News7 Logo

ଦୁର୍ଘଟଣାରେ ପିଲା ଦିବ୍ୟାଙ୍ଗ ହେଲେ କୁଶଳୀ ଶ୍ରମିକଙ୍କ ନ୍ୟୁନତମ ମଜୁରି ହିସାବରେ ଦିଆଯିବ କ୍ଷତିପୂରଣ

NEWS7
gfx

ନୂଆଦିଲ୍ଲୀ ୮।୯: ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଏକ ମୋଟର ଏକ୍ସିଡେଣ୍ଟ କ୍ଲେମ ମାମଲାରେ ସୋମବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁର୍ଘଟଣାରେ ପିଲାର ମୃତ୍ୟୁ ଅଥବା ସ୍ଥାୟୀ ରୂପେ ଦିବ୍ୟାଙ୍ଗତା କ୍ଷେତ୍ରରେ ତାକୁ ଜଣେ କୂଶଳ ଶ୍ରମିକ ମାନି କ୍ଷତିପୂରଣର ଆକଳନ କରାଯିବ। ରାଜ୍ୟରେ ଦୁର୍ଘଟଣା ସମୟରେ କୁଶଳ ଶ୍ରମିକର ଯାହା ସର୍ବନିମ୍ନ ବେତନ ଥିବ ତାକୁ ହିଁ ପିଲାର ଆୟ ମାନି କ୍ଷତିପୂରଣ ଆକଳନ ହେବ। ଏଣୁ ଦାବିଦାର ବ୍ୟକ୍ତିକୁ ନ୍ୟାୟାଧିକରଣରେ ନ୍ୟୁନତମ ବେତନ ସମ୍ପର୍କିତ କାଗଜପତ୍ର ଜମା କରିବେ।

ସୁପ୍ରିମକୋର୍ଟ କହିଛନ୍ତି ଯେ ‘ଯଦି ପିଲା  କାଗଜପତ୍ର ଦାଖଲ କରି ନପାରେ ତେବେ କାଗଜପତ୍ର ଜମା କରିବା ବୀମା କମ୍ପାନୀର ଦାୟିତ୍ୱ ହେବ। କୋର୍ଟ ତାଙ୍କ ରାୟର କପିକୁ ଦେଶର ସବୁ ମୋଟର ଆକ୍ସିଡେଣ୍ଟ କ୍ଲେମ ଟ୍ରିବ୍ୟୁନାଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ନିର୍ଦ୍ଦେଶର କଡ଼ାକଡ଼ି ପାଳନ ସୁନିଶ୍ଚିତ ହୋଇ ପାରିବ’ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଆଦେଶରେ ରହିଛି କ’ଣ?
ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦୁର୍ଘଟଣାରେ ପିଲାଙ୍କ ମୃତ୍ୟୁ ଅଥବା ସ୍ଥାୟୀ ଦିବ୍ୟାଙ୍ଗତା କ୍ଷେତ୍ରରେ କ୍ଷତିପୂରଣ ଆକଳନ ନୋସନ ଇନକମ୍ (କାଳ୍ପନିକ ଆୟ, ବର୍ତ୍ତମାନ ହାରରେ ବାର୍ଷିକ ୩୦ ହଜାର ଟଙ୍କା) ହିସାବରେ କରାଯାଉଛି। ହେଲେ ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି କ୍ଷତିପୂରଣ କୁଶଳୀ ଶ୍ରମିକଙ୍କ ନ୍ୟୁନତମ ବେତନ ହିସାବରେ ମିଳିବ। ବର୍ତ୍ତମାନ ମଧ୍ୟପ୍ରଦେଶରେ କୁଶଳ ଶ୍ରମିକଙ୍କ ସର୍ବନିମ୍ନ ମାସିକ ଆୟ ୧୪,୮୪୪ ଟଙ୍କା। ଅର୍ଥାତ ଦୈନିକ ୪୯୫ ଟଙ୍କା ହାରରେ ନିର୍ଦ୍ଧାରିତ ହେବ।

ଜାଣନ୍ତୁ କିପରି ସୁପ୍ରିମକୋର୍ଟକୁ ପହଞ୍ଚିଲା ମାମଲା
୧୪ ଅକ୍ଟୋବର ୨୦୧୨ରେ ଇନ୍ଦୋର ନିବାସୀ ୮ବର୍ଷ ବୟଷ୍କ ହିତେଶ ପଟେଲ ପିତାଙ୍କ ସହିତ ସଡକରେ ଛିଡା ହୋଇଥିଲେ। ସେତିକି ବେଳେ ଏକ ବାହନ ହିତେଶକୁ ଧକ୍କା ଦେଇଥିଲା। ଏଥିରେ ହିତେଶର ଜୀବନ ବଞ୍ଚି ଯାଇଥିଲେ ବି ସେ ଗୁରୁତର ଆହତ ହୋଇଥିଲା। ଏହା ଦ୍ୱାରା ସେ ସ୍ଥାୟୀ ଦିବ୍ୟାଙ୍ଗତାର ଶିକାର ହୋଇଥିବା ବେଳେ ମୋଟର ଆକ୍ସିଡେଣ୍ଟ କ୍ଲେମସ୍ ଟ୍ରିବ୍ୟୁନାଲରେ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ଉପସ୍ଥାପନା କରିଥିଲେ।

ଏହି ଦୁର୍ଘଟଣା ଯୋଗୁ ହିତେଶର ୩୦% ଦିବ୍ୟାଙ୍ଗତା ଆସିଥିବାରୁ ତାକୁ କ୍ଷତିପୂରଣ ବାବଦେ ୩ଲକ୍ଷ ୯୦ ହଜାର ଟଙ୍କା ଦେବାକୁ ଟ୍ରିବ୍ୟୁନାଲ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହିତେଶଙ୍କ ପରିବାର ଟ୍ରିବ୍ୟୁନାଲଙ୍କ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ହାଇକୋର୍ଟ  ଯେହେତୁ ହିତେଶ ମାତ୍ର ୮ ବର୍ଷର ଏଣୁ ତାଙ୍କ କ୍ଷତିପୂରଣ ରାଶିକୁ ବଢାଇ ୮ଲକ୍ଷ ୬୫ ହଜାର କରିଦେଇଥିଲେ। ଏଥିରେ ଏବେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହାର ପ୍ରଭାବ ଏବେ ପୂରା ଦେଶରେ ଚାଲିଥିବା କ୍ଲେମ କେସ୍ ଉପରେ ପଡିବ। ସୁପ୍ରିମକୋର୍ଟ ହିତେଶର କ୍ଷତିପୂରଣ ରାଶିକୁ ୩୫ଲକ୍ଷ ୯୦ ହଜାର କରିଦେଇଛନ୍ତି। ଯାହା ହିତେଶ ଓ ତା ପରିବାରକୁ ଆଶ୍ୱସ୍ଥ କରିଛି।