ନୂଆଦିଲ୍ଲୀ: ଲାଗୁ ହୋଇଛି ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ (DPDP) ଆକ୍ଟ ୨୦୨୩। ଶନିବାର ସରକାର ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନର ନିୟମ ଜାରି କରିଛନ୍ତି। ଏହି ନିୟମ ସାଧାରଣ ଲୋକଙ୍କ ଡିଜିଟାଲ ଗୋପନୀୟତାକୁ ମଜଭୁତ କରିବା ସହ ନବସୃଜନ ଏବଂ ଡିଜିଟାଲ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହନ ଦେବ। ଡିପିଡିପି ଆକ୍ଟ ୨୦୨୩ ଅଗଷ୍ଟ ୧୧ରେ ସଂସଦରେ ପାସ କରାଯାଇଥିଲା। ଏହା ଡିଜିଟାଲ ପର୍ସନାଲ ଡାଟାକୁ ନିୟନ୍ତ୍ରିତ କରୁଥିବା କମ୍ପାନିଙ୍କ (ଡାଟା ଫିଡସ୍ୟୁରି)ର ଦାୟିତ୍ବ ନିର୍ଦ୍ଧାରଣ କରିଥାଏ ଏବଂ ଲୋକଙ୍କୁ ଅଧିକାର ଦେଇଥାଏ।

ପିଲା ଏବଂ ଦିବ୍ୟାଙ୍ଗଙ୍କ ତଥ୍ୟ ପାଇଁ ପ୍ୟାରେଣ୍ଟସଙ୍କ ଅନୁମତି ବାଧ୍ୟତାମୂଳକ

ଏହି ନିୟମ ଅନୁସାରେ, କୌଣସି ପ୍ରକାରେ ପିଲାଙ୍କ ଡାଟା ବ୍ୟବହାର କରୁଥିଲେ ସେମାନଙ୍କ ମାତା-ପିତାଙ୍କ ସହମତି ବାଧ୍ୟମୂଳକ ହେବ। ଅବଶ୍ୟ ସ୍ବାସ୍ଥ୍ୟସେବା, ଶିକ୍ଷା କିମ୍ବା ରିୟଲ-ଟାଇମ ସେଫ୍ଟି ଭଳି ଜରୁରୀ ଦିଗକୁ ବାଦ୍ ଦିଆଯାଇଛି। ସେହିଭଳି ଯେଉଁ ଦିବ୍ୟାଙ୍ଗମାନେ ଆଇନଗତ ନିଷ୍ପତ୍ତି ନେଇପାରୁନାହାଁନ୍ତି, ସେଭଳି କ୍ଷେତ୍ରରେ ସେମାନଙ୍କ ଆଇନତଃ ପ୍ରମାଣିତ ଅଭିଭାବକଙ୍କ ଅନୁମତି ନେବାକୁ ପଡ଼ିବ।

DPDP ଆକ୍ଟର ୫ ଗୁରୁତ୍ବପୂର୍ଣ୍ଣ ଦିଗ

ଅନୁମତି ବିନା ନେଇପାରିବେନି ତଥ୍ୟ: କୌଣସି କମ୍ପାନି କିମ୍ବା ଆପ୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ପୂର୍ବରୁ ସ୍ପଷ୍ଟ ଭାବରେ ଜଣାଇବେ ଯେ, ଏହି ତଥ୍ୟର ସେ କିପରି ବ୍ୟବହାର କରିବେ। ବିନା ଅନୁମତିରେ ସେମାନେ ତଥ୍ୟ ନେଇପାରିବେ ନାହିଁ। ଯଦି ଆପଣ ଚାହୁନଥିବେ, ତେବେ ଡାଟା ଶେୟାର କରନ୍ତୁ ନାହିଁ। ଏହା ଆପଣଙ୍କ ହକ୍।

କେବଳ ଜରୁରୀ କାମ ପାଇଁ ନେଇପାରିବେ ଡାଟା

କମ୍ପାନି କେବଳ କହିଥିବା କାମ ପାଇଁ ହିଁ ଆପଣଙ୍କ ଡାଟା ବ୍ୟବହାର କରିପାରିବ। ଉଦାହରଣ ସ୍ବରୂପ ସପିଂ ଆପ୍ କେବଳ ଅର୍ଡର ପାଇଁ ବ୍ୟବହାର କରିପାରିବେ। ମାର୍କେଟିଂ ପାଇଁ ନୁହେଁ। ଯଦି ଏହାର ଭୁଲ ବ୍ୟବହାର ହୁଏ ତେବେ ଆପଣ ଅଭିଯୋଗ କରିପାରିବେ।

