ନୂଆଦିଲ୍ଲୀ, ୨୮/୧୧: ବିକାଶଶୀଳ ଏବଂ ଗରିବ ଦେଶ ଉପରେ ଟ୍ରମ୍ପ୍ ଖପ୍ପା । ଆମେରିକା ନ ଆସିବାକୁ ଦେଲେ ଚେତାବନୀ । ତାଙ୍କ ସରକାର ସମସ୍ତ ବିକାଶଶୀଳ ତଥା ଥାର୍ଡ ଓ୍ୱାର୍ଲଡ୍ କଣ୍ଟ୍ରିରୁ ଆମେରିକା ଆସୁଥିବା ପ୍ରବାସୀଙ୍କ ଉପରେ ରୋକ୍ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏସବୁ ଦେଶରୁ ଆମେରିକାକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇବାକୁ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି ।

ହ୍ୱାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ ପରେ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଆଫଗାନ ନାଗରିକ ୟୁଏସ ଜାତୀୟ ସୁରକ୍ଷା ବାହିନୀ ଉପରେ ଗୁଳିମାଡ କରିଥିଲେ । ଏଥିରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ଘଟଣା ପରେ ଟ୍ରମ୍ପ ସରକାର ଆଫଗାନିସ୍ତାନ ସମେତ ୧୯ଟି ଦେଶର ବାସିନ୍ଦାଙ୍କୁ ଦିଆଯାଇଥିବା ଗ୍ରୀନକାର୍ଡର ସମୀକ୍ଷା ପାଇଁ କହିଛନ୍ତି ।

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ, ସେ ଥାର୍ଡ ଓ୍ୱାର୍ଲଡ ଦେଶ ବା ବିକାଶଶୀଳ ଦେଶରୁ ଆମେରିକା ଆସୁଥିବା ସମସ୍ତ ପ୍ରବାସୀଙ୍କ ପ୍ରବେଶ ଉପରେ ରୋକ ଲଗାଇବେ । ସ୍ଥାୟୀ ଭାବେ ଏସବୁ ଉପରେ ପ୍ରତିବନ୍ଧକ ଲାଗିବ । ଏହାଦ୍ୱାରା ଆମେରିକା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ । ବାଇଡେନଙ୍କ ସମୟରେ ହୋଇଥିବା ଅନୈତିକ ପ୍ରବେଶକୁ ଶେଷ କରାଯିବ ।

ସେ ଆହୁରି କହିଛନ୍ତି ଯେ, ଆମେରିକା ପାଇଁ ଅଦରକାରୀ ଏବଂ ଆମେରିକାକୁ ଭଲ ପାଉନଥିବା ବ୍ୟକ୍ତିଙ୍କୁ ଦେଶରୁ ବିତାଡିତ କରାଯିବ । ପ୍ରବାସୀ ନାଗରିକଙ୍କୁ ମିଳୁଥିବା ଲାଭ ଏବଂ ସବସିଡିକୁ ସମାପ୍ତ କରାଯିବ । ୟୁଏସର ଶାନ୍ତି ଉପରେ ବିପଦ ସୃଷ୍ଟି କରୁଥିବା ପ୍ରବାସୀଙ୍କ ନାଗରିକତାକୁ ରବ୍ଦ କରାଯିବ ।

ସୂଚନାଯୋଗ୍ୟ, ବିଭିନ୍ନ କ୍ଷୁଦ୍ର ଦେଶରୁ ଅନେକ ବ୍ୟକ୍ତି ଆମେରିକା ଭିସାରେ ଆସି ଏଠାରେ ରହୁଛନ୍ତି । ସେମାନେ ନିଜ ଦେଶକୁ ଫେରୁ ନାହାଁନ୍ତି । ୟୁଏସର ଅସ୍ଥିରତା ପାଇଁ ଏପରି ବ୍ୟକ୍ତିଙ୍କୁ ଦାୟୀ କରାଯାଏ ।