ଆବଶ୍ୟକୀୟ ଜିନିଷର ଦାମ ୧୦% କମିବ: ୧୦ ଲକ୍ଷରୁ ଅଧିକ ସାମଗ୍ରୀର ଜିଏସ୍‌ଟି ସ୍ଲାବ ବଦଳିବ, ଫ୍ରିଜ, ମୋବାଇଲ୍ ଓ ସିମେଣ୍ଟ ଶସ୍ତା ହେବ

Published By : Prameya-News7 Bureau | August 17, 2025 IST

internet

ନୂଆଦିଲ୍ଲୀଆମେରିକା ସହ ସିଧା ଟକ୍କର ନ ଦେଇ ଷ୍ଟ୍ରାଟେଜୀ କରି ମାତ୍ ତେବାକୁ ବାହାରିଛି ଭାରତ। ଟ୍ରମ୍ପ ଟାରିଫର ଜବାବ ଦେବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଏଥିପାଇଁ ସାମଗ୍ରୀ ଏବଂ ସେବା ଟିକସ ବା GST ରେ ଏକ ବଡ଼ ପରିବର୍ତ୍ତନ ହେଉଛି। ଯାହାର ନାଁ ଦିଆଯାଇଛି 'ଜିଏସ୍‌ଟି ୨.୦ ବା ନେକ୍ସ ଜେନ୍ ଜିଏସ୍‌ଟି। ଶୁକ୍ରବାର ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା କରିଥିଲେ। ସେ ଏହାକୁ ଦୀପାବଳି ଉପହାର ବୋଲି କହିଥିଲେ। ଏହାର ଅର୍ଥ ହେଉଛି ସରକାର ସେପ୍ଟେମ୍ବରରେ ଏକ ଜିଏସଟି ବୈଠକ କରି ଏହି ପରିବର୍ତ୍ତନ ଆଣିପାରନ୍ତି।

ହେବାକୁ ଥିବା ନୂଆ ପରିବର୍ତ୍ତନ ଅନୁସାରେ ବର୍ତ୍ତମାନ ଜିଏସ୍‌ଟିରେ ୪ଟି ଟିକସ ସ୍ଲାବ୍ ରହିଛି। ୫%, ୧୨%, ୧୮% ଏବଂ ୨୮%। ଏହାର ସଂଶୋଧନ ପରେ, କେବଳ ଦୁଇଟି ସ୍ଲାବ୍ ରହିବ, ୫% ଓ ୧୮%। ତେଣୁ ୧୨% GST ପରିସର ଭିତରେ ଆସୁଥିବା ବଟର, ଫଳ ରସ, ଶୁଖିଲା ଫଳ ଭଳି ୯୯% ସାମଗ୍ରୀ ୫% ପରିସରକୁ ଆସିଯିବ। ସରଳ ଭାଷାରେ କହିବାକୁ ଗଲେ, ଏହି ଜିନିଷଗୁଡ଼ିକର ଦାମ ୭% ଶସ୍ତା ହୋଇଯିବ। 

ସେହିପରି ୨୮% ଟିକସ ବର୍ଗରେ ଆସୁଥିବା ସିମେଣ୍ଟ, ଏସି, ଟିଭି, ଫ୍ରିଜ୍, ୱାଶିଂ ମେସିନ୍ ଭଳି ୯୦% ସାମଗ୍ରୀ ୧୮% ସ୍ଲାବ୍‌ ଭିତରକୁ ଚାଲି ଆସିବ। ଯାହାର ଅର୍ଥ ଏଗୁଡ଼ିକ ୧୦% ଶସ୍ତା ହୋଇଯିବ। ଟିକସ ହାରରେ ସ୍ଥିରତା ଆଣିବା ଏବଂ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ର ଜଟିଳ ବ୍ୟବସ୍ଥାକୁ ସରଳ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

୨୦୪୭ ବେଳକୁ ସମାନ ଟ୍ୟାକ୍ସ ସ୍ଲାବ୍ ହେବ।

ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁଯାୟୀ, ୨୦୪୭ ମସିହାରେ ଏକ ସମାନ ଟିକସ ସ୍ଲାବ୍ ରହିବ। ଦୁଇଟି ସ୍ଲାବ୍ ଆଣିବା ଏହି ଦିଗରେ ପ୍ରଥମ ପଦକ୍ଷେପ। ସରକାର ଏହି ଜିଏସଟି ସଂଶୋଧନ ପ୍ରସ୍ତାବ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କୁ ପଠାଇଛନ୍ତି। ସେମାନେ ଏହାର ଅଧ୍ୟୟନ କରିବେ। ତା'ପରେ ଏହାକୁ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଉପସ୍ଥାପନ କରାଯିବ। 

ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି।  ମନ୍ତ୍ରଣାଳୟ କହିଛି ଜିଏସ୍‌ଟି ସଂସ୍କାରର ୩ଟି ପ୍ରମୁଖ ଆଧାର ରହିବ। ପ୍ରଥମତଃ, ସାଂରଚନିକ ସଂସ୍କାର (ଷ୍ଟ୍ରକ୍ଚରାଲ ସୁଧାର)। ଏଥିରେ, ଟିକସ ଢାଞ୍ଚାକୁ ଆହୁରି ଉନ୍ନତ କରାଯିବ। ଦ୍ୱିତୀୟତଃ, ଟିକସ ହାରକୁ ଯୁକ୍ତିଯୁକ୍ତ କରିବା, ଯାହା ଦ୍ଵାରା ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ଶସ୍ତା ହୋଇପାରିବ। ତୃତୀୟତଃ, ନୂଆ ପଞ୍ଜୀକରଣ ଏବଂ ରିଫଣ୍ଡକୁ ସହଜ କରିବା। ଏହା ଇନପୁଟ୍ ଏବଂ ଆଉଟପୁଟ୍ ଟିକସ ହାରରେ ସନ୍ତୁଳନ ଆଣିବ ଏବଂ ଇନପୁଟ୍ ଟିକସ କ୍ରେଡିଟ୍ ସଂଗ୍ରହ ହ୍ରାସ ପାଇବ।

୪୦ ହଜାର ଟଙ୍କା ଫ୍ରିଜରେ ୪ ହଜାର ଶସ୍ତା ହେବ ଏବଂ ୮୦ ହଜାର ଦାମର ଟିଭି ମୂଲ୍ୟରେ ୮ ହଜାର ଶସ୍ତା ହେବ

ବର୍ତ୍ତମାନ, ଜିଏସ୍‌ଟି ପରିସର ମଧ୍ୟରେ ୧୦ ଲକ୍ଷରୁ ଅଧିକ ଜିନିଷ ରହିଛି। ଯଦି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକୁ ବୁଝିବା, ତେବେ ନୂଆ ଟିକସ ସଂସ୍କାରରେ ସିଧାସଳଖ ସାଧାରଣ ଲୋକଙ୍କୁ ଲାଭ ମିଳିବ। ୩୫୦ ଟଙ୍କାର ସିମେଣ୍ଟ ବ୍ୟାଗ ୩୫ ଟଙ୍କା, ୮୦ ହଜାର ଟଙ୍କାର ଟିଭି ୮ ହଜାର ଟଙ୍କା, ୪୦ ହଜାର ଟଙ୍କାର ଫ୍ରିଜ୍ ୪ ହଜାର ଟଙ୍କା ଏବଂ ୧୦୦୦ ଟଙ୍କା କେଜି ମିଠା ଦାମରେ ୭୦ ଟଙ୍କା ଶସ୍ତା ହେବ।

ଏହିସବୁ ଶସ୍ତା ହେବଟ୍ୟାକ୍ସ ୧୨%ରୁ ୫ହେବ

ଶୁଖିଲା ଫଳ, ବ୍ରାଣ୍ଡେଡ୍ ନମକିନ, ଟୁଥ୍ ପାଉଡର, ଟୁଥ୍‌ପେଷ୍ଟ, ସାବୁନ, ହେଆର ଅଏଲ୍, ସାଧାରଣ ଆଣ୍ଟିବାୟୋଟିକ୍, ପେନକିଲର ଔଷଧ, ପ୍ରୋସେସ୍ଡ ଫୁଡ୍, ସ୍ନାକ୍ସ, ଫ୍ରୋଜେନ୍ ପନିପରିବା, ଡବା କ୍ଷୀର, କିଛି ମୋବାଇଲ୍, କିଛି କମ୍ପ୍ୟୁଟର, ସିଲାଇ ମେସିନ୍, ପ୍ରେସର କୁକର, ଗିଜର, ଅଣ-ଇଲେକ୍ଟ୍ରିକ୍ ପାଣି ଫିଲ୍ଟର, ଇଲେକ୍ଟ୍ରିକ ଆଇରନ, ଭାକ୍ୟୁମ୍ କ୍ଲିନର୍, ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ରେଡିମେଡ୍ ପୋଷାକ, ୫୦୦-୧୦୦୦ ଟଙ୍କା ମଧ୍ୟରେ ଜୋତା, ଅଧିକାଂଶ ଟୀକା, HIV/TB ଡାଇଗ୍ନୋଷ୍ଟିକ୍ କିଟ୍, ସାଇକେଲ, ବାସନକୁସନ, ଜ୍ୟାମିତି ବାକ୍ସ, ମାନଚିତ୍ର, ଗ୍ଲୋବ୍, ଗ୍ଲେଜ୍ ଟାଇଲ୍ସ, ପ୍ରି-ଫେବ୍ରିକେଟେଡ୍ ବିଲ୍ଡିଂ, ୱେଡିଂ ମେସିନ୍, ସାର୍ବଜନୀନ ପରିବହନ ଯାନ, କୃଷି ଯନ୍ତ୍ରପାତି, ସୌର ୱାଟର ହିଟର୍।ଏହିସବୁ ପ୍ରଡକ୍ଟ ୭ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ହେବ।

ଏହି ସାମଗ୍ରୀ ଉପରେ ଟ୍ୟାକ୍ସ ୨୮ରୁ ୧୮%କୁ ଖସିବ

ସିମେଣ୍ଟ, ବ୍ୟୁଟି ପ୍ରଡକ୍ଟ, ଚକୋଲେଟ୍, ରେଡି-ମିକ୍ସ କଂକ୍ରିଟ୍, ଟିଭି, ଫ୍ରିଜ୍, ୱାସିଂ ମେସିନ୍, ଏସି, ଡିସୱାସର୍, ପ୍ରାଇଭେଟ୍ ପ୍ଲେନ୍, ପ୍ରୋଟିନ୍ କନସେଣ୍ଟ୍ରେଟ୍, ଚିନି ସିରପ୍, କଫି କନସେଣ୍ଟ୍ରେଟ୍, ପ୍ଲାଷ୍ଟିକ୍ ଉତ୍ପାଦ, ରବର ଟାୟାର, ଆଲୁମିନିୟମ୍ ଫଏଲ୍, ଟେମ୍ପର୍ଡ ଗ୍ଲାସ୍, ପ୍ରିଣ୍ଟର୍, ରେଜର, ମେନିକ୍ୟୁର୍ କିଟ୍, ଡେଣ୍ଟାଲ୍ ଫ୍ଲସ୍। ଏଗୁଡ଼ିକ ସବୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ହେବ। 

ସମସ୍ତ ପ୍ରକାର ଇନ୍ସୁରାନ୍ସ ପ୍ରିମିୟମ ହ୍ରାସ ପାଇବ

ଏବେ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ୧୮% ଜିଏସ୍‌ଟି ରହିଛି। ଏହାକୁ ୫% କରାଯାଇପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହାକୁ ୦% ମଧ୍ୟ କରିବାର ସମ୍ଭାବନା ରହିଛି। କାରଣ ଅର୍ଥ ମନ୍ତ୍ରଣାଳୟର କହିବା କଥା ହେଲା ଯଦି ଟିକସ ହ୍ରାସ କରାଯାଏ, ତେବେ ଅଧିକରୁ ଅଧିକ ଲୋକ ବୀମା କଭର ନେଇପାରିବେ।

ଆକୟର  ରିଟର୍ଣ୍ଣ ଭଳି ଜିଏସ୍‌ଟି ରିଫଣ୍ଡ ବି ହେବ ସରଳ

ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟା ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ। ଏଥିପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ ନାହିଁ। ଏହା ସ୍ୱୟଂଚାଳିତ ଭାବରେ ଜାରି ହେବ। ପଞ୍ଜୀକରଣ ପ୍ରକ୍ରିୟା ଅନଲାଇନ୍ ହୋଇଯିବ। ଏହାର ଅର୍ଥ ହେଉଛି ରିଟର୍ଣ୍ଣ ଫାଇଲିଂରେ ମଧ୍ୟ ପ୍ରି-ଫିଲ୍ଡ ରିଟର୍ଣ୍ଣ ବ୍ୟବହାର କରାଯିବ, ଯାହା ତ୍ରୁଟି କମ କରିବା ସହ ମାନୁଆଲ୍ କାମ ହ୍ରାସ କରିବ। ରିଟର୍ଣ୍ଣ ଫର୍ମରେ ଟିକସ ନେଣଦେଣ ଏବଂ ବ୍ୟବସାୟିକ ସୂଚନା ମଧ୍ୟ ଅନଲାଇନ୍‌ରେ ଦେଖାଯିବ।

ଟେକ୍ସଟାଇଲ ଉଧ୍ୟୋଗକୁ ମିଳିବ ବଡ଼ ଆଶ୍ୱସ୍ତି

ସରକାର ଇନଭର୍ଟେଡ୍ ଡ୍ୟୁଟିରେ ସୁଧାର ଆଣିବେ। ଏଥିରେ ପୋଷାକ, ଜୋତା-ଚପଲ ଏବଂ ସାର ଶସ୍ତା କରିବ। ବର୍ତ୍ତମାନ, ପୋଷାକ ପାଇଁ କଞ୍ଚାମାଲ ଉପରେ ୧୨% ଏବଂ ପ୍ରସ୍ତୁତ ପୋଷାକ ଉପରେ ୫% GST ଲାଗୁ ହେଉଛି। ସୁଧାର ପରେ, ଉଭୟ ଉପରେ ମାତ୍ର ୫% ଶୁଳ୍କ ଲାଗିବ। ଫଳରେ ବୟନ ଶିଳ୍ପର ଖର୍ଚ୍ଚ କମିଯିବ। ସେପଟେ ଟ୍ରମ୍ପ ଲାଗୁ କରିଥିବା ଶୁଳ୍କ କେବଳ ବୟନ କ୍ଷେତ୍ର ଉପରେ ୧୦ ଡଲାର ବିଲିୟନ ଚାପ ପକାଇବ। ହେଲେ ନୂଆ ସଂସ୍କାର ଶୁଳ୍କର ପ୍ରଭାବ ହ୍ରାସ କରିବ। ସେହିପରି, ସାରରେ ଇନପୁଟ୍ ଉପରେ ଟିକସ ୧୮% ରୁ ୫% କୁ ହ୍ରାସ କରାଯାଇପାରିବ। ଫଳରେ କୃଷକମାନଙ୍କ ପାଇଁ ସାର କିଣିବା ଶସ୍ତା ହୋଇଯିବ।

