ହୁରୁନ ବିଶ୍ୱ ଧନୀ ତାଲିକା ଜାରି: ଭାରତରେ ଅମ୍ବାନୀ, ବିଶ୍ୱରେ ମସ୍କ ନମ୍ବର-୧, ଶୀର୍ଷ ୧୦ରେ ରୋଶନୀ ନାଦର

Published By : Prameya-News7 Bureau | March 27, 2025 IST

internet

ନୂଆଦିଲ୍ଲୀ: ହୁରୁନ ବିଶ୍ୱ ଧନୀ ତାଲିକା ଜାରି ହୋଇଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାରତର ନମ୍ବର ୱାନ୍ ଧନୀ ହେବାର ନିଜ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ। ସେ ଭାରତର ସବୁଠାରୁ ବଡ଼ ସମ୍ପତ୍ତି ଅର୍ଜନକାରୀ(ୱେଲ୍ଥ ଗେନର)। ତାଙ୍କର ସମ୍ପତ୍ତି ୧୩% (୧ ଲକ୍ଷ କୋଟି ଟଙ୍କା) ବୃଦ୍ଧି ପାଇଛି।

ସେହିପରି HCLର ରୋଶନି ନାଦର ଭାରତର ଧନୀ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଭାରତର ଶ୍ରେଷ୍ଠ ୧୦ ଜଣ ଧନୀ ଲୋକଙ୍କ ମଧ୍ୟରେ ଏକମାତ୍ର ମହିଳା ଭାବେ  ସ୍ଥାନ ପାଇଛନ୍ତି ରୋଶନୀ। ନିକଟରେ HCL ପ୍ରତିଷ୍ଠାତା ଶିବ ନାଦର କମ୍ପାନୀର ୪୭% ଶେୟାର ତାଙ୍କ ଝିଅ ରୋଶନିଙ୍କୁ ହସ୍ତାନ୍ତର କରିବା ପରେ ରୋଶନୀ ପ୍ରଥମ ଥର ପାଇଁ ଧନୀ ବ୍ୟକ୍ତିଙ୍କ ଶ୍ରେଷ୍ଠ ଦଶ ତାଲିକାରେ ସାମିଲ ହୋଇଛନ୍ତି।

ପଢନ୍ତୁ- ଭୁବନେଶ୍ୱରରେ ଘର କିଣିବା ମହଙ୍ଗା: ଲକ୍ଷ ନୁହେଁ କୋଟିର ବେପାର

ଏଲନ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ଭାରତରେ ଅମ୍ବାନୀଙ୍କକ ପରି ସାରା ବିଶ୍ୱରେ ଏଲନ ମସ୍କ ଧନୀ ତାଲିକାରେ ପ୍ରଥମ ସ୍ଥାନ ବଜାଇ ରଖିଛନ୍ତି।  ଟେସଲା ଏବଂ ସ୍ପେସଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବେ ତାଙ୍କ ସ୍ଥାନର କାଏମ ରହିଛନ୍ତି। ଡୋନାଲ୍ଡ ଟ୍ରମ୍ପ ପୁନଃନିର୍ବାଚିତ ହେବା ପରଠାରୁ ମସ୍କଙ୍କ ସମ୍ପତ୍ତିରେ ୮୨% (୧୮୯ ବିଲିୟନ ଡଲାର) ବୃଦ୍ଧି ପାଇଛି। ମସ୍କଙ୍କ ପରେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ହୁରୁନ୍ ଧନୀ ତାଲିକା ୨୦୨୫

ମୋଟ ଆରବପତି- ବିଶ୍ୱରେ ବର୍ତ୍ତମାନ ମୋଟ  ୩,୪୫୬ ଜଣ ବିଲିୟନିୟର ଅଛନ୍ତି। ୨୦୨୪ ଏହି ସଂଖ୍ୟା ୩,୨୭୯ ରହିଥିଲା। ତେବେ ୨୦୨୫ରେ ଆରବପତିଙ୍କ ତାଲିକାରେ ୩ ପ୍ରତିଶତ ବୃଦ୍ଧି ସହ ଆଉ ୧୭୭ ଜଣ ଯୋଡ଼ି ହୋଇଛନ୍ତି।

ଭାରତରେ ଆରବପତି- ଭାରତରେ ମଧ୍ୟ ଆରବପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ମୋଟ ଆରବପତିଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୨୭୧ ଥିଲା। ଭାରତୀୟ ଆରବପତିଙ୍କର ମୋଟ ସମ୍ପତ୍ତି ୯୮ ଲକ୍ଷ କୋଟି ଟଙ୍କା।

ୱର୍ଲ୍ଡ ସିଟି ରେଟିଂ- ନ୍ୟୁୟର୍କ ହେଉଛି ବିଶ୍ୱର ବିଲେନିୟର ରାଜଧାନୀ। ଏଠାରେ ୧୨୯ ଜଣ ବିଲେନିୟର ଅଛନ୍ତି। ୯୭ ଜଣ ବିଲେନିୟର ସହିତ ଲଣ୍ଡନ ଦ୍ୱିତୀୟ ସ୍ଥାନରେ ଅଛି। 

ଏସିଆ ସିଟି ରେଙ୍କିଙ୍ଗ୍‌- :  ଚୀନର ସାଂଘାଇ ଏସିଆର ବିଲେନିୟରଙ୍କ ରାଜଧାନୀ ହୋଇଛି। ଏହି ସହରରେ  ମୋଟ ୯୨ ଜଣ ବିଲେନିୟର ରହୁଛନ୍ତି। ଫଳରେ ମୁମ୍ବାଇ ଠାରୁ ଏହି ପରିଚୟ ଚାଲିଯାଇଛି। କାରଣ ମୁମ୍ବାଇରେ ବର୍ତ୍ତମାନ ୯୦ ଜଣ ବିଲେନିୟର ରହୁଛନ୍ତି।

ଯୁବ ବିଲେନିୟର- ସବୁଠାରୁ କମ ବୟସ୍କ ସେଲ୍‌ଫ ମେଡ୍‌ ବିଲେନିୟର ହେଉଛନ୍ତି ବୋଲ୍ଟ କମ୍ପାନୀର ସହ ସଂସ୍ଥାପକ ରିଆନ ବ୍ରେସ୍ଲୋ (୨୯)। ରିଆନଙ୍କ ସମ୍ପତ୍ତି ୧.୪ ବିଲିୟନ ଡଲାର।  


ବିଲେନିୟରଙ୍କ ତାଲିକାରେ ଭାରତ ବିଶ୍ୱରେ ତୃତୀୟ

ଭାରତ ଏବେ ବିଶ୍ୱର ସର୍ବବୃହତ କୋଟିପତିଙ୍କ ସଂଖ୍ୟାରେ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛି। ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୫ ଅନୁସାରେ ଭାରତରେ ୨୮୪ ଜଣ ଆରବପତି ରହିଛନ୍ତି। ଗତ ବର୍ଷ ତୁଳନାରେ ୧ ଟ୍ରିଲିୟନ ଟଙ୍କା ହ୍ରାସ ସତ୍ତ୍ୱେ ମୁକେଶ ଅମ୍ବାନୀ ୮.୬ ଟ୍ରିଲିୟନ ଟଙ୍କା ସମ୍ପତ୍ତି ସହିତ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇ ରହିଛନ୍ତି। ସେ ଗୌତମ ଆଦାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ଆଦାନୀଙ୍କ ସମ୍ପତ୍ତି ୧୩ % ବୃଦ୍ଧି ସହ ବର୍ତ୍ତମାନ ୮.୪ ଟ୍ରିଲିୟନ ଟଙ୍କା ରହିଛି। 

ଏହି ବର୍ଷ ଭାରତରେ ୧୩ ଜଣ ନୂଆ କୋଟିପତି ଯୋଡି ହୋଇଛନ୍ତି। ଫଳରେ  ମୋଟ ସଂଖ୍ୟା ୨୮୪ ରେ ପହଞ୍ଚି ଥିବା ବେଳେ ଭାରତୀୟ ଆରବପତିଙ୍କ ମିଳିତ ସମ୍ପତ୍ତି ୯୮ ଟ୍ରିଲିୟନ ଟଙ୍କା ହୋଇଛି, ଯାହା ଭାରତର ଜିଡିପିର ପ୍ରାୟ ଏକ ତୃତୀୟାଂଶ ଏବଂ ସାଉଦି ଆରବର ସମଗ୍ର ଜିଡିପି ଠାରୁ ଅଧିକ। ଏହି ୨୮୪ ଜଣଙ୍କ ମଧ୍ୟରୁ ୧୭୫ ଜଣଙ୍କର ସମ୍ପତ୍ତି ବୃଦ୍ଧି ପାଇଥିବା ବେଳେ ୧୦୯ ଜଣଙ୍କର ସମ୍ପତ୍ତି ହ୍ରାସ ପାଇଛି କିମ୍ବା ସ୍ଥିର ରହିଛି।

ଭାରତୀୟଙ୍କ ସମ୍ପତ୍ତି-

ମୁକେଶ ଅମ୍ବାନୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ - ୮.୬ ଟ୍ରିଲିୟନ ଟଙ୍କା

