ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରହିବା ଖାଇବା ସବୁ ମହଙ୍ଗା। ଆଉ ଯଦି ସ୍ୱପ୍ନର ଘର ଖଣ୍ଡେ କିଣିବାକୁ ଚାହୁଁଛନ୍ତି ତେବେ ଆଉ ଲକ୍ଷ ଉପରେ ନୁହେଁ, କୋଟିଏ ଉପରେ ପ୍ରସ୍ତୁତି କରନ୍ତୁ। କାରଣ ପକେଟ୍ରେ କୋଟିଏ ଟଙ୍କାରୁ ଅଧିକ ନଥିଲେ ଆପଣ ସ୍ୱପ୍ନର ଘର କିଣି ପାରିବେ ନାହିଁ। ଭୁବନେଶ୍ୱର କେତେ ମହଙ୍ଗା ହୋଇଯାଇଛି ଲାଏସେସ୍ ଫୋରାସ୍-କ୍ରେଡାଇ(CREDAI-Liases Foras) ପକ୍ଷରୁ ପ୍ରକାଶିତ ରିପୋର୍ଟ ଜଣାପଡିଛି।
ଦ୍ରୁତ ଅଭିବୃଦ୍ଧିଶୀଳ ସହରରେ ତାଲିକାରେ ଦ୍ୱିତୀୟ ଶ୍ରେଣୀର ଥିବା ଭୁବନେଶ୍ୱରରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଘର ଅଧିକ ବିକ୍ରି ହେଉଛି। ଲାଏସେସ୍ ଫୋରାସ୍-କ୍ରେଡାଇ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟ ଥିବା ଘର ବହୁ ସଂଖ୍ୟାରେ ବିକ୍ରି ହେଉଛି। ଡାଟା ଦେଖିଲେ ଜଣାପଡ଼ୁଛି ଯେ ଓଡ଼ିଶାର ରାଜଧାନୀରେ ୧୮୯୧ଟି ଏଭଳି ଘର ବିକ୍ରି ହୋଇଛି ଯାହାର ଦାମ୍ ୧-୨ କୋଟି ଟଙ୍କା ମଧ୍ୟରେ ରହିଛି।
ପଢନ୍ତୁ- ଦେଶରେ ଦୁଇଗୁଣା ହେଲା ଇଣ୍ଟର୍ଣ୍ଣସିପ୍ ପୋଷ୍ଟିଂ: ଗତ ୨ ବର୍ଷରେ ୧୦୩% ବୃଦ୍ଧି, ଇଂରାଜୀ କହୁଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ
ବିକ୍ରି ହୋଇଥିବା ଘରମାନଙ୍କ ମଧ୍ୟରୁ ୧୪୬୦ଟି ଘର ୩ ବିଏଚ୍କେ ଅର୍ଥାତ ୩ ଶଯ୍ୟା ବିଶିଷ୍ଟ, ହଲ୍ ଓ ରୋଷେଇଘର ହୋଇଥିବା ବେଳେ ୪୩୧ଟି ଘର ହେଉଛି ୪ ବିଏଚ୍କେ ଅର୍ଥାତ୍ ୪ ଶଯ୍ୟା ବିଶିଷ୍ଟ, ହଲ୍ ଓ ରୋଷେଇଘର। ଭୁବନେଶ୍ୱରରେ ଏହି ଦୁଇ କ୍ୟାଟେଗୋରୀରେ ଘର ବିକ୍ରି ଅଧିକ ହୋଇଛି। ଭାରତୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ୬୦ଟି ସହର ମଧ୍ୟରେ ଭୁବନେଶ୍ୱର ନାଁ ରହିଛି।
ସେହିପରି ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ୬୦୯ଟି ୩ ବିଏଚ୍କେ ଫ୍ଲାଟ୍ ବିକ୍ରି ହୋଇଥିବା ବେଳେ ଏହି ଦାମ୍ରେ ଗୋଟିଏ ବି ୪ବିଏଚ୍କେ ଫ୍ଲାଟ୍ ମଧ୍ୟ ବିକ୍ରି ହୋଇଛି। ୪ ବିଏଚ୍କେ କିଣୁଥିବା ଗ୍ରାହକମାନେ ୧ କୋଟି ଟଙ୍କାରୁ ଆରମ୍ଭ କରି ୫ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତର ଘର କିଣୁଛନ୍ତି। ୨-୫ କୋଟି ଟଙ୍କା ପର୍ଯ୍ୟନ୍ତ ଦାମ୍ର ୫୯୯ଟି ଘର ଭୁବନେଶ୍ୱରରେ ବିକ୍ରି ହୋଇଛି। ସେହିପରି ୨-୫ କୋଟି ଟଙ୍କା ମୂଲ୍ୟର ୪୦୨ଟି ୩ ବିଏଚ୍କେ ଫ୍ଲାଟ୍ ମଧ୍ୟ ରାଜଧାନୀରେ ବିକ୍ରି କରାଯାଇଛି।
