ନୂଆଦିଲ୍ଲୀ ୦୨/୧୦: ରାଷ୍ଟ୍ରୀୟ ନିରାପତ୍ତା ତଥା ଦେଶର ଗୋପନ ତଥ୍ୟଗୁଡ଼ିକର ସୁରକ୍ଷା ଦିଗରେ କେନ୍ଦ୍ର ସରକାର କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ । ଏଥିପାଇଁ ଦେଶରେ ମେଡ୍-ଇନ୍ଚାଇନା ସର୍ଭିଲାନ୍ସ ଉପକରଣ ବ୍ୟବହାର ଉପରେ ଲାଗିବାକୁ ଯାଉଛି କଟକଣା । ଖୁବ୍ଶୀଘ୍ର ଏ ଦିଗରେ କାର୍ଯ୍ୟକାରୀ ହେବ ନୂଆ ନୀତି ।
ଚାଇନିଜ୍ ସର୍ଭିଲାନ୍ସ କ୍ୟାମେରା ତଥା ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ଚୀନ୍ ଦେଶରେ ଗୁପ୍ତଚର କାର୍ଯ୍ୟକଳାପ କରିବା ଆଶଙ୍କା ରହିଛି । ତେଣୁ ଉପରୋକ୍ତ ଗାଇଡ୍ଲାଇନ୍ ଆଣି ଚାଇନିଜ୍ କମ୍ପାନିଗୁଡ଼ିକୁ ବଜାରରୁ କାଢ଼ିବା ପାଇଁ ତ୍ୱରିତ ପଦକ୍ଷେପ ନେଉଛନ୍ତି ସରକାର । ନିକଟରେ ଲେବାନନ୍ରେ ପେଜର୍ ବିସ୍ଫୋରଣ ପରେ ଭାରତ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଚାଇନିଜ୍ ସର୍ଭିଲାନ୍ସ ଉପକରଣ ଦ୍ୱାରା ହୁଏତ ଦେଶରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି ।
ଉକ୍ତ ଆଶଙ୍କା କରି ସରକାର ଏଭଳି ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଯାହାଦ୍ୱାରା ଭାରତର ସର୍ଭିଲାନ୍ସ ଉପକରଣ ବଜାରରୁ ବାଦ୍ ପଡ଼ିବେ ଚାଇନିଜ୍ କମ୍ପାନି ଆଉ ସ୍ଥାନୀୟ ଭେଣ୍ଡର୍ଙ୍କୁ ମିଳିବ ପ୍ରୋତ୍ସାହନ । ପେଜର୍ ମାଧ୍ୟମରେ ଯଦି ବିସ୍ଫୋରଣ ହୋଇପାରୁଛି ତେବେ ଚାଇନା ନିର୍ମିତ ସର୍ଭିଲାନ୍ସ ଉପକରଣ ଦେଶର ସୁରକ୍ଷା କ୍ଷେତ୍ରରେ ସମସ୍ୟା ଆଣିବାର ଆଶଙ୍କା କରୁଛନ୍ତି ସରକାର ।
ଏକାଧିକ ସୂତ୍ରରୁ ଜଣାପଡ଼ିଛି ଯେ, ସର୍ଭିଲାନ୍ସ ବଜାରରେ ସ୍ଥାନୀୟ ଭେଣ୍ଡର୍ଙ୍କ ସମର୍ଥନରେ ନିୟମାବଳୀ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ପେଜର୍ ବିସ୍ଫୋରଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମ୍ବେଦଳଶୀଳ ଉପକରଣ ଏବଂ ପାର୍ଟସଗୁଡ଼ିକର ଉତ୍ସ ଉପରେ ଯଥେଷ୍ଟ ଧ୍ୟାନ ଦେଉଥିବା ଶିଳ୍ପ ସୂତ୍ରରୁ ଜଣାପଡ଼ିଛି । ସର୍ଭିଲାନ୍ସ କ୍ୟାମେରାଗୁଡ଼ିକ ଉପରେ ନୂଆ ନୀତିକୁ ଅକ୍ଟୋବର ୮ରେ କାର୍ଯ୍ୟକାରୀ କରାଯାଇପାରେ । ଏହା ମାଧ୍ୟମରେ ବଜାରରୁ ଚାଇନିଜ୍ କମ୍ପାନିଗୁଡ଼ିକ ହଟିଯିବେ ।
