ନୂଆଦିଲ୍ଲୀ: ଇସ୍ରାଏଲ୍ର ଇରାନ ଉପରେ ଆକ୍ରମଣ ନେଇ ଜି-୭ ନେତାଙ୍କ ପକ୍ଷରୁ ନେତାନ୍ୟାହୁଙ୍କ ପାଇଁ ସକାରାତ୍ମକ ବାର୍ତ୍ତା ଆସିଛି। ଇସ୍ରାଏଲ୍ର ଆତ୍ମରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି, ହେଲେ ଇରାନ ପାଖରେ ପରମାଣୁ ଅସ୍ତ୍ର ରଖିବା ଉଛିତ ନୁହେଁ ବୋଲି ଜି-୭ ନେତାମାନେ କହିଥିବା ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଇରାନ-ଇସ୍ରାଏଲ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସଂଗଠନ ଆହ୍ୱାନ ଦେଇଛି।
ମଙ୍ଗଳବାର ୟୁରୋପୀୟ ସଂଘ ସହିତ ୟୁକେ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଆମେରିକାର ଜି-୭ ନେତାମାନେ କାନାଡାର କାନାନାସ୍କିସ୍ ରିସର୍ଟରେ ଏକାଠି ହେବାକୁ ଯାଉଛନ୍ତି। ସାଇପ୍ରସରୁ କାନାଡା ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ଯେଉଁଠାରେ ଇସ୍ରାଏଲ-ଇରାନ ବିବାଦ, ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ୟୁକ୍ରେନ ଯୁଦ୍ଧ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ହେଲେ ତା ପୂର୍ବରୁ ସଂଘ ପକ୍ଷରୁ ଏଭଳି ବିବୃତ୍ତି ଆସିବା ଏକ ବଡ଼ ସଂକେତ।
ଜି-୭ ଡ୍ରାଫ୍ଟ ବିବୃତ୍ତି ଅନୁଯାୟୀ, ନେତାମାନେ ଇସ୍ରାଏଲ ଏବଂ ଇରାନକୁ ଉତ୍ତେଜନା ହ୍ରାସ କରିବା ଏବଂ ଆଞ୍ଚଳିକ ସ୍ଥିରତା ବଜାଇ ରଖିବାକୁ ଆହ୍ୱାନ ଦେଇଛନ୍ତି। ସଂଘର ଲିଡରମାନେ ଏନର୍ଜି ମାର୍କେଟ୍ ସମେତ ବଜାର ସ୍ଥିରତାକୁ ସୁରକ୍ଷା ଦେବା ପାଇଁ ମଧ୍ୟ କାମ କରିବେ ବୋଲି ଡ୍ରାଫ୍ଟ ବିବୃତ୍ତିରେ କୁହାଯାଇଛି।
ଇସ୍ରାଏଲ ଇରାନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି। ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି। ସୋମବାର ଇସ୍ରାଏଳ ଇରାନର ସରକାରୀ ମିଡିଆ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡକାଷ୍ଟିଂ (IRIB)କ ମୁଖ୍ୟାଳୟ ଉପରେ ବୋମାମାଡ଼ କରିଛି। ଟିଭି ଆଙ୍କର ଖବର ପରିବେଷଣ କରୁଥିବା ବେଳେ ବୋମା ମାଡ଼ ହୋଇଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ତେବେ ଷ୍ଟ୍ରାଇକ୍ ପୂର୍ବରୁ ଟାର୍ଗେଟ୍ ଏରିଆକୁ ଫାଙ୍କା କରି ଚାଲିଯିବାକୁ ଇସ୍ରାଏଲ ପକ୍ଷରୁ ନିବେଦନ କରାଯାଇଥିଲା। ଇସ୍ରାଏଲ ପ୍ରବକ୍ତା ପକ୍ଷରୁ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ। ଇସ୍ରାଏଲ ଜୁନ୍ ୧୩ ତାରିଖରେ ଅପରେସନ୍ ରାଇଜିଂ ଲାୟନ୍ ଅଧୀନରେ ଇରାନ ଉପରେ ବୋମା ମାଡ଼ ଆରମ୍ଭ କରିଥିଲା। ଇରାନ ପରମାଣୁ ପ୍ରୋଗ୍ରାମୁ ଟାର୍ଗେଟ୍ କରି ଇସ୍ରାଏଲ ଏହି ବୋମାମାଡ଼ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି।