LIVE TV

ସରକାର ଚାହିଁଲେ ତାଙ୍କ ମୃତଦେହ ମଧ୍ୟ ନେଇ ପାରିବେ , ମୁଁ କୌଣସି ମନ୍ତ୍ରୀଙ୍କୁ ଭେଟିବି ନାହିଁ : IPS ପୁରନ କୁମାରଙ୍କ IAS ପତ୍ନୀଙ୍କ ପ୍ରତିକ୍ରିୟା

NEWS7
Haryana IPS officer Y Puran Kumar

ଚଣ୍ଡିଗଡ଼ : ହରିଆଣାର ଆଇପିଏସ୍‌ ଅଫିସର ୱାଇ ପୁରନ କୁମାରଙ୍କର ଆତ୍ମହତ୍ୟାର ସାତ ଦିନ ପରେ ସୋମବାର ସଙ୍କଟ ଆହୁରି ସଙ୍ଗୀନ ହୋଇଥିଲା ,ଯେତେବେଳେ ପୀଡ଼ିତ ପରିବାର ମୃତ ଅଧିକାରୀଙ୍କ ଲ୍ୟାପଟପ୍‌ ଚଣ୍ଡିଗଡ଼ ପୁଲିସକୁ ତଦନ୍ତ ପାଇଁ ଦେବାକୁ ମନା କରି ଦେଇ ଥିଲେ। ଏହାସହ ତାଙ୍କର ଆଇପିଏସ୍‌ ଅଧିକାରୀ ପତ୍ନୀ ଅମନୀତ ପି କୁମାର ବିଜେପିର କୌଣସି ବି ମନ୍ତ୍ରୀଙ୍କୁ ଭେଟିବାକୁ ମନା କରି ଦେଇ ଥିଲେ। ଏବେସୁଦ୍ଧା ନା ମୃତଦେହର ପୋଷ୍ଟମର୍ଟମ ହୋଇପାରିଛି ନା ହିଁ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଏହି କାରଣରୁ ଗତିରୋଧ ଆହୁରି ବଢି ଯାଇଛି। ବାସ୍ତବରେ, ଆଇପିଏସ୍‌ ଅଫିସରଙ୍କର ପରିବାର ମାମଲାରେ ରୁଜୁ ଏଫଆଇଆରରେ ନାମିତ ବରିଷ୍ଠ ଅଧିକାରୀଙ୍କୁ ଗିରଫ ଦାବିରେ ଅଡ଼ି ବସିଛନ୍ତି।

ବରିଷ୍ଠ ଆଇପିଏସ୍‌ ଅଧିକାରୀ ପୁରନ କୁମାର ୭ ଅକ୍ଟୋବରରେ ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ନିଜର ବାସଭବନରେ ମୃତ ଭାବେ ଉଦ୍ଧାର କରାଯାଇ ଥିଲା। ତାଙ୍କର ଶବ ଚଣ୍ଡିଗଡ଼ର PGIMERର ଆଡଭାନ୍ସ ଅଟୋପ୍ସି ସେଣ୍ଟରରେ ରଖା ଯାଇଛି। ମାମଲାରେ ଗତିରୋଧ ବଢିବା ପରେ ଶନିବାର ମୃତଦେହ GMSG-16ରୁ PGIMER ସ୍ଥାନାନ୍ତରିତ କରାଯାଇ ଥିଲା।ଅନ୍ୟପଟେ ମୃତ ଅଧିକାରୀଙ୍କ ପରିବାର ପାଇଁ ନ୍ୟାୟ ଦାବି କରିବା ପାଇଁ ଗଠିତ ୩୧ ସଦସ୍ୟ ବିଶିଷ୍ଟ କମିଟି ରାଜ୍ୟର ପୁଲିସ ମୁଖ୍ୟ (ଡିଜିପି) ଶତ୍ରୁଜିତ୍‌ କପୁରଙ୍କୁ ତାଙ୍କ ପଦରୁ ହଟେଇବା ପାଇଁ ୪୮ ଘଣ୍ଟାର ଅଲଟିମେଟମ ଦେଇଛନ୍ତି।

