ଶାହ ଫୁଙ୍କିଲେ ରଣତୂରୀ, ସୋନପୁରକୁ ପ୍ରଥମେ କାହିଁକି ବାଛିଲେ ବିଜେପି ଚାଣକ୍ୟ ?

Published By : Prameya-News7 Bureau | April 25, 2024 IST

ଭୁବନେଶ୍ଵର: ସୋନପୁରରୁ ଶାହ ଫୁଙ୍କିଲେ ରଣତୂରୀ । ପଶ୍ଚିମ ଓଡିଶାରୁ ବିଜେଡି ବିରୋଧରେ ଦେଲେ ରଣ ହୁଙ୍କାର। ତେବେ ସୋନପୁରକୁ ପ୍ରଥମେ କାହିଁକି ବାଛିଲେ ବିଜେପି ଚାଣକ୍ୟ ?   ପଶ୍ଚିମ ଓଡିଶା ତଥା ବଲାଙ୍ଗିର ଲୋକସଭା ଆସନ ପାଇଁ ସୋନପୁରର କଣ ରହିଛି ଗୁରୁତ୍ବ? ସୋନପୁରରେ ଅମିତ ଶାହାଙ୍କ ବିଶାଳ ଜନସଭା ପରେ ପଶ୍ଚିମ ଓଡିଶାର ବିଜେପି କ୍ୟାଡର ଯେତିକି ଉତ୍ସାହିତ ସୋନପୁର କାହିଁକି ତାକୁ ନେଇ ପଲିଟିକାଲ ପଣ୍ଡିତ ସେତିକି ତର୍ଜମା କରୁଛନ୍ତି। 

Also read: ପଦ୍ମ ଧରିଲେ ପ୍ରବୋଧ ତିର୍କୀ, ଟିକେଟ୍ କଟିବା ପରେ ୪ ଦିନ ପୂର୍ବେ ଛାଡ଼ିଥିଲେ କଂଗ୍ରେସ

କୁହାଯାଉଛି ସୋନପୁରରେ ବିଜେଡିରୁ ଲଢୁଥିବା ନିରଞ୍ଜନ ପୁଜାରୀ ହେଉଛନ୍ତି ପଶ୍ଚିମ ଓଡିଶାର ଜଣେ ହେଭିଓ୍ଵେଟ୍ ନେତା । ବିନିକାରୁ ୨ ଥର ଏବଂ ସୋନପୁରରୁ ୨୦୦୯ରୁ ଲଗାତର ୩ଥର ଏଭଳି ମୋଟ ୫ ଥର ଜିତି ରେକର୍ଡ କଲେଣି ନିରଞ୍ଜନ। ସୋନପୁରରେ ନିରଞ୍ଜନଙ୍କୁ ବ୍ରେକ ଦେବାକୁ ଚାହୁଁଛି ବିଜେପି। ବଲାଙ୍ଗିର ଲୋକସଭା ଅଧିନରେ ଆସୁଛି ସୋନପୁର ବିଧାନସଭା। ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଝି ଆସନରୁ ଦ୍ବିତୀୟ ସିଟ୍ ଭାବେ ବି ଲଢୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ। ଯେହେତୁ ପଶ୍ଚିମ ଓଡିଶା ଉଭୟ ବିଜେପି ଓ ବିଜେଡି ଫୋକସରେ ରହିଛି ସେଥିପାଇଁ ଅମିତ ଶାହାଙ୍କ ସୋନପୁର ସଭା ଗୁରୁତ୍ବ ବହନ କରୁଛି। କାରଣ ବଲାଙ୍ଗିରରେ ବିଜେପିର ହେଭିଓ୍ଵେଟ୍ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ତାଙ୍କ ପତ୍ନୀ ସଙ୍ଗୀତା ସିଂହ ଦେଓ ବି ପଶ୍ଚିମ ଓଡିଶାର ବଡ ନେତା । ନିର୍ବାଚନୀ ସତରଞ୍ଜରେ ଉଭୟ ପତିପତ୍ନୀ ବଡ ଖେଳାଳି । ସେଥିପାଇଁ ବଲାଙ୍ଗିର ଲୋକସଭା ସହ ୭ ବିଧାନସଭା ସିଟ୍ ରେ ଉଭୟ ବିଜେପି ଓ ବିଜେଡି ଏବେ ଛକାଛକି। 

