News7 Logo

ବିସର୍ଜନ ପରେ ଚାଲିଥିଲା ପ୍ରସାଦ ସେବନ, ହେଲମେଟ୍ ନେଇ ଚୋର ଚମ୍ପଟ

NEWS7
helmet

ଭୁବନେଶ୍ୱର ୦୫/୦୯: ବିସର୍ଜନ ସରିଲା । ଏବେ ପ୍ରସାଦ ଖାଇବା । ବଢିଆ ପ୍ରସାଦ । ଚାଲ ଚାଲ । କି ଭୋଜି କିରେ । ସବୁ ମଜ୍ଜିଥିଲେ ଭୋଜି ଖାଇବାରେ । ଖାଇବାକୁ ବାଡିଆ ପିଟା । ପ୍ରବଳ ଲୋକ ଗହଳି । ବାଃ ଏତିକି ଥିଲା ସୁଯୋଗ । ମଉକାରେ ଚଉକା । ଏଭଳି ସୁଯୋଗ ଛାଡେ କିଏ । ସେପଟେ ଭୋଜି ଖିଆ, ଏପଟେ ଚୋରି । ଚାଲିଲା ପ୍ଲାନ । ଗହଳିର ଫାଇଦା ନେଇ ଉଠାଇଲା ଜିନିଷ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ । ବ୍ୟାଗ୍‌ରେ ଭରିଲା ଆଉ ଚାଲିଲା ରାସ୍ତାରେ ।

ହେଲେ ଏ କଣ ସେପଟୁ ଶୁଭିଲା ଆରେ ଧର ଧର ଧର...ଧର । ନେଇଗଲା ନେଇଗଲା । ଗଲା ଗଲା ସବୁ ଗଲା । କାଲି ଫସିବ । ଫାଇନ ଦବ । ଧର ସେ ହେଲମେଟ୍‌ ଚୋରକୁ ଧର । ରାଜମହଲ-ଏଜି ରାସ୍ତାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ଜଣେ ଯୁବକ ଏଭଳି ଚିଲ୍ଲାଇ ଯାଉଥିଲେ ବାଇକ୍‌ରେ । ଏହା ଶୁଣି ତାଜୁବ ହୋଇପଡିଥିଲେ ରାସ୍ତାକଡ଼ ଉଠା ଦୋକାନୀ । ଏମିତିକି ରାସ୍ତାରେ ଯାଉଥିବା ଗାଡ଼ି ଚାଳକ ସଭିଏଁ ଆଚମ୍ବିତ । କ’ଣ ହେଲା ? କିଏ କାହାର ହେଲମେଟ୍‌ ଚୋରି କଲା? ସମସ୍ତେ ଜାଣିବାକୁ ବ୍ୟଗ୍ର ଚୋର କିଏ ? ମନରେ ପ୍ରବଳ ଉତ୍କଣ୍ଠା ।

ଚିଲାଇ ଚିଲାଇ ଯୁବକ ଜଣକ ଏଜି ଟ୍ରାଫିକ୍‌ ପଛକୁ ସ୍କୁଟିକୁ  ଅଟକାଇଥିଲେ । ଧାଇଁ ପଳାଉଥିବା ସ୍କୁଟି ଚାଳକକୁ ଖପ୍‌କିନା ମାଡିବସିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ସ୍କୁଟିଚାଳକ ଗୋଟିଏ ହେଲମେଟ୍‌ ମୁଣ୍ଡରେ ପିନ୍ଧିଥିଲେ । ଆଉ ବ୍ୟାଗ୍‌ରେ ୩ଟି ହେଲମେଟ୍‌ ପୁରାଇଥିଲେ । ଯୁବକ ଜଣକ ଏସବୁ ଦେଖି ସ୍କୁଟି ଚାଳକକୁ  ପଚାରିଲେ, କେଉଁଠୁ ପାଇଲ ଏତେ ହେଲ୍‌ମେଟ୍‌? ତେବେ ଯୁବକଙ୍କ ପ୍ରଶ୍ନ ବାଣରେ ସ୍କୁଟି ଚାଳକଙ୍କ ଖନି ମାରିଯାଇଥିଲା ପାଟି । ବୁଝୁ ବୁଝୁ ଜଣାପଡ଼ିଲା, ହେଲମେଟ୍‌ ଚୋର ଜଣକ ନିଶାରେ ଥିଲେ ଚୁର୍ । 

ଘଟଣା ଥିଲା ଏମିତି, ରାଜମହଲ ଛକରେ ଗଣେଷ ପୂଜା ମଣ୍ଡପରେ ବିସର୍ଜନ ପରେ ଚାଲିଥିଲା ପ୍ରସାଦ ସେବନ । ଶତାଧିକ ଭକ୍ତ ଧାଡ଼ି ବାନ୍ଧି ଖାଉଥିଲେ ପ୍ରସାଦ । ସେମାନେ ପ୍ରସାଦ ଖାଇବାରେ ଏତେ ମଜ୍ଜି ଯାଇଥିଲେ ଯେ, ଏହାର ସୁଯୋଗରେ ଚୋରି ହୋଇଥିଲା ହେଲମେଟ୍‌ । ଚୋର ଜଣକ ଅନ୍ୟ ବାଇକ୍‌ରୁ ହେଲମେଟ୍‌ ନେଇ ମାରିଥିଲା ଚମ୍ପଟ । ରାଜଧାନୀରେ ଏମିତି ଦୃଶ୍ୟ ସମସ୍ତଙ୍କୁ କରିଥିଲା ଚକିତ ।