ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ ହେଲା ନୂଆ ଆୟକର ବିଧେୟକ, ୨୦୨୬ ଏପ୍ରିଲ୍ ୧ରୁ ସାରା ଦେଶରେ ହେବ ଲାଗୁ

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟକର ବିଧେୟକ ୨୦୨୫କୁ ମଞ୍ଜୁରି ଦେଇଛନ୍ତି । ନୂଆ ଆଇନ ଏବେ ପୁରୁଣା ଆୟକର ଅଧିନିୟମ ୧୯୬୧ର ସ୍ଥାନ ନେବ । ଆୟକର ଅଧିନିୟମ ୨୦୨୫, ଆସନ୍ତା ଆର୍ଥିକ ବର୍ଷ ୨୦୨୬ ଏପ୍ରିଲ୍ ୧ରୁ ସାରା ଦେଶରେ ଲାଗୁ ହେବ । ନୂଆ ଅଧିନିୟମ ପୁରୁଣା ଆଇନକୁ ସରଳ କରିବ । ଆଇନରେ ଶବ୍ଦଗୁଡ଼ିକୁ ସରଳ କରିବା ସହ ସଂଖ୍ୟା ହ୍ରାସ କରାଯାଇଛି । ଫଳରେ ସାଧାରଣ ଟିକସଦାତଙ୍କ ପାଇଁ ଏହି ଆଇନ ବୁଝିବା ସହଜ ହେବ ।

ଆୟକର ବିଭାଗ ଏକ୍ସରେ ଲେଖିଛି, ଆୟକ ଅଧିନିୟମ ୨୦୨୫କୁ ଅଗଷ୍ଟ ୨୧ରେ ମାନନୀୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଛି । ଏହା ୧୯୬୧ର ଅଧିନିୟମର ସ୍ଥାନ ନେବାକୁ ଥିବା ଐତିହାସିକ ସଂସ୍କାର ଅଟେ, ଯାହା ଏକ ସରଳ, ପାରଦର୍ଶୀ ଓ ଅନୁପାଳନ-ଅନୁକୂଳ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାକୁ ଆରମ୍ଭ କରିବ । 

ଆୟକର ବିଧେୟକ ୨୦୨୫, ଅଗଷ୍ଟ ୧୨ରେ ସଂସଦରେ ଗୃହୀତ ହୋଇଥିଲା । ନୂଆ ଅଧିନିୟମ କୌଣସି ନୂଆ ଟିକସ ବ୍ୟବସ୍ଥା ଲାଗୁ କରୁ ନାହିଁ, ବରଂ କେବଳ ଭାଷାକୁ ସରଳ କରୁଛି, ଯାହା ଜଟିଳ ଆଇନକୁ ବୁଝିବା ପାଇଁ ଆବଶ୍ୟକ ଥିଲା । ନୂଆ ଆଇନ ଆବଶ୍ୟକ ନଥିବା ପ୍ରାବଧାନ ଓ ପୁରୁଣା ଭାଷାକୁ ହଟାଉଛି । ଏହାସହ ଆୟକ ଅଧିନିୟମ ୧୯୬୧ରେ ଥିବା ଧାରା ସଂଖ୍ୟା ୮୧୯କୁ ହ୍ରାସ କରି ୫୩୬ କରୁଛି । ସେହିପରି ଅଧ୍ୟାୟ ସଂଖ୍ୟାକୁ ୪୭ରୁ ହ୍ରାସ କରି ୨୩ କରାଯାଇଛି ।

ନୂଆ ଆୟକର ଆଇନରେ ଶବ୍ଦ ସଂଖ୍ୟା ୫.୧୨ ଲକ୍ଷରୁ ହ୍ରାସ କରି ୨.୬ ଲକ୍ଷ କରାଯାଇଛି । ପ୍ରଥମ ଥର ପାଇଁ ଏଥିରେ ସ୍ପଷ୍ଟତା ଆଣିବା ପାଇଁ ୧୯୬୧ର ଆଇନର ଜଟିଳ ପାଠ ସ୍ଥାନରେ ୩୯ ନୂଆ ସାରଣୀ ଓ ୪୦ ନୂଆ ସୂତ୍ର ସାମିଲ କରାଯାଇଛି । ନୂଆ ଆୟକର ଆଇନରେ ଟିଡିଏସ, ଛାଡ଼ ଓ ଅନ୍ୟ ଜଟିଳ ଅନୁପାଳନକୁ ସୁବ୍ୟବସ୍ଥିତ କରିବ କଥା କୁହାଯାଇଛି । ଏହି ଆଇନ ବିଳମ୍ୱରେ ଦାଖଲ କରାଯାଇଥିବା ଆୟକର ଦାଖଲ ମାମଲାରେ ବି ବିନା କୌଣସି ଦଣ୍ଡରେ ରିଫଣ୍ଡ ଦାବିକୁ ଅନୁମତି ଦେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.