ନୂଆଦିଲ୍ଲୀ : ବିଜେପି ବିଧାୟକ ରାମ କୁମାର ଗୌତମ ଏକ ନୂଆ ଆଇନ ପ୍ରଣୟନ ପାଇଁ ଦାବି ଉଠାଇଛନ୍ତି। ମଙ୍ଗଳବାର ହରିୟାଣା ବିଧାନସଭାର ଶୂନ୍ୟ କାଳ ସମୟରେ ବିଧାୟକ ଗୌତମ କହିଛନ୍ତି ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଅ ଏବଂ ଝିଅଙ୍କ ବିବାହ ପୂର୍ବରୁ ବାପା ମାଆଙ୍କ ଅନୁମତି ବାଧ୍ୟତାମୂଳକ ହେବା ଆବଶ୍ୟକ।
ସାଫିଦୋ ଆସନର ବିଧାୟକ ଗୌତମ କହିଛନ୍ତି, "ପୁଅ ଏବଂ ଝିଅମାନେ ବାପା ମାଆଙ୍କୁ ନ ଜଣେଇ ଘର ଛାଡ଼ି ପଲାଉଛନ୍ତି... ଅନେକ କ୍ଷେତ୍ରରେ ଏପରି ହୋଇଛି ଯେ ପରେ ଲୋକ ଲଜ୍ଜା ସହି ନ ପାରି ବାପାମାଆଙ୍କୁ ଆତ୍ମହତ୍ୟା କରିବାକୁ ପଡିଛି। ତେଣୁ ମୁଁ ସରକାରଙ୍କ ନିକଟରେ ଦାବି କରୁଛି ଯେ ଏପରି ଏକ ଆଇନ ପ୍ରଣୟନ କରାଯାଉ ଯେଉଁଥିରେ ବିବାହ ପୂର୍ବରୁ ବାପା-ମାଆଙ୍କ ଅନୁମତି ନେବା ବାଧ୍ୟତାମୂଳକ।" ବିଧାୟକ ରାମ କୁମାର ଗୌତମଙ୍କ ଏହି ଦାବି ଏବେ ବିତର୍କର ବିଷୟ ହୋଇପାରେ। ବିବାହ ଭଳି ବ୍ୟକ୍ତିଗତ ନିଷ୍ପତ୍ତିରେ ବାପା-ମାଆଙ୍କ ଅନୁମତିକୁ ଆଇନଗତ ଭାବରେ ବାଧ୍ୟତାମୂଳକ କରାଯାଇପାରିବ କି ନାହିଁ।
ଶୂନ୍ୟ କାଳ ସମୟରେ ରାମ କୁମାର ଆହୁରି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ବିଧାୟକଙ୍କ କହିବା ପାଇଁ ନିର୍ଦ୍ଧାରିତ ସମୟ ଶେଷ ହେବା ପରେ, ବିଧାନସଭା ବାଚସ୍ପତି ହରବିନ୍ଦର କଲ୍ୟାଣ ତାଙ୍କୁ ବସିବାକୁ କହିଥିଲେ, କିନ୍ତୁ ରାମ କୁମାର ଗୌତମ କହିବା ଜାରି ରଖିବାକୁ ଚେଷ୍ଟା କରିଥିଲେ, ଯାହା ଉପରେ ବାଚସ୍ପତି ହସ୍ତକ୍ଷେପ କରି କହିଥିଲେ, "ଯଦି ଆପଣ ଆହୁରି କିଛି କହିବାକୁ ଚାହାଁନ୍ତି, ତେବେ ନୋଟିସ ଦିଅନ୍ତୁ। ଯାହା କରିବାକୁ ପଡିବ, ମୁଁ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବି।"
ରାମ କୁମାର ଗୌତମ ପୂର୍ବରୁ ଜନନାୟକ ଜନତା ଦଳ (ଜେଜେପି) ସହିତ ଜଡିତ ଥିଲେ। 2024 ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ।