ବଳ ଦେଖାଇଲା ‘ଟଙ୍କା’, ଜାଣନ୍ତୁ ଡଲାର ତୁଳନାରେ କେତେ ହେଲା ମଜଭୁତ?

Published By : Prameya-News7 Bureau | April 11, 2025 IST

ମୁମ୍ବାଇ ୧୧।୪: ଗତ ୪ଟି ବ୍ୟବସାୟିକ ଦିବସରେ ଲଗାତାର ଟଙ୍କାର ମୂଲ୍ୟ ହ୍ରାସ ଦେଖାଯିବା ପରେ ଲାଗୁଥିଲା ସପ୍ତାହର ଶେଷ ଦିନ ବି ହ୍ରାସରେ ବନ୍ଦ ହେବ। ହେଲେ ଏପରି ହୋଇ ନାହିଁ, କରେନ୍ସୀ ମାର୍କେଟରେ ଟଙ୍କା ଡଲାର ଉପରେ ଏପରି ପାଲଟା ଆକ୍ରମଣ କରିଛି ଏଥିରେ ଆମେରିକା ସରକାର ବି ଛାନିଆ ହୋଇପଡିଛନ୍ତି। ଶୁକ୍ରବାର ପ୍ରାରମ୍ଭିକ କାରବାର କାଳରେ ଟଙ୍କାରେ ୫୧ ପଇସା ଅଭିବୃଦ୍ଧି ଦେଖାଯାଇଥିଲା। ଯାହା କାରବାର କାଳରେ ବଳବତ୍ତରକ ରହିବା ସହ ଶେଷବେଳକୁ ମଧ୍ୟ ମଜଭୁତିରେ ବନ୍ଦ ହୋଇଛି। 

ବିଶେଷଜ୍ଞଙ୍କ ଅନୁସାରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସାଙ୍ଗକୁ ଟ୍ରମ୍ପ ଲାଗୁ କରିଥିବା ରେସିପ୍ରୋକାଲ ଟାରିଫକୁ ୯୦ ଦିନ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଯାହାର ସିଧା ପ୍ରଭାବ ଏପ୍ରିଲ ୧୧ରେ ଇଣ୍ଟରବ୍ୟାଙ୍କ ଫରେନ କରେନ୍ସୀ ଏକ୍ସଚେଞ୍ଜ ମାର୍କେଟରେ ଦେଖାଯାଇଛି। ବଜାର ଖୋଲିବା ବେଳେ ଗୋଟିଏ ଡଲାରର ମୂଲ୍ୟ ୮୬.୨୨ ଟଙ୍କାରେ ଖୋଲିଥିଲା, ଯାହା ପିଛିଲା ବ୍ୟବସାୟୀକ ଅଧିବେଶନଠାରୁ ୪୬ ପଇସା ଉଚ୍ଚାରେ ଥିଲା। ଏହା ପରେ ଟଙ୍କା ଦର ପୁଣି ବଢିଥିଲା। ଫଳରେ ଗୋଟିଏ ଡଲାର ମୂଲ୍ୟ ଭାରତୀୟ ଟଙ୍କାରେ ୮୬.୧୭ ଟଙ୍କାକୁ ଖସିଥିଲା। 

କେହି ଭାବିନଥିଲେ ଶୁକ୍ରବାର କରେନ୍ସୀ ମାର୍କେଟରେ ଟଙ୍କାର ଏପରି ଦର ବଢିବ। ତେବେ ଡଲାର ଇଣ୍ଡେକ୍ସରେ ଲଗାତାର ହ୍ରାସ ଓ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁ ଭାରତୀୟ ମୁଦ୍ରାକୁ ବଳ ମିଳିଛି। ଏଥିରେ ଯାହା ବି ହୋଇ ଥାନ୍ତା ବା ନ ହୋଇଥାନ୍ତା ଟ୍ରମ୍ପ ତାଙ୍କ ଟାରିଫ ଉପରେ ୯୦ ଦିନିଆ ରୋକ ଲଗାଇବା ଟଙ୍କାକୁ ଡଲାର ତୁଳନାରେ ମଜଭୁତ କରିଛି। ଶୁକ୍ରବାର ଡଲାର ଇଣ୍ଡେକ୍ସ ସ୍ୱିସ୍ ଫ୍ରାଙ୍କ ତୁଳନାରେ ଦଶନ୍ଧୀର ନିମ୍ନ ସ୍ତରକୁ ପହଞ୍ଚିଛି। କାରଣ ଆମେରିକୀୟ ଅର୍ଥ ବ୍ୟବସ୍ଥା ଉପରେ ନିବେଶକଙ୍କ ବିଶ୍ୱାସ ହ୍ରାସ ଯୋଗୁ ସେମାନେ ଫ୍ରାଙ୍କ, ୟେନ, ୟୁରୋ ଓ ସୁନା ଭଳି ସୁରକ୍ଷିତ ଠିକଣାକୁ ମୁହାଁଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.