ନୂଆବର୍ଷ ଉତ୍ସବ ପାଳନ ବେଳେ ତେଲେଙ୍ଗାନାରେ ବଢିଗଲା ମଦ ବିକ୍ରି, ୬ ଦିନରେ ୧,୩୫୦ କୋଟିର କାରବାର

NEWS7
hospitalization-is-not-necessary-for-medical-claim-said-consumer-forum

ହାଇଦ୍ରାବାଦ ୧।୧: ନବବର୍ଷ ପାଳନ ବେଳେ ତେଲେଙ୍ଗାନାରେ ମଦ ବିକ୍ରି ରେକର୍ଡ ଭାଙ୍ଗିଛି। ଅଧିକାରୀଙ୍କ ଅନୁସାରେ ମାତ୍ର ୩ ଦିନରେ ପାଖାପାଖି ୧୦୦୦ କୋଟି ଟଙ୍କାର ମଦ କାରବାର ହୋଇଥିବା ବେଳେ ବଡ଼ ଦିନରୁ ନୂଆ ବର୍ଷ ପର୍ଯ୍ୟନ୍ତ ୬ ଦିନରେ ୧,୩୫୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହି ସମୟରେ ମଦର ଚାହିଦା ସାରା ରାଜ୍ୟରେ ଦେଖାଯାଇଥିଲା। ଏହା ପାର୍ବଣ ସମୟରେ ମାଦକ ପେୟ ପାଦର୍ଥ ପ୍ରତି ଉପଭୋକ୍ତାଙ୍କୁ ପ୍ରବଳ ଋଚିକୁ ଦର୍ଶାଉଛି। ତେବେ ରାଜ୍ୟର କେଉଁ ସହର ଓ ଜିଲ୍ଲାରେ ସର୍ବାଧିକ ମଦ ବିକ୍ରି ହୋଇଛି ସେ ନେଇ ତଥ୍ୟ ଦିଆଯାଇ ନାହିଁ।

ହେଲେ ଶେଷ ୩ ଦିନରେ ବିକ୍ରି ହୋଇଥିବା ମଦ ପରିମାଣ ସର୍ବାଧିକ ଥିଲା। ଏଥିରେ ଗ୍ରାହକ ୮.୩ ଲକ୍ଷ କେସ୍ ମଦ ଓ ୭.୭୮ ଲକ୍ଷ କେସ୍ ବିୟର କିଣି ନେଇଛନ୍ତି। ଅଧିକାରୀମାନେ କହିଛନ୍ତି ସାଧାରଣତଃ ନୂଆ ବର୍ଷ ବେଳେ ରାଜ୍ୟରେ ମଦ ବିକ୍ରି ଅଚାନକ ବଢିଯାଇଥାଏ। ହେଲେ ଗତ ନବବର୍ଷରେ ବିକ୍ରି ହୋଇଥିବା ମଦର ପରିମାଣ ପିଛିଲା ବର୍ଷମାନଙ୍କ ସହ ତୁଳନା କରାଯାଇ ନାହିଁ। ସେହିପରି ମଦ ବିକ୍ରିରୁ ମିଳିଥିବା ରାଜସ୍ୱର ବିବରଣୀ ମଧ୍ୟ ଦିଆଯାଇନି। ବିସ୍ତୃତ ତଥ୍ୟ ଉପଲବ୍ଧ ନଥିଲେ ମଧ୍ୟ ରାଜ୍ୟର ସବୁ ଲାଇସେନ୍ସ ପ୍ରାପ୍ତ ଆଉଟଲେଟରେ ହୋଇଥିବା ମୋଟ ବିକ୍ରିକୁ ଏହା ଦର୍ଶାଉଛି ବୋଲି ଅଧିକାରୀ କହିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ନିକଟରେ ଖୋଲିଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନମାନଙ୍କରେ ବ୍ରାଣ୍ଡର ବହୁଳତା ସହିତ ବିଭିନ୍ନ ସ୍ୱାଦର ବିସ୍ତୃତ ବର୍ଗମାଳା ଉପଲବ୍ଧ ଥିଲା। ଏଣୁ ଉପଭୋକ୍ତାଙ୍କୁ ଅଧିକ ବିକଳ୍ପ ମିଳିଛି। କୁହାଯାଉଛି ବିକଳ୍ପରେ ଏପରି ବୃଦ୍ଧି ନୂଆବର୍ଷ କାଳରେ ମଦ ବିକ୍ରି ବୃଦ୍ଧିର ଅନ୍ୟତମ କାରଣ ଥିଲା। ଅଧିକାରୀ କହିଛନ୍ତି ଯେ ଗ୍ରାହକଙ୍କ ବଦଳୁଥିବା ପସନ୍ଦ ଓ ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ମଦ୍ୟପାନ ପ୍ରବୃତ୍ତି ରାଜ୍ୟର ରାଜସ୍ୱ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଛି।

ଅଧିକାରୀ କହିଛନ୍ତି ଯେ ମଦ ବିକ୍ରିରେ ଡିସେମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ମାସ ସାବ୍ୟସ୍ତ ହୋଇଛି। କାରଣ ଆବକାରୀ ବିଭାଗ ପ୍ରଥମ ଥର ଡିସେମ୍ବର ମାସରେ ଧାର୍ଯ୍ୟ ରାଜସ୍ୱ ଲକ୍ଷ ପୂରଣ କରିଛି। ସେମାନେ କହିଛନ୍ତି ଯେ ମଦବିକ୍ରିରୁ ପାଖାପାଖି ୪,୫୦୦ କୋଟି ଟଙ୍କାର ଅବକାରୀ ରଜସ୍ୱ ମିଳିବ ବୋଲି ଅନୁମାନ ଥିଲା। ହେଲେ ବାସ୍ତବିକ ରାଜସ୍ୱ ଆଶାଠାରୁ ଅନେକଗୁଣା ଅଧିକ ରହିଛି ଓ ଏହା ପାଖାପାପାଖି ୫,୧୦୦ କୋଟି ଟଙ୍କାକୁ ପହଞ୍ଚିଛି।