ନୂଆଦିଲ୍ଲୀ, ୨୦|୧୧: ଦେଶ ପଛ କିନ୍ତୁ ଖେଳ ହୋଇଗଲା ପ୍ରଥମ । ପଡିଆରେ ପହଲଗାମ ଆକ୍ରମଣ ଭୁଲିଗଲେ ହରଭଜନ ସିଂ । ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇଲେ ଏବଂ ହସି ହସି କଥା ହେଲେ । ଯାହାକୁ ନେଇ ବିବାଦରେ ଫସିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ । ପାକିସ୍ତାନ ସହ କ୍ରିକେଟ ସମ୍ପର୍କ ଛିନ୍ନ ପାଇଁ ଓକିଲାତି କରୁଥିବା ଭଜି ନିଜେ ଏହାର ଖିଲାପ କରିଛନ୍ତି ।

ରିପୋର୍ଟ ଅନୁସାରେ, ଆବୁଧାବିରେ ଏବେ ଟି୧୦ କ୍ରିକେଟ୍ ଲିଗ୍ ଚାଲିଛି । ଯେଉଁଥିରେ ନଭେମ୍ବର ୧୯ ତାରିଖରେ ଆସପିନ୍ ଷ୍ଟାଲିଅନ୍ସ ଏବଂ ନର୍ଦର୍ଣ୍ଣ ଓ୍ୱାରିଅର୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଷ୍ଟାଲିଅନ୍ସର ନେତୃତ୍ୱ ହରଭଜନ ନେଉଥିବା ବେଳେ ଓ୍ୱାରିଅର୍ସର ଅଧିନାୟକ ଥିଲେ ପାକିସ୍ତାନୀ ଖେଳାଳି ଶାହନଓ୍ବାଜ ଦହାନୀ ।

ଓ୍ୱାରିଅର୍ସ ପ୍ରଥମେ ବ୍ୟାଟିଂ କରି ୧୧୪ ରନ୍ କରିଥିଲା । ଜବାବରେ ହରଭଜନ ସିଂଙ୍କ ଦଳ ୪ ରନ ପଛରେ ରହିଯାଇଥିଲା । ତେବେ ମୁକାବିଲା ପରେ ଶାହନଓ୍ୱାଜ ହରଭଜନଙ୍କ ପାଖକୁ ଆସିଥିଲେ । ଉଭୟ ହସି ହସି କଥା ହେବା ସହ ହାତ ମିଶାଇଥିଲେ । ଏପରିକି କିଛି ସମୟ ଯାଏଁ ଉଭୟ କଥା ମଧ୍ୟ ହୋଇଥିଲେ । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଭାରତ ସହ ପାକିସ୍ତାନ ଯାହା କରିଛି ତାହା କିପରି ହରଭଜନ ଭୁଲିଗଲେ ବୋଲି ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନର ସମ୍ପର୍କ ଭଲ ନାହିଁ । ଉଭୟ ଦେଶର ଖେଳାଳି କ୍ରିକେଟ୍ ମ୍ୟାଚରେ ପରସ୍ପର ସହ ହାତ ମିଳାଉ ନାହାଁନ୍ତି । ଯାହା ଏସିଆ କପ୍ ସମେତ ମହିଳା ବିଶ୍ୱକପରେ ଦେଖାଯାଇଥିଲା । କିନ୍ତୁ ଏବେ ହରଭଜନ ହାତ ମିଶାଇ ଦେଶବାସୀଙ୍କୁ ନିରାଶ କରିଛନ୍ତି ।