ଏକ ଉତ୍ତେଜନାପୂର୍ଣ୍ଣ ଘଟଣାକ୍ରମ ଓ କଥାବାର୍ତ୍ତା ବେଳେ ଆଇଏଏସ୍ ଅଧିକାରୀ ଓ ମୃତକଙ୍କର ପତ୍ନୀ ଅମନିତ ପି କୁମାର ତାଙ୍କ ବାସଭବନକୁ ଯାଇଥିବା ନେତାଙ୍କୁ ଖୁବ୍‌ ସମାଲୋଚନା କରି ଥିଲେ। ସେ ପଚାରି ଥିଲେ, ଆପଣ ଏପର୍ଯ୍ୟନ୍ତ କଣ କରିଛନ୍ତି ... ଆପଣ କଣ କହିବାକୁ ଚାହାନ୍ତି... ଆମର ଆପଣଙ୍କ ଠାରୁ କିଛି ସାହାଯ୍ୟ ଦରକାର ନାହିଁ...ଆପଣ ମୋର ମୃତକ ସ୍ୱାମୀଙ୍କ ସହ କଣ କରିଛନ୍ତି... ଯଦି ସରକାର ଚାହାନ୍ତି ତ ତାଙ୍କର ମୃତଦେହକୁ ମଧ୍ୟ ନେଇପାରିବେ। ଯେଉଁ ସମୟରେ ଅମନିତ କ୍ଷମତାଧାରୀ ନେତାଙ୍କୁ ଭେଟିବାକୁ ମନା କରୁଥିଲେ ଏବଂ ତାଙ୍କ ସହ ଉତ୍ତେଜିତ କଥାବାର୍ତ୍ତା କରୁଥିଲେ, ଏହି ସମୟରେ ତାଙ୍କର ଭାଇ ଓ ପଞ୍ଜାବର ଆପ୍‌ ବିଧାୟକ ଅମିତ ରତନ କୋଟଫତ୍ତା ମଧ୍ୟ ତାଙ୍କ ସହ ଥିଲେ।

ପୁରନ କୁମାରଙ୍କ ପରିବାର କହିଛନ୍ତି ଯେପର୍ଯ୍ୟନ୍ତ ତାଙ୍କର ଦାବିକୁ ଗ୍ରହଣ କରାଯାଇ ନାହିଁ, ସେପର୍ଯ୍ୟନ୍ତ ସେ ମୃତଦେହର ପୋଷ୍ଟମର୍ଟମ ଓ ଶବଦାହରେ ସହମତି ଦେବେ ନାହିଁ। ହେଲେ , ହରିଆଣା ସରକାର ପୂରନ କୁମାରଙ୍କ ପତ୍ନୀ ଅମନିତ ପି କୁମାରଙ୍କୁ ରାଜି କରାଇବା ଚେଷ୍ଟାରେ ଲାଗି ପଡ଼ିଛି। ସମ୍ୱନ୍ଧିତ ଘଟଣାକ୍ରମରେ, କଥିତ ଆତ୍ମହତ୍ୟା ମାମଲାର ଯାଞ୍ଚ କରୁଥିବା ଚଣ୍ଡିଗଡ଼ ପୁଲିସ ରବିବାର ଅମନୀତ ପି କୁମାରଙ୍କୁ ଏକ ଅନୁରୋଧ ପତ୍ର ପଠାଇ ତାଙ୍କୁ ଅନୁରୋଧ କରାଯାଇଛି ଯେ ସେ ଶୀଘ୍ର ପିଏମଇ (ପୋଷ୍ଟମର୍ଟମ) ପାଇଁ ମୃତଦେହର ଚିହ୍ନଟ ପାଇଁ ଆଗେଇ ଆସନ୍ତୁ , କାରଣ ଏହା ଯାଞ୍ଚ ପାଇଁ ଆବଶ୍ୟକ। ଚଣ୍ଡିଗଡ଼ ପୁଲିସ ହରିଆଣା ସରକାରଙ୍କ ଠାରୁ ମାମଲାର ଯାଞ୍ଚ ପାଇଁ ଜରୁରୀ ଡକ୍ୟୁମେଣ୍ଟ ମଧ୍ୟ ମାଗିଛନ୍ତି।