ମୁମ୍ବାଇ: ଚଳିତ ବର୍ଷର ସବୁଠୁ ବଡ଼ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ ଡିସେମ୍ବର ୫ ତାରିଖରେ ପରଦାକୁ ଆସିବ। ଫିଲ୍ମକୁ ନେଇ ପ୍ରଶଂସକ ଓ ଫିଲ୍ମ ପ୍ରେମୀଙ୍କ ଗହଣରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ରିଲିଜ୍ ପୂର୍ବରୁ ନିର୍ମାତା ‘ପୁଷ୍ପା ୨: ଦ ରୁଲ୍’ର ଆଡଭାନ୍ସ ବୁକିଂ କେବେ ଆରମ୍ଭ ହେବ ତାର ତାରିଖ ଜଣାଇଛନ୍ତି।
ଯେମିତି ଯେମିତି ‘ପୁଷ୍ପା ୨: ଦ ରୁଲ୍’ର ରିଲିଜ୍ ତାରିଖ ନିକଟତର ହେଉଛି, ସେହି ହିସାବରେ ସଭିଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ବଢିବାରେ ଲାଗିଛି। ଫିଲ୍ମର ଆଶାତୀତ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ନିର୍ମାତା ଏବେ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ କାଉଣ୍ଟର ଖୋଲିବାକୁ ଯାଉଛନ୍ତି।କୁହାଯାଉଛି ଫିଲ୍ମଟି ଆଡଭାନ୍ସ ବୁକିଂରେ ନୂଆ ଇତିହାସ ସୃଷ୍ଟି କରିବ।
ଅଲ୍ଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨: ଦ ରୁଲ୍’ ପାଇଁ ଆଡଭାନ୍ସ ବୁକିଂ ନଭେମ୍ବର ୩୦ରୁ ଆରମ୍ଭ ହେବ। ଆଉ ଏହି କ୍ଷଣକୁ ସିନେ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁକୁମାର ଦେଇଥିବା ବେଳେ ଏହାର ନିର୍ମାଣ ମଇଥ୍ରୀ ମୁଭି ମେକର୍ସ ସୁକୁମାର ରାଇଟିଙ୍ଗ୍ସ ସହ ମିଶି କରିଛନ୍ତି। ଫିଲ୍ମର ମ୍ୟୁଜିକ ଟି-ସିରିଜ୍ ଦେଇଛି।
କେତେ ଆୟ କରିବ ‘ପୁଷ୍ପା ୨: ଦ ରୁଲ୍’ ?
‘ପୁଷ୍ପା ୨: ଦ ରୁଲ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। ଅନେକ ରିପୋର୍ଟ ଅନୁଯାୟୀ, ଫିଲ୍ମ ସମଗ୍ର ଦୁନିଆରେ ୧୪୦୦ କୋଟିରୁ ଅଧିକ ବ୍ୟବସାୟ କରି ରେକର୍ଡ କରିବ। ଏପରିକି କିଏ କିଏ କହୁଛନ୍ତି ‘ପୁଷ୍ପା ୨: ଦ ରୁଲ୍’ ବାହୁବଳୀ-୨ର ରେକର୍ଡ ମଧ୍ୟ କାଟି ଦେବ। ତେବେ ଫିଲ୍ମର ପ୍ରଥମ ଶୋ ନିର୍ଦ୍ଧାରଣ କରିବ ଫିଲ୍ମ କେତେ ଦିନ ବକ୍ସ ଅଫିସ ଧମାଲ କରିବ।