୧୫ ଦିନ ହେଲାଣି ଅଗ୍ନିବର୍ଷା, ଆଗକୁ ଆହୁରି ୧୦ ଦିନ

Published By : Prameya-News7 Bureau | April 30, 2024 IST

ଭୁବନେଶ୍ୱର ୩୦।୦୪: ଲଗାତାର ୧୫ ଦିନ ହେଲାଣି ଅଗ୍ନିବର୍ଷା । ଆହୁରି ୧୦ ଦିନ ନିସ୍ତାର ନାହିଁ । ଆଗାମୀ ୩ ଦିନ ଅତି ପ୍ରଚଣ୍ଡ । ଆଉ ୨/୩ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା ।  ମେଘର ଚିହ୍ନବର୍ଣ୍ଣ ନାହିଁ । କାଁ ଭାଁ କାଳବୈଶାଖୀକୁ ଛାଡ଼ିଦେଲେ ୧୦ ଦିନ ଯାଏ ବର୍ଷାର କାଣିଚାଏ ବି ଆଶା ନାହିଁ । ସ୍ଥିତି ଅତି ଗମ୍ଭୀର ହେବାକୁ ଯାଉଛି । ପାଣିପାଗ ବିଶେଷଜ୍ଞଙ୍କ ଏ ପୂର୍ବାନୁମାନ ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଲାଣି । ସବୁଠି ତ୍ରାହୀ ତ୍ରାହୀ ଡାକ । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୦ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିବାର ସମ୍ଭାବନା ନାହିଁ । ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରରେ ତାତି କ୍ରମଶଃ ବଢ଼ିବ । ଅଧିକାଂଶ ସ୍ଥାନରେ ତାତି ୪୪ ଡିଗ୍ରୀ ଉପରେ ରହିବ । ଭୁବନେଶ୍ୱରରେ ୨ ବା ୪ ତାରିଖରେ ତାତି କ୍ରମଶଃ କମିବ । ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳରେ ତାତି କ୍ୱଚିତ୍‌ କମିପାରେ ବୋଲି ସେ କହିଛନ୍ତି ।

୩୦ ତାରିଖ(ମଙ୍ଗଳବାର)ଭୁବନେଶ୍ୱର ସମେତ ଅନୁଗୁଳ, ତାଳଚେର, ବାରିପଦା, ଝାରସୁଗୁଡ଼ା ଓ ବୌଦ୍ଧରେ ତାତି ୪୪ରୁ ୪୬ ଡିଗ୍ରୀ ରହିବ ବୋଲି ସେ ସତର୍କ କରାଇଛନ୍ତି । ୩୦ ଓ ୧ ତାରିଖ ଦୁଇ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ମଙ୍ଗଳବାର ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ସମ୍ବଲପୁର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୧ ତାରିଖରେ ବି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି ।  ଡ. ପଶୁପାଳକ ଆକଳନ ଅନୁସାରେ, ୩୦ରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳରେ ତାତି ୧ରୁ ୨ ଡିଗ୍ରୀ ବଢ଼ିବ । ଏ ସବୁ ଅଞ୍ଚଳରେ ରାଜ୍ୟରେ ସବୁଠୁ ତତଲା ଅଞ୍ଚଳ ପାଲଟିବ । ମେ ୧ ତାରିଖରେ ବି ଏହି ସମସ୍ତ ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ ଓ ବୌଦ୍ଧରେ ତାତି ୧ରୁ ୨ ଡିଗ୍ରୀ ବଢ଼ିବ । ମେ ୨ ତାରିଖରେ ଭୁବନେଶ୍ୱର ସମେତ କିଛି ସ୍ଥାନରେ ତାପମାତ୍ରା କମିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.