ବ୍ରହ୍ମପୁର ୧୯/୦୮: ଅଚାନକ ସ୍କୁଲ ପରିଦର୍ଶନ କରିଲେ ଗଞ୍ଜାମ ଜିଲ୍ଲାପାଳ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଇଂରାଜୀ ପଢିବା ପାଇଁ କହିଲେ । ହେଲେ ପଢି ପାରିଲେନି ପିଲା । ପଢିବା ତ ଦୂରର କଥା ଉଚ୍ଚାରଣ ବି କରିପାରିଲେନି । ଶେଷରେ ପାଠ ପଢା ପ୍ରତି ଗୁରୁତ୍ୱ ଦେବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଲେ ଜିଲ୍ଲାପାଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟରେ...
ସୂଚନା ଥାଉକି, ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ । ସୋମବାର ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଅଭିଯୋଗ ଶୁଣାଣୀ ପାଇଁ ପାତ୍ରପୁର ଗସ୍ତ କରିଥିଲେ । ଏହାରି ଭିତରେ ସ୍କୁଲ ପରିଦର୍ଶନ କରିଥିଲେ । ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପିଲା ଓଡ଼ିଆ ବହି ପଢ଼ିଲେ ।
ହେଲେ ଅଷ୍ଟମ ଶ୍ରେଣୀରେ ଇଂରାଜୀ ବହି ପଢ଼ିବା ପାଇଁ କହିବାରୁ କିଛି ପିଲା ଆଦୌ ପଢ଼ିପାରିଲେ ନାହିଁ । ଜଣେ ଝିଅ ଅଳ୍ପ ଅଳ୍ପ ଶବ୍ଦ ଉଚ୍ଚାରଣ କରି ଟିକିଏ ଟିକିଏ ଭୁଲ କରି ପଢ଼ିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଜିଲ୍ଲାପାଳ ପଚାରିଥିଲେ, ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ ।
ଅଥଚ ଇଂରାଜୀ ଶବ୍ଦ ସଠିକ୍ ଉଚ୍ଚାରଣ କରିପାରୁ ନାହାନ୍ତି । ଯେଉଁ ପିଲା ଦୁର୍ବଳ ସେମାନଙ୍କୁ ସମୟ ଦିଅ । ନଚେତ୍ ପିଲା ବୋର୍ଡ ପରୀକ୍ଷାରେ ପାସ୍ ହେବେ କେମିତି । ଏମିତି କହି ପିଲାଙ୍କ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।