ନିଜ ଡାଟାର ସଂପୂର୍ଣ୍ଣ ନିୟନ୍ତ୍ରଣ

ଆପଣ କମ୍ପାନିକୁ ଦେଇଥିବା ତଥ୍ୟ ଦେଖିପାରିବେ, ଏଥିରେ ତ୍ରୁଟି ସଂଶୋଧନ କରିପାରିବେ। ଅପଡେଟ କିମ୍ବା ସଂପୂର୍ଣ୍ଣ ଡାଟା ଡିଲିଟ୍ ମଧ୍ୟ କରିପାରିବେ। କମ୍ପାନିଙ୍କୁ ୯୦ ଦିନ ଭିତରେ ଜବାବ ଦେବାକୁ ପଡ଼ିବ।

ଡାଟା ଲିକ୍ ହେଲେ ମିଳିବ ତୁରନ୍ତ ସୂଚନା

ଯଦି ଆପଣଙ୍କ ଡାଟା ଚୋରି କିମ୍ବା ବ୍ରେକ ହେଉଛି। ତେବେ କମ୍ପାନିକୁ ତୁରନ୍ତ ଆପଣଙ୍କୁ ଜଣାଇବାକୁ ପଡ଼ିବ। ଏହି ଡାଟା ବ୍ରିଚ୍ର କ’ଣ ପ୍ରଭାବ ପଡ଼ିବ ? ଏବଂ କ’ଣ ପଦକ୍ଷେପ ନିଆଯାଇଛି ? ଯେପରି ଆପଣ ସତର୍କ ରହିପାରିବେ।

ସହଜ କରିହେବ ଅଭିଯୋଗ

ଏକାଧିକ ଅସୁବିଧା ଥିଲେ ଡାଟା ପ୍ରୋଟେକ୍ସନ ବୋର୍ଡରେ ଅନଲାଇନ୍ କିମ୍ବା ଆପ୍ ଦ୍ବାରା ଅଭିଯୋଗ ଦାଖଲ କରିପାରିବେ। ଏହା ମାଗଣା ଏବଂ ସହଜରେ ଟ୍ରାକିଂ କରିହେବ। ଯଦି ଏଥିରେ ସନ୍ତୁଷ୍ଟ ନୁହଁନ୍ତି, ତେବେ TDSAT କୋର୍ଟରେ ଅପିଲ କରିପାରିବେ। ଛୋଟ ବ୍ୟବସାୟ ପାଇଁ ମଧ୍ୟ ଅଭିଯୋଗ କରିବାକୁ ସହଜ ରଖାଯାଇଛି, ଯେପରି ସେବା ମହଙ୍ଗା ନହେବ।

ତଥ୍ୟ ଉଲ୍ଲଂଘନ ଏବଂ ଅଭିଯୋଗର କ’ଣ କରାଯିବ ?

ଯଦି ବ୍ୟକ୍ତିଗତ ତଥ୍ୟର ଉଲ୍ଲଂଘନ ଘଟେ। ତେବେ କମ୍ପାନିଙ୍କୁ ତୁରନ୍ତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଏହି ଡାଟା ବ୍ରିଚ ସମ୍ପର୍କତରେ ଜଣାଇବାକୁ ପଡ଼ିବ। ଏହା କେତେ ମାରାତ୍ମକ, ଏହାର ସମ୍ଭାବ୍ୟ ପ୍ରଭାବ କ’ଣ ? ଏଥିରୁ ବର୍ତ୍ତିବା ପାଇଁ କ’ଣ ପଦକ୍ଷେପ ନିଆଯିବା ଉଚିତ ? ଏବଂ କାହାର ସାହାଯ୍ୟ ନେବା ଉଚିତ ? ସେ ବିଷୟରେ ସରଳ ଭାଷାରେ ଜଣାଇବେ।

