ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଯୁବକ, ଗତ ୩୦ତାରିଖରେ ଶେଷଥର କଥା ହୋଇଥିଲେ ପରିବାର

Published By : Prameya-News7 Bureau | July 05, 2025 IST

ଆସ୍କା ୫।୭: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରିରୁ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ l ଅପହୃତ ହୋଇଥିବା ଓଡ଼ିଶା ଶ୍ରମିକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ସମରଝୋଳ ଅଞ୍ଚଳର ପନାଡ ଭେଙ୍କଟ ରମଣ l ତାଙ୍କ ପରିବାର ପକ୍ଷରୁ ଏନେଇ ହିଞ୍ଜିଳି ଥାନାରେ ଶୁକ୍ରବାର ରାତିରେ ଅଭିଯୋଗ  ହୋଇଛି । 

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ଭେଙ୍କଟ ରମଣ ଏକ କନସଲଟାଣ୍ଟ କମ୍ପାନୀ ଦ୍ଵାରା ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ । ଗତ ୩୦ ତାରିଖ ଦିନ ପରିବାର ଲୋକେ ତାଙ୍କ ପୁଅ ସହ ଶେଷଥର କଥା ହୋଇଥିଲେ l ତା ପରେ ପରିବାର ଲୋକଙ୍କର ତାଙ୍କ ସହ ଆଉ ଯୋଗାଯୋଗ ହୋଇନଥିଲା l ଜୁଲାଇ ୩ ତାରିଖରେ କମ୍ପାନୀ ପକ୍ଷରୁ ପରିବାକୁ ଲୋକଙ୍କୁ କୁହାଯାଇଥିଲା ପୋଲିସ ତାଙ୍କ ପୁଅକୁ ଅଟକ ରଖିଛି । 

ପରେ ପରିବାର ଲୋକ ଜାତୀୟ ଗଣମଧ୍ୟମରୁ ଖବର ପାଇଥିଲେ କିଛି ଆତଙ୍କବାଦୀ ସଂଗଠନ ଡ଼ାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରିବା ସହ ୩ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି l ସେଥିରେ ତାଙ୍କ ପୁଅ ଭେଙ୍କଟ ରମଣ ମଧ୍ୟ ରହିଥିବା ସେମାନେ ଜାଣିବାକୁ ପାଇଥିଲେ l ଏହାପରେ ପରିବାର ଲୋକ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ l ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ ଯୋଗାଯୋଗ ମଧ୍ୟ କରିଥିଲେ l ଏମିତିକି ଘଟଣା ବିଷୟରେ ଜାଣିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅପହରଣ ନେଇ କୌଣସି ସୂଚନା ମିଳିପାରିନାହିଁ । ଫଳରେ ଭୟରେ ପରିବାର ଲୋକ ଚିନ୍ତାଗ୍ରସ୍ତ ରହିଛନ୍ତି l ପୁଅକୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି l 

You Can Read:

ଜଳସ୍ତର ବିପଦ ସଂକେତର ଯଥେଷ୍ଟ ତଳେ ଅଛି, ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.