USAIDର ଫଣ୍ଡିଂ, ଭାରତର ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ...ଆମେରିକାର ପୂର୍ବତନ ଅଧିକାରୀଙ୍କ ବଡ଼ ଖୁଲାସା

Published By : Prameya-News7 Bureau | February 12, 2025 IST

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ସମେତ ବିଶ୍ୱର ଅନେକ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକା ହସ୍ତକ୍ଷେପ କରୁଥିଲା । ଏ କଥା ଆଉ କେହି ନୁହେଁ ବରଂ ଆମେରିକା ପ୍ରଶାସନର ପୂର୍ବତନ ବରିଷ୍ଠ ଅଧିକାରୀ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ମାଇକ୍ ବେଞ୍ଜଙ୍କ ଏହି ବୟାନ ପରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବେଞ୍ଜ ଅଭିଯୋଗ କରିଛନ୍ତି ଯେ ଆମେରିକାର ବୈଦେଶିକ ନୀତି ମଧ୍ୟରେ ଥିବା ଏଜେନ୍ସିଗୁଡ଼ିକ, (USAID, ଥିଙ୍କ୍ ଟ୍ୟାଙ୍କ୍ ଏବଂ ବରିଷ୍ଠ ଟେକ୍ କମ୍ପାନି) ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରିଥିଲେ ।

ମାଇକ୍ ବେଞ୍ଜଙ୍କ ଅନୁସାରେ ଏହିସବୁ ପ୍ରୟାସର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ବିରୋଧରେ କାମ କରିବା । ଆମେରିକାର ବୈଦେଶିକ ବିଭାଗର ପୂର୍ବତନ ଅଧିକାରୀ ମାଇକ୍ ବେଞ୍ଜ ଦାବି କରିଛନ୍ତି ଯେ ଭାରତ-ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅନେକ ସମ୍ୱଳର ବ୍ୟବହାର କରାଯାଇଛି । ଏଥିରେ ମିଡିଆ ଏନଫ୍ୟୁଏନ୍ସ, ସୋସିଆଲ୍ ମିଡିଆ ସେନ୍‌ସରଶିପ୍ ଏବଂ ବିରୋଧୀଙ୍କ ଅଭିଯାନକୁ ଫଣ୍ଡିଂ ସାମିଲ ରହିଥିଲା ।

ବେଞ୍ଜଙ୍କ ଅନୁସାରେ, ଆମେରିକା ସମର୍ଥିତ ଏଜେନ୍ସିଗୁଡ଼ିକ ନିର୍ବାଚନକୁ ପ୍ରଭାବିତ କରିବା, ସରକାରଙ୍କୁ ଅସ୍ଥିର କରିବା ଏବଂ ବିଦେଶୀ ପ୍ରଶାସନକୁ ୱାଶିଂଟନର ରାଜନୈତିକ ହିତ ସାଧନ କରିବାରେ ଏକ ଢାଲ ପରି ବ୍ୟବହାର କରାଯାଇଥିଲା । ଅଧିକାରୀ ଜଣକ ଦାବି କରିଛନ୍ତି ଯେ ଏହି ସଂସ୍ଥାନଗୁଡ଼ିକ ନିର୍ବାଚନର ନେରେଟିଭକୁ ପ୍ରଭାବିତ କରିବା ପାଇଁ ଏକ ହୋଇ କାମ କରିଥିଲେ । ଏହି ସଂସ୍ଥାଗୁଡ଼ିକ ଲୋକଙ୍କ ମଧ୍ୟରେ ପ୍ରଚାର କରିଥିଲେ ଯେ, ମୋଦୀଙ୍କ ରାଜନୈତିକ ସଫଳତା ମିଛ ବୟାନ ଏବଂ ଭୁଲ ସୂଚନାର ପରିମାଣ ଥିଲା । ଏହାକୁ ବ୍ୟାପକ ସେନସରଶିପ୍ ଆଧାରରେ ପ୍ରସ୍ତୁତ କରି ନେରେଟିଭ୍ ସ୍ଥିର କରାଯାଇଥିଲା ।

ତେବେ ମାଇକ୍ ବେଞ୍ଜ କିଏ ? ତାଙ୍କର ଏହି କଥାର ମହତ୍ୱ କେତେ ? ବେଞ୍ଜଙ୍କ କଥା ଗୁରୁତ୍ୱ ଏଥିପାଇଁ ଅଧିକ ରହୁଛି କାରଣ ସେ ଆମେରିକୀୟ ବିଦେଶ ବିଭାଗର ପୂର୍ବତନ ଅଧିକାରୀ । ୨୦୨୦-୨୧ରେ ଅନ୍ତରାଷ୍ଟ୍ରୀୟ ସଂଚାର ଏବଂ ସୂଚନା ପ୍ରଯୁକ୍ତିର ଉପସହାୟକ ସଚିବ ରୂପେ କାର୍ଯ୍ୟ କରିଥିଲେ । ଏହି ଭୂମିକାରେ ସେ ସାଇବର୍ ପ୍ରସଙ୍ଗରେ ଆମେରିକାର ନୀତି ପ୍ରସ୍ତୁତ କରିବା ଏବଂ ବଡ଼ ବଡ଼ ଟେକ୍ କମ୍ପାନି ସହ ମିଶି କାମ କରିଥିଲେ । ନିଜର ସରକାରୀ ସେବା ପୂର୍ବରୁ ସେ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାଷଣ ଲେଖିଥିଲେ ଏବଂ ପ୍ରଯୁକ୍ତି ମାମଲାରେ ପରାମର୍ଶଦାତା ଥିଲେ ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.