ନିୟମ ଅନୁସାରେ, ବ୍ୟକ୍ତିବିଶେଷଙ୍କୁ ଅଧିକାର ମିଳିଛି ସେମାନେ ନିଜର ତଥ୍ୟ ସଂଶୋଧନ, ଅପଡେଟ୍ କିମ୍ବା ଡିଲିଟ କରିପାରିବେ। ଏହା ସର୍ବାଧିକ ୯୦ ଦିନ ଭିତରେ ହେବା ଦରକାର। ଅଭିଯୋଗ ଦାଖଲ ପାଇଁ ଡାଟା ସୁରକ୍ଷା ବୋର୍ଡ ଡିଜିଟାଲ୍ ହେବ। ଏହାଦ୍ବାରା ଅନଲାଇନ୍ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଦାଖଲ ଏବଂ ଟ୍ରାକିଂ କରିହେବ।

ସୂଚନାଥାଉକି, ପୂର୍ବରୁ ଥିବା ନିୟମ ଅନୁସାରେ ପିଲାଙ୍କ ତଥ୍ୟ ପାଇଁ ମାତା-ପିତାଙ୍କ ଅନୁମତି ବାଧ୍ୟତାମୂଳକ କରିବା ଭଳି କୌଣସି କଡ଼ା ନିୟମ ନଥିଲା। ଆଇଟି ଆଇନ ୨୦୦୦ ଏବଂ ଆଇଟି ନିୟମ ୨୦୨୧ ଶିଶୁ ସୁରକ୍ଷା ଏବଂ ଚାଇଲ୍ଡ କଣ୍ଟେଣ୍ଟ ବା ଶିଶୁଙ୍କ ଉପରେ ପର୍ଯ୍ୟବେସିତ ବିଷୟବସ୍ତୁର ସୁରକ୍ଷା ଉପରେ ଧ୍ୟାନ ଦେଇଥିଲା। ଏହା ମୁଖ୍ୟତଃ ବିଷୟବସ୍ତୁ ନିୟନ୍ତ୍ରଣ (ଯେପରିକି ଶିଶୁ ପର୍ଣ୍ଣୋଗ୍ରାଫି କିମ୍ବା କ୍ଷତିକାରକ ବିଷୟବସ୍ତୁକୁ ଅବରୋଧ କରିବା) ଏବଂ ରିପୋର୍ଟିଂ ପଦ୍ଧତି ଉପରେ ଧ୍ୟାନ ଦେଇଥିଲା। କମ୍ପାନୀଗୁଡ଼ିକୁ ଜଣେ ଶିଶୁ ସୁରକ୍ଷା ଅଧିକାରୀ ନିଯୁକ୍ତ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ବ୍ୟବହାରକାରୀମାନଙ୍କୁ ସେମାନଙ୍କର ବୟସ ପ୍ରକାଶ କରିବାକୁ ବାଧ୍ୟ କରାଯାଇଥିଲା, କିନ୍ତୁ ଯାଞ୍ଚକରଣ ଇଚ୍ଛାଧୀନ ଥିଲା। କୌଣସି ବାଧ୍ୟତାମୂଳକ ଆଇଡି ଯାଞ୍ଚ କିମ୍ବା ଟ୍ରାକିଂ ପ୍ରତିବନ୍ଧକ ନଥିଲା।

ତେବେ DPDP ନିୟମ ୨୦୨୫ ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ପିଲାର ଯେକୌଣସି ବ୍ୟକ୍ତିଗତ ତଥ୍ୟ (ଯେପରିକି ନାମ, ସ୍ଥାନ, ଫଟୋ) ପ୍ରକ୍ରିୟାକରଣ କରିବା ପୂର୍ବରୁ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କ ସମ୍ମତି ଏବେ ବାଧ୍ୟତାମୂଳକ। ପୂର୍ବରୁ, IT ନିୟମଗୁଡ଼ିକ କେବଳ ବିଷୟବସ୍ତୁ ସୁରକ୍ଷା ଉପରେ ଧ୍ୟାନ ଦେଉଥିଲା, କିନ୍ତୁ ବର୍ତ୍ତମାନ ଡାଟା ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି। ଟ୍ରାକିଂ, ଉଦ୍ଦେଶ୍ୟମୂଳକ ବିଜ୍ଞାପନ ଏବଂ ବ୍ୟବହାରର ମନିଟରିଂ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା। ହେଲେ ଏବେ ଯାଞ୍ଚ ବୈଷୟିକ (AI ବୟସ ଯାଞ୍ଚ, ID ଟୋକନ୍) ହେବ।

ନିୟମ ପରିବର୍ତ୍ତନ ଯୋଗୁ ଅଭିଭାବକମାନଙ୍କୁ ଏବେ କ'ଣ କରିବାକୁ ପଡ଼ିବ ?

