ନୂଆଦିଲ୍ଲୀ: ଶିଖ ମାମଲରେ ବିଶେଷଜ୍ଞ ତଥା ପୂର୍ବତନ ରାଜ୍ୟସଭା ସାଂସଦ ତରଲୋଚନ ସିଂହ ୨୦୦୨ ଗୁଜାରଟ ଦଙ୍ଗା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ଏଏନଆଇକୁ ସାକ୍ଷାତକାରରେ କହିଛନ୍ତି, ଏହି ଦଙ୍ଗା ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡକୁ ନେଇ ବଢିଥିବା ଆକ୍ରୋଶର ପରିଣାମ ଥିଲା । ଏହି ସ୍ଥିତିକୁ ନରେନ୍ଦ୍ର ମୋଦୀ ଭଲ ଭାବରେ ସମ୍ଭାଳିଥିଲେ, ନଚେତ ପୂରା ଗୁଜରାଟ ଜଳି ଯାଇଥାନ୍ତା । ସେ କହିଛନ୍ତି, ଟ୍ରେନରେ ଜୀବନ୍ତ ଦଗ୍ଧ ଲୋକଙ୍କ ପରିଜନ ସେମାନଙ୍କ ମୃତ ଦେହକୁ ନିଜ ଗାଁକୁ ନେବାକୁ ଚାହୁଁଥିଲେ, କିନ୍ତୁ ନରେନ୍ଦ୍ର ମୋଦୀ ସେମାନଙ୍କ ଅନ୍ତିମ ସଂସ୍କାର ସେଠାରେ ହିଁ କରାଇଥିଲେ । ତରଲୋଚନ ସିଂହ କହିଛନ୍ତି, ଥରେ ଚିନ୍ତା କରନ୍ତୁ ଯଦି ଶବଗୁଡ଼ିକ ସେମାନଙ୍କ ଗାଁରେ ପହଞ୍ଚିଥାନ୍ତା, ତେବେ ଲୋକଙ୍କ ମଧ୍ୟରେ କେତେ ନାଁ ଆକ୍ରୋଶ ବଢିଥାନ୍ତା । ପୂରା ଗୁଜରାଟ ଜଳି ଯାଆନ୍ତା । ନରେନ୍ଦ୍ର ମୋଦୀ ସାହସ ଦେଖାଇଥିଲେ ଓ ଏପରି ହେବାକୁ ଦେଇନଥିଲେ ।
ପୂର୍ବତନ ସାଂସଦ କହିଛନ୍ତି ଯେ ୨୦୦୨ ଦଙ୍ଗା ଜନତାଙ୍କ ଆକ୍ରୋଶର ପରିଣାମ ଥିଲା । ଏଥିରେ ସରକାରଙ୍କ କୌଣସି ଭୂମିକା ନଥିଲା । ଉଲ୍ଲେଖଯୋଗ୍ୟ ଯେ ୨୦୦୨ରେ ଗୁଜରାଟ ଦଙ୍ଗା ବେଳେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେହି ଦଙ୍ଗାକୁ ନେଇ ବିରୋଧୀ କଂଗ୍ରେସ ଓ ଅନ୍ୟମାନେ ତାଙ୍କ ଉପରେ ଅଭିଯୋଗ ଲଗାଇ ଆସୁଛନ୍ତି । ୨୦୦୨ ଦଙ୍ଗା ସମୟରେ ତରଲୋଚନ ସିଂହ ସଂଖ୍ୟାଲୁଘ ଆୟୋଗର ଅଧ୍ୟକ୍ଷ ଥିଲେ । ସେ କହିଛନ୍ତି ଯେ, ଗୁଜରାଟ ଦଙ୍ଗା ଦିଲ୍ଲୀ ହୋଇଥିବା ୧୯୮୪ ଦଙ୍ଗା ପରି ସରକାରୀ ପ୍ରାୟୋଜିତ ନଥିଲା ।
ତରଲୋଚନ ସିଂହ କହିଛନ୍ତି, ଘଟଣା ପରେ ସର୍ବପ୍ରଥମେ ସେହି ଅଞ୍ଚଳରେ ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ମୁଁ ଥିଲି । ୨୦୦୨ରେ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ଥିଲି ଓ ଗୁଜରାଟ ଦଙ୍ଗା ସେହି ବର୍ଷ ହୋଇଥିଲା । ଗୁଜରାଟ ଦଙ୍ଗା ଉପରେ ମୁଁ ଏକ ବୁକଲେଟ୍ ମଧ୍ୟ ଲେଖିଛି । ସେ କହିଛନ୍ତି, 'ଏହି ବୁକଲେଟ୍ ପ୍ରକାଶିତ ହୋଇଥିଲା ଓ ନରେନ୍ଦ୍ର ମୋଦୀ ଏହାର ୫୦୦ କପି ବାଣ୍ଟିଥିଲେ । ମୁଁ ଗୁଜାରଟ ଦଙ୍ଗା ସହ ଶିଖ୍ ଦଙ୍ଗାର ତୁଳନା କରିଥିଲି । ମୁଁ କହିଥିଲି ଯେ ଦିଲ୍ଲୀ ଦଙ୍ଗା ସରକାର ପ୍ରୟୋଜିତ ଥିଲା, କିନ୍ତୁ ଗୁଜରାଟ ଦଙ୍ଗା ଲୋକଙ୍କ ଆକ୍ରୋଶର ଥିଲା । ସେହି ଦଙ୍ଗା ସରକାର କିମ୍ୱା ଏହାର କୌଣସି ବ୍ୟକ୍ତିର ଭୂମିକ ନଥିଲା । ମୁଁ ମୋର ତଦନ୍ତରେ ବି ଏହି କଥା କହିଥିଲି ।'