କମ୍ପେନସେସନ ସେସ୍ ବନ୍ଦ ହେବ

ଅଲ୍ଟ୍ରା ଲଗଜୁରୀ ସାମଗ୍ରୀ ଉପରେ କମ୍ପେନସେସନ ସେସ୍ ଲାଗୁ ହୁଏ, ଯାହା ୨୦୪%। ଏହା ସମାପ୍ତ ହେବ। ଏହା ବଦଳରେ, ଲଗଜରୀ, କ୍ଷତିକାରକ ସାମଗ୍ରୀ, ତମାଖୁ, ଅନଲାଇନ୍ ଗେମିଂ ଉପରେ ୪୦%ର ଏକ ସ୍ୱତନ୍ତ୍ର ଦର ଲାଗୁ ହେବ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ପରେ, ଅର୍ଥ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାର GST ପରିଷଦର ମନ୍ତ୍ରୀ ଗ୍ରୁପ୍‌ (GoM) କୁ ଜିଏସ୍‌ଟି ହାର ସରଳୀକରଣ ଏବଂ ସଂସ୍କାର ପାଇଁ ଏକ ପ୍ରସ୍ତାବ ପଠାଇଛନ୍ତି। ଏଥିରେ ଜିଏସ୍‌ଟିର ୪ ଟି ସ୍ଲାବକୁ ଦୁଇଟିକୁ ହ୍ରାସ କରିବା ଠାରୁ ଆରମ୍ଭ କରି ପ୍ରକ୍ରିୟାକୁ ସରଳ କରିବା ପର୍ଯ୍ୟନ୍ତ ପ୍ରସ୍ତାବ ରହିଛି।

କେନ୍ଦ୍ରର ପ୍ରସ୍ତାବିତ ଟିକସ ସୁଧାର ୩ ମୁଖ୍ୟ ଆଧାର ଉପରେ କେନ୍ଦ୍ରିତ। 

ପ୍ରଥମ ହେଲା ଢାଞ୍ଚାଗତ ସୁଧାର- ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକ୍ଚରକୁ ସୁଧାର କରିବା-

ଏହାକୁ ସଂଶୋଧନ କରିବା ଅର୍ଥ କଞ୍ଚାମାଲ (ଇନପୁଟ୍) ଉପରେ ଟିକସ ଏବଂ ପ୍ରସ୍ତୁତ ସାମଗ୍ରୀ (ଆଉଟପୁଟ୍) ଉପରେ ଟିକସକୁ ଏକ ସନ୍ତୁଳନରେ ଆଣିବା। କଞ୍ଚାମାଲ ଉପରେ ଅଧିକ ଟିକସ ଏବଂ ପ୍ରସ୍ତୁତ ସାମଗ୍ରୀ ଉପରେ କମ ଟିକସ ଯୋଗୁ, ବ୍ୟବସାୟୀମାନେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ଜମା ହୁଏ। ସୁଧାର ପରେ ଟିକସ ହାର ଏପରି ସ୍ଥିର କରାଯିବ ଯେ ଆଇଟିସି ଜମା ହ୍ରାସ ପାଇବ। ଏହା ଦେଶରେ ଉତ୍ପାଦିତ ସାମଗ୍ରୀକୁ ପ୍ରୋତ୍ସାହିତ କରିବ।

ଦ୍ୱିତୀୟଟି ହେଲା- ଟ୍ୟାକ୍ସ ରେଟ୍‌ର ସରଳୀକରଣ

ସାଧାରଣ ସାମଗ୍ରୀ ଉପରେ ଟିକସ ହ୍ରାସ: ସାଧାରଣ ଏବଂ ଆବଶ୍ୟକୀୟ ସାମଗ୍ରୀ ଉପରେ ଟିକସ ହ୍ରାସ କରିବା ଦ୍ଵାରା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ (ଯେପରିକି ଖାଦ୍ୟ, ପୋଷାକ) ଏବଂ ଲୋକମାନେ କିଣିବାକୁ ଚାହୁଁଥିବା ଜିନିଷ (ଯେପରିକି ସ୍ମାର୍ଟଫୋନ୍, ଟିଭି) ଶସ୍ତା ହୋଇଯିବ। ଦର ହ୍ରାସ ପରେ ଲୋକେ ସାମଗ୍ରୀ କିଣିପାରିବେ। ଏଥିରେ ଖାଉଟି ବ୍ୟବହାର ବଢ଼ିବ। ଯାହା ଅର୍ଥନୀତିକୁ ଗତି ଦେବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। 