ଯଦି ଆପଣଙ୍କ ପିଲା ସୋସିଆଲ ମିଡିଆ ଆକାଉଣ୍ଟ ତିଆରି କରିବାକୁ ଚାହୁଁଛି, ତେବେ ସାଇନ୍-ଅପ୍ ସମୟରେ ପିଲାଟି ତା'ର ବୟସ (୧୮ ବର୍ଷରୁ କମ୍) କହିବ। ଏହା ପରେ ପିତାମାତାଙ୍କୁ ଆପ୍ / ୱେବସାଇଟ୍ରେ ଲଗ୍ ଇନ୍ କରି, ନିଜ ଆଇଡି ଦ୍ବାରା ଅନୁମତି ଦେବାକୁ ପଡ଼ିବ। ସମ୍ମତି ସ୍ପଷ୍ଟ ହେବା ଆବଶ୍ୟକ। ଅଭିଭାବକ ଯେକୌଣସି ସମୟରେ ସମ୍ମତି ପ୍ରତ୍ୟାହାର କରିପାରିବେ। ଏହା ପରେ ପିଲାର ଡାଟା ଡିଲିଟ୍ ହୋଇଯିବ।

ନୂତନ ପରିବର୍ତ୍ତନର କ’ଣ ଲାଭ ହେବ ?

ଏହି ନୂଆ ନିୟମ ଦ୍ବାରା ପିଲାମାନଙ୍କର ଗୋପନୀୟତା ଏବଂ ସୁରକ୍ଷା ଯେପରିକି ତଥ୍ୟ ଚୋରି, ସାଇବର ଧମକ ଆଦିରୁ ସୁରକ୍ଷିତ ରହିପାରିବ। ଅଭିଭାବକ ପିଲାର ଡାଟା ସେୟାର କରାଯିବ କି ନାହିଁ ତାହା ନିର୍ଦ୍ଧାରିତ କରିପାରିବେ। ଅନଲାଇନ୍ ଶୋଷଣ ହ୍ରାସ ପାଇବ।କମ୍ପାନିଗୁଡ଼ିକ ଅଧିକ ଦାୟିତ୍ୱବାନ ହେବେ ଏବଂ ଭାରତର ଡାଟା ସୁରକ୍ଷା ଆଇନ ବିଶ୍ୱ ମାନଦଣ୍ଡରେ ପହଞ୍ଚିବ।

ତେବେ ଯଦି କେହି ନିଜ ବୟସ ଭୁଲ ଭାବେ ଦର୍ଶାଇ ୧୮ ବର୍ଷରୁ ଅଧିକ କହିଥିବ, ଆଉ କମ୍ପାନିକୁ ଏହା ଉପରେ ସନ୍ଦେହ ହୁଏ ତେବେ ଅତିରିକ୍ତ ଯାଞ୍ଚ କରାଯିବ। ଏହା ରିୟଲ ଟାଇମ ଫଟୋ କିମ୍ବା ଏଆଇ ଦ୍ବାରା ଭେରିଫିକେସନ ହୋଇପାରେ। କିନ୍ତୁ ପରେ ଜଣାପଡ଼ିଲେ ତଥ୍ୟ ଡିଲିଟ୍ କରିବାକୁ ପଡ଼ିବ ଏବଂ କମ୍ପାନିକୁ ଜରିମାନା ଦେବାକୁ ପଡ଼ିବ। ନିୟମ ଉଲ୍ଲଘଂନ କଲେ କମ୍ପାନିକୁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଡାଟା ପ୍ରୋଟେକ୍ସନ ବୋର୍ଡ ତଦନ୍ତ କରିବ। ବ୍ୟବହାରକାରୀମାନେ ଅଭିଯୋଗ କରିପାରିବେ। ତେବେ କମ୍ପାନିଙ୍କୁ ଏହି ନିୟମ ଅନୁସାରେ ପ୍ରସ୍ତୁତ ହେବାକୁ ୧୮ ମାସର ସମୟ ଦିଆଯାଇଛି।