ଜମ୍ମୁକାଶ୍ମୀର ୨୭/୪: ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କୀ ହମ୍ଲା ପରେ ପ୍ରତିଶୋଧ ନେଉଛି ଭାରତ । ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଆତଙ୍କବାଦୀଙ୍କ ଘର । ଉପତ୍ୟକାରେ ଖୋଜି ଖୋଜି ଆତଙ୍କୀଙ୍କ ଘର ଧ୍ବଂସ କରାଯାଉଛି। ଜୋରଦାର ଚାଲିଛି ଆତଙ୍କବାଦୀ ତଲାସି ଅଭିଯାନ । ଆତଙ୍କୀ ଓ ତାଙ୍କ ସହଯୋଗୀଙ୍କ ଘରକୁ ଖୋଜି ଖୋଜି ଭାଙ୍ଗୁଛନ୍ତି ସୁରକ୍ଷାକର୍ମୀ । ରବିବାର କାଶ୍ମୀର ବାନ୍ଦିପୁରା ଓ ସୋପିଆନରେ ୪ ଆତଙ୍କୀଙ୍କ ଘର ଭାଙ୍ଗି ଚୁନା କରିଦେଇଛନ୍ତି ସେନା ।
ପାକ୍ ଅଧିକୃତ କାଶ୍ମୀରରେ ଆଇଇଡି ବିସ୍ପୋରଣ କରି ଆତଙ୍କବାଦୀଙ୍କ ଘର ଉଡାଇଛନ୍ତି ଯବାନ । କୁପୱାଡାରେ ଥିବା ଆତଙ୍କବାଦୀର ଘର ଧ୍ବସଂ ହୋଇଛି । ସେହିପରି ଆତଙ୍କବାଦୀ ଫାରୁକ ଅହମ୍ମଦ ତଡୱାର ଘରକୁ ଧ୍ବଂସ କରିଛନ୍ତି ଯବାନ । ମାତ୍ର ୩ ସେକେଣ୍ଡରେ ଗୁଣ୍ଡ ହୋଇଯାଇଥିଲା ତା ଘର । ଯାହାର ଭିଡିଓ ମଧ୍ୟ ଜାରି କରିଛି ଭାରତୀୟ ସେନା । ପୂର୍ବରୁ ଆତଙ୍କୀ ନଜିର,ଏହେଶାନ ଶେଖରର ଘରକୁ ଉଡାଇ ଦେଇଥିଲେ ସୁରକ୍ଷାକର୍ମୀ । ଏଥିସହ ଜାକିର ଓ ସାହିଦର ଆଡ୍ଡାସ୍ଥଳୀ ମଧ୍ୟ ଧ୍ବଂସ ହୋଇଛି । ପୁଲୱାମା,ସୋପିଆନ ଓ କୁଲଗାମରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।
ପହଲଗାମ ଆକ୍ରମଣ ପରେ ଘାଟିରେ ଏବେ ସୁଦ୍ଧା ମାଟିରେ ମିଶିଲାଣି ୧୦ ଆତଙ୍କୀଙ୍କ ଘର । ଏବେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଓ ଲୁଚାଇ ରଖିଥିବା ସ୍ଥାନୀୟ ଆତଙ୍କବାଦୀ । କାଶ୍ମୀରରୁ ଇକୋ-ସିଷ୍ଟମକୁ ଧ୍ବଂସ କରିବା ପାଇଁ ଡୋର ଟୁ ଡୋର ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । ଅନନ୍ତନାଗ, ରାଜୌରୀ,କଠୱା ଓ ପୁଞ୍ଚ ଆଦି ଜିଲ୍ଲାର ଏକାଧିକ ସମ୍ବେଦନଶୀଳ ଅଞ୍ଚଳକୁ ଘେରାବନ୍ଦୀ କରି ରେଡ୍ କରାଯାଇଛି । ଶନିବାର ୬୦ଟି ସ୍ଥାନରେ ଚଢାଉ କରିଥିଲା ସୁରକ୍ଷାବାହିନୀ ।