ଭୁବନେଶ୍ୱର ୧୪।୦୯ : ଆସନ୍ତା ଦୁଇ ଦିନ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ରବିବାର ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର ବିକ୍ଷିପ୍ତ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। ସୋମବାର ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ାର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ। ରବିବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା  ଆଶଙ୍କା ଅଛି। ସୋମବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୬ ଓ ୧୭ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶା ସମେତ ଅନ୍ୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଶନିବାର ମାଲକାନଗିରିରେ ୧୮.୨ ମିମି ବର୍ଷା ହୋଇଛି। ଭଦ୍ରକରେ ୧୬, ଭୁବନେଶ୍ୱରରେ ୧୫.୨, କଟକରେ ୧୪.୬ରାୟଗଡ଼ାରେ ୧୨.୨, ପୁରୀରେ ୧୦.୪ମିମି ବର୍ଷା ହୋଇଛି ।