ଚୀନ୍ ର ମୁଖର ସମାଲୋଚକ ଜିମି ଲାଇଙ୍କୁ ୨୦ ବର୍ଷ ଜେଲଦଣ୍ଡାଦେଶ, ଚିନ୍ତାବ୍ୟକ୍ତ କଲେ ଟ୍ରମ୍ପ

NEWS7
hatya-case-in-khandapada

ନୂଆଦିଲ୍ଲୀ ୯।୨: ହଂକଂ ମିଡିଆ ଦିଗ୍ଗଜ, ଗଣତନ୍ତ୍ର ସମର୍ଥକ ତଥା ଚୀନ୍ ର ସବୁଠୁ ମୁଖର ସମାଲୋଚକ ଜିମି ଲାଇଙ୍କୁ ସୋମବାର ୨୦ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ତାଙ୍କୁ ସହରର ସବୁଠୁ ବଡ଼ ଜାତୀୟ ସୁରକ୍ଷା ମାମଲାରେ ଦଣ୍ଡାଦେଶ କରାଯାଇଛି। ଏଥିରୁ ହଂକଂର ସ୍ୱାଧୀନତା ଉପରେ ବେଜିଂ ଦ୍ୱାରା ଅଂକୁଶ ଲଗାଯିବାକୁ ନେଇ ଅନ୍ତର୍ଜାତୀୟ ଚିନ୍ତା ସାମ୍ନାକୁ ଆସିଛି। ହଂକଂ କୋର୍ଟର ରାୟ ଉପରେ ବ୍ରିଟେନ, ୟୁରୋପୀୟ ୟୁନିୟନ, ଅଷ୍ଟ୍ରେଲିୟା ଓ ଜାପାନ ସମେତ ଅନେକ ଦେଶ ଚିନ୍ତାବ୍ୟକ୍ତ କରିଥିବା ବେଳେ ଜିମି ଲାଇଙ୍କ ମୁକ୍ତି ଦାବି କରିଛନ୍ତି।

୭୮ ବର୍ଷ ବୟଷ୍କ ଜିମି ଜଣେ ବ୍ରିଟିଶ ନାଗରିକ ଓ ସେ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି। ସେ ଆପଲ ଡେଲିର ସଂସ୍ଥାପକ, ଯାହା ୨୦୨୧ ମସିହାରୁ ବନ୍ଦ ହୋଇଯାଇଛି। ଜିମି ଲାଇଙ୍କୁ ଅଗଷ୍ଟ ୨୦୨୦ରେ ଗିରଫ କରାଯାଇଥିଲା। ହଂକଂର ୩ ଜଣିଆ ଜଜଙ୍କ କୋର୍ଟ ଜିମି ଲାଇଙ୍କୁ ଦଣ୍ଡାଦେଶ କରିଛନ୍ତି। ଜଜମାନେ ଲାଇଙ୍କ ଅପରାଧକୁ ଗମ୍ଭୀର ପ୍ରକୃତିର କହିଥିବା ବେଳେ ତାଙ୍କ ସହ କାର୍ଯ୍ୟ କରିଥିବା ୬ ପୂର୍ବତନ ବରିଷ୍ଠ ଅଧିକାରୀ ଓ ୨ କାର୍ଯ୍ୟକର୍ତ୍ତାଙ୍କୁ ୬ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ କରିଛନ୍ତି।

ଚୀନ୍ ଦ୍ୱାରା ୨୦୨୦ ମସିହାରେ ଲାଗୁ କରାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ଆଇନରେ ଜିମିଙ୍କୁ ଗତ ଡିସେମ୍ବରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ଆଇନ ଅନୁସାରେ ଏହା ଏପର୍ଯ୍ୟନ୍ତର ସବୁଠୁ ଦୀର୍ଘ ଦଣ୍ଡ। ଏହି ଆଇନ ଦ୍ୱାରା ହଂକଂରେ ଅସନ୍ତୋଷର ସ୍ୱରକୁ ପ୍ରାୟ ଚପାଇ ଦିଆଯାଇଛି। ଏହି ଆଇନ ବିଛିନ୍ନତାବାଦ, ଭଙ୍ଗାରୁଜା, ଆତଙ୍କବାଦ ଓ ବିଦେଶୀ ଶକ୍ତିଙ୍କ ସହିତ ମିଳାମିଶାକୁ କଡ଼ା ଅପରାଧ ରୂପେ ପରିଭାଷିତ କରେ। ଆଇନ ହଂକଂର ସ୍ୱାୟତତାକୁ ସୀମିତ କରିବା ସହିତ ଏହାର ଉଲ୍ଲଂଘନରେ ଆଜୀବନ ଜେଲଦଣ୍ଡ ଭୋଗିବାକୁ ପଡିପାରେ।

ଏହା ବି ପଢନ୍ତୁ :-ଏପଷ୍ଟିନ ଫାଇଲରେ ହଜାରେରୁ ଅଧିକ ଥର ପୁଟିନଙ୍କ ନାଁ, ରୁଷ କହିଲା- ଆମେ ଭ୍ରୁକ୍ଷେପ କରୁନାହୁଁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି ଏହା ଶୁଣିବାକୁ ଭଲ ଲାଗୁ ନାହିଁ। ଏ ନେଇ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଙ୍କ ସହ କଥା ହୋଇଛନ୍ତି ଓ ଜିମିଙ୍କ ମୁକ୍ତି ବିଷୟରେ ଚିନ୍ତା କରିବାକୁ କହିଛନ୍ତି। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ସରକାର ମାନବୀୟ ଆଧାରରେ ଜିମିଙ୍କ ମୁକ୍ତି ଦାବି କରିଛନ୍ତି। ତେବେ ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲିନ୍ ଜିୟାନ କହିଛନ୍ତି ଯେ ଜିମି ହଂକଂରେ ଚୀନ୍ ବିରୋଧୀ ଗତିବିଦ୍ଧି ଓ ଷଡ଼ଯନ୍ତ୍ରର ଜଣେ ବଡ଼ ଭାଗିଦାର ଥିଲେ।