ଟିକସ ସ୍ଲାବକୁ ୨ କୁ ହ୍ରାସ କରିବା: କେନ୍ଦ୍ର ସରକାର ଏକ ଦୁଇସ୍ତରୀୟ ଜିଏସ୍‌ଟି ବ୍ୟବସ୍ଥା ପ୍ରସ୍ତାବ ଦେଇଛନ୍ତି। ଏଥିରେ ଏକ ଷ୍ଟାଣ୍ଡାର୍ଡ ଓ ଏକ ମେରିଟ୍ ସ୍ଲାବ ରହିବ। ଏବଂ କିଛି ବଛା ବଛା ସାମଗ୍ରୀ ପାଇଁ ସ୍ୱତନ୍ତ୍ର ହାର ରହିବ। ଏହି ଦୁଇସ୍ତରୀୟ ସ୍ଲାବ ବର୍ତ୍ତମାନ ଥିବା ୫%, ୧୨%, ୧୮% ଏବଂ ୨୮% ସ୍ଲାବକୁ ବଦଳାଇବ। ଏହା ଟିକସ ବ୍ୟବସ୍ଥାକୁ ସରଳ ଏବଂ ବୁଝିବା ସହଜ କରିବ।

କମ୍ପେନସେସନ ସେସ୍- ଏହାର ଶେଷ ହେବା ପରେ ସରକାରଙ୍କ ପାଖରେ ଅଧିକ ଟଙ୍କା ଉପଲବ୍ଧ ରହିବ। ଫଳରେ ଜିଏସ୍‌ଟି ଅଧୀନରେ ଟିକସ ହାରକୁ ସରଳ ଏବଂ ସନ୍ତୁଳିତ କରିବାରେ ସରକାରଙ୍କୁ ବଳ ମିଳିବ।

ତୃତୀୟ ଆଧାର ହେଲା ଜୀବନକୁ ସରଳ ବନାଇବା

• କ୍ଷୁଦ୍ର ବ୍ୟବସାୟ ପାଇଁ ସହଜ, ଟେକ୍ନୋଲୋଜୀ-ଭିତ୍ତିକ ଏବଂ ସମୟସୀମା ମଧ୍ୟରେ ପଞ୍ଜୀକରଣ।

• ମାନୁଆଲ୍ କାମ ହ୍ରାସ କରିବା ଏବଂ ତ୍ରୁଟି ଦୂର କରିବା ପାଇଁ ପୂର୍ବରୁ ପୂରଣ ହୋଇଥିବା ରିଟର୍ଣ୍ଣର ପ୍ରଚଳନ।

• ରପ୍ତାନିକାରୀ ଏବଂ ଇନଭର୍ଟେଡ ଡ୍ୟୁଟି ଷ୍ଟ୍ରକ୍ଚର ପାଇଁ ଦ୍ରୁତ ଏବଂ ସ୍ୱୟଂଚାଳିତ ରିଫଣ୍ଡ ପ୍ରକ୍ରିୟା କରିବା।

ଜିଏସଟି ପରିଷଦର ପରବର୍ତ୍ତୀ ବୈଠକରେ ମନ୍ତ୍ରିମଣ୍ଡଳର ସୁପାରିଶଗୁଡ଼ିକ ଉପରେ ଆଲୋଚନା କରାଯିବ ଏବଂ ଏହି ସଂସ୍କାରଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରାଯିବ। ଯାହା ଦ୍ଵାରା ଏହାର ଲାଭ ଚଳିତ ଆର୍ଥିକ ବର୍ଷରେ ହିଁ ଦେଖିବାକୁ ମିଳିପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.