୍ପାନୀଗୁଡ଼ିକର ଉତ୍ପାଦ ପାଇଁ ଭାରତ ହେଉଛି ସବୁଠାରୁ ବଡ଼ ବଜାର ।