LIVE TV

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା, ରଥାକୃତି ବିମାନରେ ଆସନ୍ତି ମହାପ୍ରଭୁ

NEWS7
Guptagundicah

ପୁରୀ ୨୨/୦୯: ଶାରଦୀୟ ଦୂର୍ଗାପୂଜା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତ ଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ପବିତ୍ର ରଥଯାତ୍ରା ସମୟରେ ମା ଲକ୍ଷ୍ମୀଙ୍କୁ ମହାପ୍ରଭୁ ଘୋଷଯାତ୍ରାରେ ନେଇ ନଥିବାରୁ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଗୁପ୍ତ ଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।

ତେବେ ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ଗବେଷକ ମତ ଦେଇଛନ୍ତି। ଶ୍ରୀମନ୍ଦିରରୁ ଦୁର୍ଗା ମାଧବ ଏହି ମନ୍ଦିରକୁ ଷୋଳପୂଜା ସମୟରେ ଶେଷ ଆଠଦିନ ଏକ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି । ଶ୍ରୀମନ୍ଦିରରେ ଚନ୍ଦନଲାଗି ବଢିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହା ଗୁପ୍ତ ଗୁଣ୍ଡିଚା ଭାବେ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ଆଠଦିନ ମହାପ୍ରଭୁ ରଥାକୃତି ବିମାନରେ ଶ୍ରୀମନ୍ଦିରରୁ ଆସିଥିବା ବେଳେ ସନ୍ଧ୍ୟାଧୂପ ପରେ ଏକ ପାଲିଙ୍କିରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥାନ୍ତି ।