ନୂଆଦିଲ୍ଲୀ: ଆସନ୍ତାକାଲି ଅଗଷ୍ଟ ୧୫ ସ୍ୱାଧୀନତା ଦିବସ। ପ୍ରତ୍ୟେକ ବର୍ଷ ଆମେ ଏହି ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରୁ। ଦୀର୍ଘ ୨୦୦ ବର୍ଷ ବ୍ରିଟିଶ ଉପନିବେଶବାଦ ଶାସନରୁ ଭାରତ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିଲା। ସେହିଦିନ ଠାରୁ ଆମେ ଏହାକୁ ପାଳନ କରି ଆସୁଛି। କିନ୍ତୁ ସବୁ ବର୍ଷ ପରି ଏଥର ବି ଲୋକଙ୍କ ମଧ୍ୟରେ ଗୋଟିଏ ଦ୍ୱନ୍ଦ୍ୱ ଉପୁଜିଛି। ଏହା ୭୮ ତମ ସ୍ୱାଧୀନତା ଦିବସ ନା ୭୯ ତମ ସ୍ୱାଧୀନତା? ଆଜି ଆମେ ଆପଣଙ୍କର ଏହି ଦ୍ୱନ୍ଦ୍ୱ ଦୂର କରୁଛୁ।
ପ୍ରକୃତରେ ୨୦୨୫ରେ ଭାରତ ୭୯ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। କାରଣ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିଥିଲା। ହେଲେ ଅଧିକାଂଶ ଲୋକେ ପ୍ରଥମ ସ୍ୱାଧୀନତା ଦିବସ ୧୯୪୭କୁ ବାଦ୍ ଦେଇ ୧୯୪୮ରୁ ଗଣାନା କରନ୍ତି, ଏଥିପାଇଁ ଏହି ଦ୍ୱନ୍ଦ୍ୱ ଉପୁଜେ। ତେଣୁ ଏହି ହିସାବରେ ୨୦୨୫ ଭାରତର ୭୯ ତମ ସ୍ୱାଧୀନତା ଦିବସ ହେବ।
ସୂଚନା ଥାଉକି, ଭାରତ ସରକାର ଏପର୍ଯ୍ୟନ୍ତ ଏହି ବର୍ଷର ସ୍ୱାଧୀନତା ଦିବସ ପାଳନର ଥିମ କଣ ହେବ ତାହା ଘୋଷଣା କରିନାହାଁନ୍ତି। ପ୍ରତିବର୍ଷ, ସରକାର ସ୍ୱାଧୀନତା ଦିବସର ଥିମରେ ଏକତା, ଦେଶପ୍ରେମ, ସାମାଜିକ ପ୍ରଗତି ଏବଂ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଉପରେ ଗୁରୁତ୍ୱ ଦେଇଥାନ୍ତି। ଚଳିତ ବର୍ଷର ଥିମ ମଧ୍ୟ ସମାନ ଭାବନା ଆଧାରରେ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି।