CJIଙ୍କ ପାଇଁ ପ୍ରୋଟୋକଲ କ’ଣ? ମହାରାଷ୍ଟ୍ର ଗସ୍ତରେ ଯାଇ କାହିଁକି ରାଗିଗଲେ ଗବାଇ?

Published By : Prameya-News7 Bureau | May 19, 2025 IST

ନୂଆଦିଲ୍ଲୀ ୧୯/୦୫: ସୁପ୍ରିମକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି (CJI) ବି.ଆର. ଗବାଇ ଏବେ ଚର୍ଚ୍ଚାରେ। ରବିବାର ତାଙ୍କ ମହାରାଷ୍ଟ୍ର ଗସ୍ତ ସମୟରେ ପ୍ରୋଟୋକଲ ପାଳନ ନକରିବା ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ମୁମ୍ବାଇରେ ପହଞ୍ଚିଲେ, ମହାରାଷ୍ଟ୍ର ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ମୁମ୍ବାଇ ପୋଲିସ କମିଶନରଙ୍କ ଭଳି ବରିଷ୍ଠ ଅଧିକାରୀମାନେ ତାଙ୍କୁ ଗ୍ରହଣ କରିବାକୁ ଉପସ୍ଥିତ ନଥିଲେ । 

ତଥାପି, ସିଜେଆଇଙ୍କ ମନ୍ତବ୍ୟର କିଛି ଘଣ୍ଟା ପରେ, ଅନ୍ୟ ଏକ କାର୍ଯ୍ୟକ୍ରମରେ ତିନି ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ଏବଂ ଗୋଆ ବାର କାଉନସିଲ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ଏକ ସମ୍ମାନିତ ଉତ୍ସବରେ ସିଜେଆଇ ଗବାଇ କହିଥିଲେ, ଗଣତନ୍ତ୍ରର ତିନି ସ୍ତମ୍ଭ, ନ୍ୟାୟପାଳିକା, ବିଧାନସଭା ଏବଂ କାର୍ଯ୍ୟପାଳିକା ମଧ୍ୟରେ ପାରସ୍ପରିକ ସମ୍ମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସିଜେଆଇ ଗବାଇ କହିଛନ୍ତି, ଯେତେବେଳେ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦେଶର ମୁଖ୍ୟ ବିଚାରପତି ହୁଅନ୍ତି । ପ୍ରଥମ ଥର ପାଇଁ ମହାରାଷ୍ଟ୍ର ଆସନ୍ତି । ସେହି ସମୟରେ ଯଦି ମହାରାଷ୍ଟ୍ରର ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ କିମ୍ବା ମୁମ୍ବାଇ ପୋଲିସ କମିଶନର ତାଙ୍କୁ ଉପସ୍ଥିତ ରହିବାକୁ ଉପଯୁକ୍ତ ମନେ କରନ୍ତି ନାହିଁ । ତେବେ ସେମାନେ ଏହା ଉପରେ ବିଚାର କରିବା ଉଚିତ।

ସେ କହିଥିଲେ ଯେ ପ୍ରୋଟୋକଲ କେବଳ ଏକ ଔପଚାରିକତା ନୁହେଁ ବରଂ ଏହା ସାମ୍ବିଧାନିକ ସଂସ୍ଥାଗୁଡ଼ିକ ମଧ୍ୟରେ ସମ୍ମାନର ପ୍ରତୀକ । ସିଜେଆଇ କହିଛନ୍ତି, ପ୍ରୋଟୋକଲ କିଛି ନୂଆ ନୁହେଁ। ଏହା ଗୋଟିଏ ସାମ୍ବିଧାନିକ ସଂସ୍ଥା ଦ୍ୱାରା ଅନ୍ୟ ଏକ ସଂସ୍ଥାକୁ ଦିଆଯାଇଥିବା ସମ୍ମାନର ପ୍ରଶ୍ନ। ସିଜେଆଇ ଗବାଇ କହିଛନ୍ତି, ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତ କରିବା ସମୟରେ ଏକ ସାମ୍ବିଧାନିକ ପ୍ରତିଷ୍ଠାନର ମୁଖ୍ୟଙ୍କ ସହିତ କିପରି ବ୍ୟବହାର କରାଯାଏ ତାହା ପୁନଃବିଚାର କରାଯିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.