ମୋଟ ହିସାବ ଦେଖିଲେ ରାଜଧାନୀରେ ଭୁବନେଶ୍ୱରରେ ଅଳ୍ପ କିଛି ୨ବିଏଚ୍କେ ଘର ବିକ୍ରି ହୋଇଥିବା ବେଳେ ୩ ଓ ୪ ବିଏଚ୍କେ ଫ୍ଲାଟ୍ ଅଧିକ ବିକ୍ରି କରାଯାଇଛି। କେବଳ ଫ୍ଲାଟ୍ ନୁହେଁ, ପ୍ଲଟ୍ ଓ ଭିଲ୍ଲା କାରବାର ମଧ୍ୟ ବେଶ୍ ଭଲ ରହିଛି। ଏହି ଦୃଷ୍ଟିରୁ ଦେଖିଲେ ଦେଶର ୬୦ ଶ୍ରେଷ୍ଟ ରିୟଲଇଷ୍ଟେଟ ବଜାର ଭିତରେ ଭୁବନେଶ୍ୱରର ରହିଛି ବୋଲି ଲାଏସେସ୍ ଫୋରାସ୍-କ୍ରେଡାଇ ରିପୋର୍ଟରୁ ଜଣାପଡ଼ିଛି।
ବର୍ତ୍ତମାନ ଭାରତର ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲଖିତ ହେଉଛି।
ପଢନ୍ତୁ- ଗ୍ରାହକଙ୍କୁ ଲାଗିବ ଝଟ୍କା, ଏଟିଏମ୍ରୁ ଟଙ୍କା ଉଠାଇଲେ ଦେବେ ଅଧିକ ଚାର୍ଜ
ଡେଭଲପରମାନେ ବିଶେଷ କରି ଟାୟାର ୨ ଏବଂ ଟାୟାର ୩ ସହରଗୁଡ଼ିକୁ ନିଜର ବ୍ୟବସାୟ ଜାରି ରଖିଛନ୍ତି। ନାସିକରେ ଅନୁଷ୍ଠିତ ନ୍ୟୁ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୫ରେ ଉନ୍ମୋଚନ ହୋଇଥିବା ସଦ୍ୟତମ ଲାଏସେସ୍ ଫୋରାସ୍-କ୍ରେଡାଇ ରିପୋର୍ଟରେ ଏହି ତଥ୍ୟ ଜଣାପଡିଛି। ୨୦୨୪ ମସିହାରେ ଡେଭଲପରମାନଙ୍କ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ୩,୨୯୪ ଏକର ଜମିର ୪୪% କେବଳ ଏହି ଉଦୀୟମାନ ସହରାଞ୍ଚଳ କେନ୍ଦ୍ରଗୁଡ଼ିକର ଥିଲା।
୨୦୨୪ ମସିହାରେ ୬୦ଟି ସହରରେ ୬୮୧,୧୩୮ ୟୁନିଟ ଘର ବିକ୍ରି ହୋଇଛି। ଯାହା ବାର୍ଷିକ ୨୩% ବୃଦ୍ଧି ହୋଇଛି। ସମସ୍ତ କ୍ଷେତ୍ରରେ ନିରନ୍ତର ଚାହିଦା ଯୋଗୁ ପ୍ରାଥମିକ ବଜାରରେ ବିକ୍ରୟ ମୂଲ୍ୟ ୭.୫ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି, ଯାହା ବାର୍ଷିକ ୪୩% ଅଭିବୃଦ୍ଧିକୁ ଦର୍ଶାଉଛି। ଲଗ୍ଜୁରୀ ଏବଂ ଅଲ୍ଟ୍ରା-ଲଗଜୁରୀ ସମ୍ପତ୍ତିଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଛି। ମୋଟ ବିକ୍ରୟ ମୂଲ୍ୟର ଏମାନଙ୍କର ଅଂଶ ୭୧% ପ୍ରତିଶତ ରହିଛି। ଯାହା ଲୋକମାନଙ୍କର ପ୍ରିମିୟମ୍ ଜୀବନଯାପନ ବର୍ଦ୍ଧିତ ଚାହିଦାକୁ ଦର୍ଶାଉଛି।
ବିକାଶ ଓ ନିବେଶ ମୂଲ୍ୟ ବୃଦ୍ଧି ହେଉଥିବା ଅଗ୍ରଣୀ ସହରରେ ଭୁବନେଶ୍ୱର ସମେତ ଲକ୍ଷ୍ନୌ, ଜୟପୁର ରହିଥିବା ବେଳେ ସୁଲଭ ମୂଲ୍ୟରେ ଗୃହ ମିଳୁଥିବା ସହର ମଧ୍ୟରେ ଅହମଦାବାଦ, ପୁଣେ, ଇନ୍ଦୋର, କୋଏମ୍ବାଟୁର ରହିଛି। ସହରୀକରଣ ତ୍ୱରାନ୍ୱିତ ହେବା ଏବଂ ଗତି ଶକ୍ତି ଯୋଜନା ଭଳି ସରକାରୀ ପଦକ୍ଷେପ ଦ୍ୱାରା ସଂଯୋଗୀକରଣରେ ଉନ୍ନତି ଆସିବା ସହିତ, ଏହି ଉଦୀୟମାନ ସହରଗୁଡ଼ିକ ପ୍ରଥମ ଥର ପାଇଁ କ୍ରେତା ଏବଂ ନିବେଶକ ଉଭୟଙ୍କ ପାଇଁ ପ୍ରମୁଖ ରିଅଲ୍ ଇଷ୍ଟେଟ୍ ଗନ୍ତବ୍ୟସ୍ଥଳ ପାଲଟିଛି।