MNREGA ନାମ ବଦଳିବା ଯୋଗୁ ପି.ଚିଦାମ୍ବରମଙ୍କ ବଡ଼ ବୟାନ, ଜାଣନ୍ତୁ କହିଲେ କ’ଣ?

NEWS7
hrithik-roshan-emotional-post-on-hif-ex-wife-sussanne-in-lockdown-time

ନୂଆଦିଲ୍ଲୀ ୧୭।୧୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ‘ବିକଶିତ ଭାରତ ଜି ରାମଜୀ ବିଲ’କୁ ନେଇ ବିରୋଧୀ କଂଗ୍ରେସ ମୋଦି ସରକାରଙ୍କ ଉପରେ ଆକ୍ରମକ ହୋଇ ଉଠିଛି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏହି ବିଲ ଉପରେ ଆପତ୍ତି କରି ଏହାକୁ ରାଜ୍ୟଙ୍କ ଅଧିକାର ଓ ମହାତ୍ମା ଗାନ୍ଧିଙ୍କ ସମ୍ମାନ ସମ୍ପର୍କିତ ପ୍ରସଙ୍ଗ ବୋଲି କହୁଛନ୍ତି। ଏଥିରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କହିଛନ୍ତି ଯେ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଅଧିନିୟମ (ଏମଏନଆରଇଜିଏ)ର ନାମ ପରିବର୍ତ୍ତନ ଜାତିର ଜନକଙ୍କ ଦ୍ୱିତୀୟବାର ହତ୍ୟା ସହ ସମାନ।

ମନରେଗାରେ ସରକାର ଗ୍ରାମାଞ୍ଚଳରେ ୧୦୦ ଦିନର କାମ ଗ୍ୟାରେଣ୍ଟି ଦେଇଥାନ୍ତି। ଏଥିରେ କାମ ଉପଲବ୍ଧ ନ ହେବା ସ୍ଥିତିରେ ବେକାରୀ ଭତ୍ତା ମଧ୍ୟ ଦିଆଯାଉଛି। ତେବେ କେନ୍ଦ୍ର ସରକାର ତାଙ୍କ ନୂଆ ବିଲରେ ୧୦୦ ଦିନର କାମକୁ ବଢାଇ ୧୨୫ ଦିନ କରିବାକୁ ପ୍ରସ୍ତାବ ରଖିଛନ୍ତି ଓ ଅନ୍ୟ ୨ ସର୍ତ୍ତ ଯାହାଥିଲା ସେଇଆ ଅଛି। ତେବେ ବିରୋଧୀ ଅଭିଯୋଗ କରିଛନ୍ତି ଯେ ଏହି ବିଲ କେବଳ ନାମ ବଦଳାଇବା ମଧ୍ୟରେ ସୀମିତ ନାହିଁ, ବରଂ ଯୋଜନାର ମୂଳ ସଂରଚନାରେ ବଡ ପରିବର୍ତ୍ତନ କରାଯାଉଛି। ଏନଡି ଟିଭିକୁ ଦେଇଥିବା ସାକ୍ଷାତକାରରେ ଚିଦାମ୍ବରମ କହିଛନ୍ତି ଯେ ଅନେକ ବର୍ଷ ପର୍ଯ୍ୟନ୍ତ ନେହେରୁଙ୍କୁ ବଦନାମ କରାଯିବା ପରେ ଏବେ ମହାତ୍ମା ଗାନ୍ଧିଙ୍କୁ ଟାର୍ଗେଟ କରୁଛନ୍ତି।

ସେ କହିଛନ୍ତି ଯେ ‘କେନ୍ଦ୍ର ସରକାର ଚାହୁଁଛନ୍ତି ପିଲାଙ୍କୁ ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ କିଛି ଜଣା ନ ଯାଉ। ସେମାନେ ଭାରତର ଜନତାଙ୍କ ସ୍ମୃତିରୁ ମହାତ୍ମା ଗାନ୍ଧିଙ୍କ ନାମ ପୋଛି ଦେବାକୁ ଚାହୁଁଛନ୍ତି‘। ତେବେ ବିଜେପି ବୁଧବାର ସଂସଦରେ କହିଛି ଯେ ବିକଶିତ ଭାରତ-ଜି ରାମଜୀ ବିଧେୟକ ଦେଶରେ ରାମରାଜ୍ୟ ଆଣିବା ଓ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ପୂରଣ କରିବାକୁ ଅଣାଯାଉଛି। ତେବେ ଗ୍ରାମ୍ୟ ବିକାଶ ଓ ପଞ୍ଚାୟତ ରାଜ ସମ୍ପର୍କିତ ସ୍ଥାୟୀ କମିଟି ଅଧ୍ୟକ୍ଷ ସପ୍ତଗିରି ଶଙ୍କର ଉଲାକା ଏ ନେଇ ଲୋକସଭା ବାଚସ୍ପଚି ଓମ ବିରଳାଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ବିଲର ଗହନ ବିଚାରବିମର୍ଷ ଲାଗି ଏହାକୁ ସମ୍ପର୍କିତ ସ୍ଥାୟୀ କମିଟିକୁ ପଠାଇବାକୁ ଆଗ୍ରହ କରିଛନ୍ତି।