ପାକିସ୍ତାନକୁ ଋଣ ମଞ୍ଜୁର କରିବା ପରେ ଚିନ୍ତାରେ IMF, ଲଗାଇଲେ ୧୧ଟି ସର୍ତ୍ତ, ଜାଣନ୍ତୁ କ’ଣ?

Published By : Prameya-News7 Bureau | May 18, 2025 IST

ଇସ୍ଲାମାବାଦ ୧୮।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନକୁ ଋଣ ମଞ୍ଜୁର କରିବା ପରେ ଚିନ୍ତାରେ ପଡି ଯାଇଛି। ଋଣ ବୁଡିଯିବାର ଆଶଙ୍କା ଥିବାରୁ ଆଇଏମଏଫ ପାକିସ୍ତାନ ଲାଗି ତାଙ୍କର ସହାୟତା କାର୍ଯ୍ୟକ୍ରମର ଆଗାମୀ କିସ୍ତି ଜାରି କରିବା ପୂର୍ବରୁ ୧୧ଟି ନୂଆ ସର୍ତ୍ତ ଲାଗୁ କରିଛନ୍ତି। ଏହା ଛଡା ଭାରତ ସହ ଉତ୍ତେଜନା ଆର୍ଥିକ କାର୍ଯ୍ୟକ୍ରମ ନିମନ୍ତେ ବଡ଼ ବିପଦ ବୋଲି କହି ଚେତାବନୀ ମଧ୍ୟ ଦେଇଛି। ଏହି ସୂଚନା ରବିବାର ଗଣ ମାଧ୍ୟମ ରିପୋର୍ଟରୁ ଜଣାପଡିଛି। 

‘ଏକ୍ସପ୍ରେସ୍ ଟ୍ରିବ୍ୟୁନ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଇଏମଏଫ ଦ୍ୱାରା ଜାରି ଷ୍ଟାଫ ଲେବୁଲ ରିପୋର୍ଟରେ ନିମ୍ନ ଲିଖିତ ସର୍ତ୍ତ ସବୁ ରଖାଯାଇଛି। ଏଥିରେ ପ୍ରଥମ ସର୍ତ୍ତ ରହିଛି ବଜେଟକୁ ସଂସଦର ମଞ୍ଜୁରୀ। ଏହି ସର୍ତ୍ତ ଅନୁସାରେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ସଂଘୀୟ ବଜେଟକୁ ସଂସଦରେ ଗୃହୀତ କରିବା ବାଧ୍ୟତାମୂଳକ। ସେହିପରି ଦ୍ୱିତୀୟ ସର୍ତ୍ତରେ ବିଦ୍ୟୁତ ବିଲ୍ ଉପରେ ସରଚାର୍ଜ ବୃଦ୍ଧି କରିବାକୁ କୁହାଯାଇଥିବା ବେଳେ ତୃତୀୟ ସର୍ତ୍ତରେ ପୁରୁଣା କାର ଆମଦାନୀ ଉପରୁ ଶୁଳ୍କ ହ୍ରାସ କରିବାକୁ କୁହାଯାଇଛି। ସେହିପରି ୪ଟି ସଂଘୀୟ ୟୁନିଟ ଦ୍ୱାରା ନୂଆ କୃଷି ଆୟକର ଆଇନ ଲାଗୁ କରିବା, ଯାହାଦ୍ୱାରା କରଦାତାଙ୍କ ଚିହ୍ନଟ, ରିଟର୍ଣ୍ଣ ପ୍ରୋସେସିଂ ଅନୁପାଳନ  ଓ ସୁଧାର ସଞ୍ଚାର ଅଭିଯାନ ମଧ୍ୟ ରହିଛି। 

ଆଇଏମଏଫ ସୁପାରିଶ ଆଧାରରେ ସଞ୍ଚାଳନ ସୁଧାରର ଆକ୍ସନ ପ୍ଲାନ ପ୍ରକାଶିତ କରିବା। ୨୦୨୭ ପରେ ଆର୍ଥିକ କ୍ଷେତ୍ରର ରଣନୀତି ପ୍ରସ୍ତୁତ କରି ଏହାକୁ ସାର୍ବଜନିକ କରିବା। ଆଇଏମଏଫ ତାଙ୍କ ରିପୋର୍ଟରେ ଏହା ବି ଚେତାଇଛନ୍ତି ଯେ ଭାରତ-ପାକ୍ ଉତ୍ତେଜନାମୂଳକ ସ୍ଥିତିରେ ବିଶେଷ କରି ବର୍ତ୍ତମାନର ସୈନ୍ୟ ଗତିବିଦ୍ଧି ଦୃଷ୍ଟିରୁ ପାକିସ୍ତାନର ରାଜକୋଷ ସ୍ଥିତି ଓ ଆର୍ଥିକ ସୁଧାର କାର୍ଯ୍ୟକ୍ରମ ସିଧା ପ୍ରଭାବିତ ହୋଇ ପାରେ। ଆଇଏମଏଫ ରିପୋର୍ଟ ଅନୁସାରେ ପାକିସ୍ତାନର ଆଗାମୀ ପ୍ରତିରକ୍ଷା ବଜେଟ ପିଛିଲା ବର୍ଷ ତୁଳନାରେ ୧୨% ଅଧିକ ହୋଇପାରେ। 

ତେବେ ଏହି ପ୍ରତିରକ୍ଷା ବାବଦ ବ୍ୟୟ ଆଇଏମଏଫଙ୍କ ରାଜକୋଷୀୟ ସନ୍ତୁଳନ ଲକ୍ଷ୍ୟର ବିପରୀତ ଦିଗରେ ଯାଉଛି। ଏବେର ୧୧ଟି ସର୍ତ୍ତ ସହିତ ଆଇଏମଏଫ ଋଣ ଦେବା ପାଇଁ ପାକିସ୍ତାନ ଉପରେ ଅନୁନ୍ୟ ୫୦ଟି ସର୍ତ୍ତ ଲଦିଲେଣି। ଏହି ସର୍ତ୍ତ କେବଳ ଆର୍ଥିକ ସନ୍ତୁଳନ ନୁହେଁ ସଂସ୍ଥାଗତ ପାରଦର୍ଶିତା ଓ ଶାସନ ସଂସ୍କାର ଦିଗରେ ମଧ୍ୟ ଗହନ ହସ୍ତକ୍ଷେପ ବୋଲି ବିଚାର କରାଯାଉଛି। ଏଣୁ ପାକିସ୍ତାନକୁ ନା କେବଳ ଆଇଏମଏଫଙ୍କ ସର୍ତ୍ତ ପୂରଣ କରିବାକୁ ପଡିବ ବରଂ କ୍ଷେତ୍ରିୟ ଉତ୍ତେଜନାକୁ ଶାନ୍ତ କରି ଆର୍ଥିକ ସ୍ଥିରତା ଲକ୍ଷ୍ୟ ହାସଲ କରିବାକୁ ପଡିବ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.