ଫେବ୍ରୁଆରୀ ୧ରୁ ବଡ଼ ପରିବର୍ତ୍ତନ...ପାନ-ମସଲା ଓ ସିଗାରେଟ୍ ସଉକ ହେବ ମହଙ୍ଗା !

NEWS7
good-news-for-the-elderly-and-differently-abled-pilgrims-planning-to-visit-vaishno-devi

ନୂଆଦିଲ୍ଲୀ: ଜାନୁଆରୀ ଶେଷ ହୋଇଛି ଓ ଆସନ୍ତାକାଲିଠୁ ଫେବ୍ରୁଆରୀ ମାସ ଆରମ୍ଭ ହେବ । ଅନେକ ବଡ଼ ପରିବର୍ତ୍ତନ ସହ ମାସ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ ଆରମ୍ଭ କରି ଟୋଲ୍ ଟ୍ୟାକ୍ସ ଓ ଷ୍ଟାସଟ୍ୟାଗ ସହ ଜଡ଼ିତ ନିୟମ ସାମିଲ ରହିଛି । ଅନ୍ୟପଟେ ସବୁଠୁ ବଡ଼ ଝଟକା ପାନ-ମସଲା ଓ ସିଗାରେଟର ସଉକ ରଖୁଥିବା ଲୋକଙ୍କୁ ଲାଗିବାକୁ ଯାଉଛି । ଫେବ୍ରୁଆରୀ ୧ରୁ ଏହି ତମାଖୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇପାରେ, କାରଣ ସରକାର ଏହା ଉପରେ ଲାଗୁଥିବା ଟ୍ୟାକ୍ସକୁ ବଢାଇବାକୁ ଯାଉଛନ୍ତି ।

ଚଳିତ ବର୍ଷ ଆରମ୍ଭରେ ସରକାର ଜିଏସଟି କ୍ଷତିପୂରଣ ସେସ୍ ବଦଳାଇବା ପାଇଁ ଏକ ନୂତନ ଉତ୍ପାଦ ଶୁଳ୍କ ଏବଂ ସେସ୍ ଲାଗୁ କରିଥିଲେ । ରିପୋର୍ଟ ଅନୁଯାୟୀ, ଫେବ୍ରୁଆରୀ ୧, ୨୦୨୬ ଠାରୁ ଦେଶରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ଉପରେ ଅଧିକ ଟିକସ ବ୍ୟବସ୍ଥା କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଜିଏସଟି ହାର ସହିତ ତମାଖୁ ଏବଂ ପାନ ମସଲା ଉପରେ ଏହି ନୂତନ ଟିକସ ଲାଗୁ କରାଯିବ ।

ଜାନୁଆରୀ ଆରମ୍ଭରେ, ଅର୍ଥ ମନ୍ତ୍ରଣାଳୟ ତମାଖୁ, ଜର୍ଦ୍ଦା ଏବଂ ଗୁଟଖା ପ୍ୟାକିଂ ମେସିନ୍ (କ୍ଷମତା ଧାର୍ଯ୍ୟ ଏବଂ ଶୁଳ୍କ ସଂଗ୍ରହ) ନିୟମ ୨୦୨୬କୁ ଲାଗୁ କରିଥିଲା । ଏହି ନିୟମ ଉତ୍ପାଦନ କ୍ଷମତା ମୂଲ୍ୟାଙ୍କନ ଏବଂ ତମାଖୁ ଉତ୍ପାଦର ନିର୍ମାତାଙ୍କଠାରୁ ଶୁଳ୍କ ଆଦାୟ ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ କରିଥାଏ । ରିପୋର୍ଟ ଅନୁସାରେ, ୨୦୨୫ ଡିସେମ୍ବରରେ ସଂସଦ ଦୁଇଟି ବିଲ୍ ଅନୁମୋଦନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ଆଇନ ପାନ ମସଲା ଉତ୍ପାଦନ ଉପରେ ଏକ ନୂତନ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ଏବଂ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବାକୁ ଅନୁମତି ଦେଉଛି ।

ସରକାରଙ୍କ ସଂଶୋଧିତ ଟିକସ ଗଠନ ଅନୁଯାୟୀ, ଫେବ୍ରୁଆରୀ ୧ରୁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବ । ଲମ୍ବା ଓ ପ୍ରିମିୟମ୍ ସିଗାରେଟ୍ ସର୍ବାଧିକ ବୃଦ୍ଧି ପାଇବ । ଏହି ପରିବର୍ତ୍ତନ ସିଗାରେଟର ଲମ୍ବ ଉପରେ ନିର୍ଭର କରି ପ୍ରତି ୧୦୦୦ ଷ୍ଟିକ୍ ପାଇଁ ୨୦୫୦ରୁ ୮୫୦୦ ପର୍ଯ୍ୟନ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବ । ଉଲ୍ଲେଖଯୋଗ୍ୟ ଯେ ଏହି ଶୁଳ୍କ ୪୦% ଜିଏସଟି ଠାରୁ ଅଲଗା ହେବ ।

କ୍ରିସିଲର ଏକ ରିପୋର୍ଟ ଅନୁଯାୟୀ, ଶୁଳ୍କ ବୃଦ୍ଧି ଯୋଗୁଁ ସିଗାରେଟ୍ ଶିଳ୍ପ ବିକ୍ରିରେ ହ୍ରାସର ସମ୍ମୁଖୀନ ହୋଇପାରେ । ଟିକସ ବୃଦ୍ଧି ଯୋଗୁଁ ଆଗାମୀ ଆର୍ଥିକ ବର୍ଷରେ ଘରୋଇ ସିଗାରେଟ୍ ଶିଳ୍ପରେ ୬-୮ପ୍ରତିଶତ ହ୍ରାସ ଘଟିବ ବୋଲି କ୍ରିସିଲ୍ ଆକଳନ କରିଛି ।