କେବଳ ବଲାଙ୍ଗିର ଲୋକସଭା ନୁହେଁ ସୋନପୁରରେ ଶାହାଙ୍କ ପ୍ରଥମ ଜନସଭା କରିବା ପଛରେ ବିଜେପିର ଭିନ୍ନ ରଣନୀତି  ରହିଥିବା କୁହାଯାଉଛି । ସୋନପୁରର ପଡୋଶୀ ଜିଲ୍ଲା ବୌଦ୍ଧ, ବଲାଙ୍ଗିର ଓ ସମ୍ବଲପୁର ଭଳି ପଶ୍ଚିମ ଓଡିଶା ଜିଲ୍ଲାରେ ବିଜେପି କିଭଳି ଭଲ ପ୍ରଦର୍ଶନ କରିବ ତା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ। ୨୦୧୯ରେ ବିଜେପି ପଶ୍ଚିମ ଓଡିଶାର ୫ରୁ ୫ ଲୋକସଭାରେ ବାଜିମାତ କରିଥିଲା । ହେଲେ ବିଧାନସଭାରେ ବିଜେପିର ବିଜୟ ରଥକୁ ବ୍ରେକ୍ ଦେଇଥିଲା ବିଜେଡି ।ପଶ୍ଚିମ ଓଡିଶାର ୩୮ ସିଟରୁ ବିଜେଡି ୨୨ ସିଟ୍ ହାତେଇ ପ୍ରମୁଖ ଦଳ ଭାବେ ଉଭା ହୋଇଥିଲା । ବିଜେପିକୁ ମିଳିଥିଲା ମାତ୍ର ୧୨ ସିଟ୍ ।

୫ ଲୋକସଭା ଜିତି ବି ଯେହେତୁ ବିଜେପି ସେହି ଅନୁପାତରେ ବିଧାନସଭା ସିଟ୍ ପାଇଲା ନାହିଁ ସେଥିପାଇଁ ଏଥର ପଶ୍ଚିମ ଓଡିଶାରୁ ୨୦ରୁ ଅଧିକ ସିଟ୍ ନେବାକୁ ସ୍ବତନ୍ତ୍ର ରଣନୀତି କରିଛି ବିଜେପି । ଅମିତ ଶାହାଙ୍କ କାର୍ଯ୍ୟକ୍ରମ ପଶ୍ଚିମ ଓଡିଶାରୁ ଆରମ୍ଭ ହେବା ପଛରେ ଏହା ହେଉଛି ଅନ୍ୟତମ କାରଣ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଥିଲା ପଶ୍ଚିମ ଓଡିଶାର ସମ୍ବଲପୁରରୁ । ପୁଣି ଥରେ ମୋଦୀ ବି ଆସିବେ ପଶ୍ଚିମ ଓଡିଶା । ଏହାସହ ବିଜେପିର ବହୁ ହେଭିଓେଟ ନେତା ବି ପଶ୍ମିମ ଓଡିଶାରେ ପ୍ରଚାର କରିବେ।  

ଏବେ ସାରା ଓଡିଶାର ନଜର ରହିଛି ପଶ୍ଚିମ ଓଡିଶା ଉପରେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭକରି ଜୁଏଲ ଓରାମ, ଜୟନାରାୟଣ ମିଶ୍ର, ଦିଲ୍ଲିପ ରାୟ, ରବି ନାଏକ ଆଦି ବଡ ନେତା ଏବେ ସେଠି ମଇଦାନରେ । ବିଜେଡିରୁ ବି ଖୋଦ୍ ଦଳ ସୁପ୍ରିମୋ ନବୀନ ପଟନାୟକ , ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ ଆଦି ନେତା ମଇଦାନକୁ ଓହ୍ଲାଇଛନ୍ତି। ଲଢେଇ ରୋଚକ ହେବାକୁ ଯାଉଛି। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.