ଏହାର ଲାଭ ଭାରତୀୟ କମ୍ପାନିଗୁଡ଼ିକୁ ମିଳିବ । ଚଳିତବର୍ଷ ମାର୍ଚ୍ଚରେ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଲେବାନନ୍ ବିସ୍ଫୋରଣ ପରେ ସୁରକ୍ଷାକୁ ଆଖି ଆଗରେ ରଖି ତ୍ୱରିତ ଭାବେ ସିସିଟିଭି କ୍ୟାମେରା ଉପରେ ଗାଇଡ୍ଲାଇନ୍ କାର୍ଯ୍ୟକାରୀ କରିବା ପାଇଁ ସରକାର ଆଗଉଛନ୍ତି । ଆସିବାକୁ ଥିବା ଗାଇଡ୍ଲାଇନ୍ ଅନୁସାରେ, ଭରସାଯୋଗ୍ୟ ଉତ୍ସରୁ ସର୍ଭିଲାନ୍ସ ଉତ୍ପାଦ ଅଣାଯିବ । ଏଭଳି କୌଣସି ଉତ୍ସରୁ ସର୍ଭିଲାନ୍ସ ଉପକରଣ ଅଣାଯିବ ନାହିଁ, ଯାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ।
କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଗବେଷଣା ବିଶ୍ଳେଷକ ବରୁଣ ଗୁପ୍ତା କୁହନ୍ତି, ସମ୍ପ୍ରତି ସିପି ପ୍ଲସ୍, ହିକ୍ଭିଜନ ଏବଂ ଦହୁଆ କଣ୍ଟ୍ରୋଲର ଭାରତ ବଜାରରେ ୬୦%ରୁ ଅଧିକ ନିୟନ୍ତ୍ରଣ ରହିଛି । ସରକାରଙ୍କ ନୂଆ ନୀତି ଆସିବା ଦ୍ୱାରା ଏହି କମ୍ପାନିଗୁଡ଼ିକ ସେମାନଙ୍କ ସର୍ଭିଲାନ୍ସ ପୋର୍ଟଫୋଲିଓରେ ସ୍ଥାନୀୟ କଣ୍ଟେଣ୍ଟ ବଢ଼ାଇବାକୁ ଉଦ୍ୟମ କରିବେ ଏବଂ ଗବେଷଣା ଓ ବିକାଶରେ ନିବେଶକୁ ଦୁଇଗୁଣା କରିବେ । ସିପି ପ୍ଲସ୍ ଭାରତୀୟ କମ୍ପାନି ହୋଇଥିବାବେଳେ ହିକ୍ଭିଜନ୍ ଏବଂ ଦହୁଆ ଚାଇନିଜ୍ କମ୍ପାନି ।
୨୦୨୨ ନଭେମ୍ବରରେ ଆମେରିକା ସରକାରଙ୍କ ଫେଡେରାଲ କମ୍ୟୁନିକେଶନ୍ସ କମିସନ(ଏଫ୍ସିସି) ଜାତୀୟ ସୁରକ୍ଷା ପ୍ରତି ବିପଦ ଆଶଙ୍କା କରି ହିକ୍ଭିଜନ୍ ଏବଂ ଦହୁଆ ଏହି ଦୁଇ କମ୍ପାନିଙ୍କ ପ୍ରଡକ୍ଟ ବିକ୍ରିକୁ ଦେଶରେ ବ୍ୟାନ କରିଥିଲା । ଆମେରିକା ଉପରେ ଗୋଇନ୍ଦାଗିରି କରିବା ପାଇଁ ଚୀନ୍ ଦ୍ୱାରା ଏସବୁ ଉପକରଣଗୁଡ଼ିକର ବ୍ୟବହାର କରାଯିବାର ଆଶଙ୍କା ମଧ୍ୟରେ ଏହି ବ୍ୟାନ୍ ଲଗାଯାଇଥିଲା । ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଏସବୁ କମ୍ପାନି ବିପଦ ବୋଲି ଏଫ୍ସିସି ଘୋଷଣା କରିଥିଲା ।
ପ୍ରକ୍ରିୟା ସହ ଜଡ଼ିତ ବ୍ୟକ୍ତିମାନଙ୍କ କହିବାନୁସାରେ, ଭାରତ ସରକାର ଚାଇନିଜ୍ ସିସିଟିଭି ଉପକରଣ ଟେଣ୍ଡରକୁ ଖାରଜ କରିଆସୁଛନ୍ତି । ବଦଳରେ ବସ୍ ଭଳି ୟୁରୋପୀୟ କମ୍ପାନିକୁ ପ୍ରାଥମିକତା ଦେଉଛନ୍ତି । ପ୍ରକାଶଯୋଗ୍ୟ, ଚାଇନା କମ୍ପାନିଗୁଡ଼ିକର ସର୍ଭିଲାନ୍ସ କ୍ୟାମେରା ତୁଳନାରେ ‘ବସ୍’ର ପ୍ରଡକ୍ଟ ଦର ପ୍ରାୟ ୭ରୁ ୧୦ ଗୁଣା ଅଧିକ । ଅଧିକ ଦର ଥିବା ସତ୍ତେ୍ୱ ଭରସାଯୋଗ୍ୟ ଉତ୍ସରୁ ଉପକରଣ କିଣିବା ଉପରେ ଜୋର ଦେଉଛନ୍ତି ସରକାର ।