ଗୌତମ ଆଦାନୀ, ଆଦାନୀ ଗ୍ରୁପ୍ - ୮.୪ ଟ୍ରିଲିୟନ ଟଙ୍କା

ରୋଶନି ନାଦର, ଏଚ୍‌ସିଏଲ୍ - ୩.୫ ଟ୍ରିଲିୟନ ଟଙ୍କା

ଦିଲୀପ ସାଂଘଭି, ସନ୍ ଫାର୍ମା - ୨.୫ ଟ୍ରିଲିୟନ ଟଙ୍କା

ଅଜିମ୍ ପ୍ରେମଜୀ, ୱିପ୍ରୋ - ୨.୨ ଟ୍ରିଲିୟନ ଟଙ୍କା

କୁମାର ମଙ୍ଗଳମ୍ ବିର୍ଲା, ଆଦିତ୍ୟ ବିର୍ଲା ଗ୍ରୁପ୍ - ୨ ଟ୍ରିଲିୟନ ଟଙ୍କା

ସାଇରସ୍ ପୁନାୱାଲା, ସେରମ୍ ଇନଷ୍ଟିଚ୍ୟୁଟ୍ - ୨ ଟ୍ରିଲିୟନ ଟଙ୍କା
ନୀରଜ ବଜାଜ, ବଜାଜ ଅଟୋ - ୧.୬ ଟ୍ରିଲିୟନ ଟଙ୍କା

ରବି ଜୟପୁରିଆ, ଆରଜେ କର୍ପ - ୧.୪ ଟ୍ରିଲିୟନ ଟଙ୍କା

ରାଧାକୀଶନ୍ ଦାମନୀ, ଆଭେନ୍ୟୁ ସୁପରମାର୍ଟସ୍ - ୧.୪ ଟ୍ରିଲିୟନ୍ ଟଙ୍କା

ହୁରୁନ ଲିଷ୍ଟ ବିଷୟରେ ସଂକ୍ଷେପରେ

ହୁରୁନ୍ ହେଉଛି ଏକ ଗବେଷଣା ସଂଗଠନ ଯାହା ସାରା ବିଶ୍ୱରେ ସମ୍ପତ୍ତି, ଉଦ୍ୟୋଗ ଏବଂ ଅର୍ଥନୈତିକ ଧାରା ଉପରେ ରିସର୍ଚ୍ଚ କରିଥାଏ। ଆନୁଷ୍ଠାନିକ ଭାବେ ଏହା ହୁରୁନ୍ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍‌ ନାଁରେ ଜଣାଶୁଣା। ଏହା ୧୯୯୯ ମସିହାରେ ବ୍ରିଟିଶ ଆକାଉଣ୍ଟାଣ୍ଟ ଏବଂ ଗବେଷକ ରୂପର୍ଟ ହୁଗେୱାର୍ଫଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ହୁଗେୱାର୍ଫଙ୍କୁ ତାଙ୍କର ଚୀନ ନାଁ (ହୁ ରନ୍) ଭାବରେ ଜାଣନ୍ତି। ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସୋନଙ୍କର ରାଙ୍କିଂ କରିବାକୁ ପ୍ରଥମେ ଚୀନରେ ହୁରୁନ ପ୍ରତିଷ୍ଠା କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ଏହି ସଂସ୍ଥା ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ପରିଣତ ହୋଇଛି।

ହୁରୁନର ମୁଖ୍ୟାଳୟ ଚୀନର ସାଂଘାଇରେ ରହିଥିବା ବେଳେ ମୁମ୍ବାଇରେ ମଧ୍ୟ ସଂସ୍ଥା ନିଜର ସ୍ଥିତି ମଜଭୁତ ରଖିଛି। ଏହିଂ ସଂସ୍ଥା ୨୦ ରୁ ଅଧିକ ଦେଶରେ ଗବେଷଣା ଏବଂ ତଥ୍ୟ ସଂଗ୍ରହ କରେ। ଏହି ସଂସ୍ଥଆର ପ୍ରମୁଖ ପ୍ରକାଶନଗୁଡ଼ିକ ହେଲା 

ହୁରୁନ୍ ବିଶ୍ୱ ଧନୀ ତାଲିକା: ବିଶ୍ୱର ଆରବପତିଙ୍କ (୧ ବିଲିୟନ ଡଲାର କିମ୍ବା ତା’ଠାରୁ ଅଧିକ ସମ୍ପତ୍ତି ଥିବା ବ୍ୟକ୍ତି) ଏକ ବାର୍ଷିକ ରାଙ୍କିଂ କରାଯାଏ। ପ୍ରଥମ ଥର ଏହା ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା।

ହୁରୁନ୍ ଇଣ୍ଡିଆ ଧନୀ ତାଲିକା: ଭାରତର ସବୁଠାରୁ ଧନୀ ବ୍ୟକ୍ତିବିଶେଷଙ୍କ ଉପରେ ନିଜର ରଖେ। ସଂସ୍ଥା ୨୦୧୨ରେ ଭାରତରେ ଧନୀ ତାଲିକା ଜାରି କରିଥିଲା। 

ହୁରୁନ୍ ଚୀନ୍ ଧନୀ ତାଲିକା: ଚୀନରେ ହିଁ ସଂସ୍ଥା ୧୯୯୯ ମସିହାରେ ଆରମ୍ଭ ହୋଇଥିଲା। ଧନୀ ତାଲିକା ଜାରି କରିଥିଲା। ସେବେଠାରୁ ଚୀନରେ ଧନୀ ତାଲିକା ପ୍ରକାଶ କରି ଆସୁଛି ସଂସ୍ଥ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.