ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଟେଷ୍ଟ ଦଳରୁ ରିଲିଜ୍ କରାଯାଇଛି । ନଭେମ୍ବର ୧୪ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପାଇଁ ଦଳର ସଦସ୍ୟ ରହିବେ ନାହିଁ । ବିସିସିଆଇ ବୁଧବାର କହିଛି ଯେ ନୀତୀଶ କୁମାର ରେଡ୍ଡୀଙ୍କୁ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତ ଏ ଦଳରେ ସାମିଲ କରାଯାଇଛି ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାରଠାରୁ ଇଡେନ୍ ଗାର୍ଡେନରେ ଖେଳାଯିବ । ବିସିସିଆଇ ଏହି ମ୍ୟାଚ୍ ପୂର୍ବରୁ ନୀତୀଶଙ୍କୁ ମୁକ୍ତ କରି ୧୩-୧୯ ନଭେମ୍ବର ପର୍ଯ୍ୟନ୍ତ ରାଜକୋଟରେ ଦକ୍ଷିଣ ଆଫ୍ରିକା-ଏ ଦଳ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରିଛି । ତିଲକ ବର୍ମା ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଦଳର ନେତୃତ୍ୱ ନେବେ । ବିସିସିଆଇ କହିଛି ଯେ ଦିନିକିଆ ସିରିଜ ଶେଷ ହେବା ପରେ ରେଡ୍ଡୀ ଦ୍ୱିତୀୟ ଟେଷ୍ଟ ପାଇଁ ଦଳକୁ ଫେରିବେ । ଦ୍ୱିତୀୟ ମ୍ୟାଚ୍ ୨୨ ନଭେମ୍ବରରୁ ଗୌହାଟୀରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ୱିକେଟ କିପର ବ୍ୟାଟର ଧ୍ରୁବ ଜୁରେଲ୍ ଖେଳିବେ । ଦଳର ସହାୟକ କୋଚ୍ ରିଆନ୍ ଟେନ୍ ଡୋଇସଚେଟ୍ ବୁଧବାର ସୂଚନା ଦେଇଛନ୍ତି । ସେ କହିଥିଲେ, "କମ୍ୱିନେସନକୁ ନେଇ ଆମର ଏକ ସ୍ପଷ୍ଟ ରଣନୀତି ଅଛି । ଧ୍ରୁବ ଗତ ଛଅ ମାସ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ନିକଟରେ ସେ ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଦୁଇଟି ଶତକ ହାସଲ କରିଛନ୍ତି, ତେଣୁ ସେ ନିଶ୍ଚିତ ଭାବରେ ଏହି ସପ୍ତାହରେ ଖେଳିବେ ।"

ଭାରତୀୟ ସ୍କ୍ୱାର୍ଡ: ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ-ଅଧିନାୟକ ତଥା ୱିକେଟ୍ ରକ୍ଷକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରା, ଆକାଶ ଦୀପ ।