ଆତଙ୍କୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଉଛନ୍ତି, ପାକିସ୍ତାନର ଅସଲ ମୁଖା ଖୋଲିଲେ ବୈଦେଶିକ ସଚିବ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କୀ କେନ୍ଦ୍ର ଧ୍ଵଂସ କରାଯାଇଛି। ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ଶତାଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ତେବେ ନିଜକୁ ଆତଙ୍କୀ ପୀଡ଼ିତ କହୁଥିବା ପାକିସ୍ତାନ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର ଆୟୋଜିତ କରୁଛି। ପାକିସ୍ତାନର ଏମିତି ହୀନ କାର୍ଯ୍ୟକୁ କଡ଼ା ଶବ୍ଦରେ ନିନ୍ଦା କରିଛି ଭାରତ। ଇସଲାମାବାଦକୁ ସମାଲୋଚନା କରି ଭାରତ କହିଛି ଯେ, ଆତଙ୍କବାଦୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରିବା ପାକିସ୍ତାନର ଏକ ପ୍ରଥା ପାଲଟିଛି।

ବୈଦେଶିକ ସଚିବ ବିକ୍ରମ ମିଶ୍ରି ସାମ୍ବାଦିକ ସମ୍ମିଳନୀରେ ଅନ୍ତିମ ସଂସ୍କାରର ଫଟୋ ଦେଖାଇ କହିଛନ୍ତି, ନିହତ ଆତଙ୍କବାଦୀଙ୍କ କଫିନ ପଛରେ ପୋଷାକଧାରୀ ପାକିସ୍ତାନୀ ସେନା ଓ ପୋଲିସର ଯବାନ ନମାଜ ପଢୁଥିବା ଦେଖିବାକୁ ମିଳିଛି। ଏହି ଫଟୋ କଣ ସନ୍ଦେଶ ଦେଉଛି ବୋଲି ବିକ୍ରମ ପ୍ରଶ୍ନ କରିଛନ୍ତି। ବିଡ଼ମ୍ବନାର କଥା ଲସ୍କର ଏ ତୋଇବାର ଜଣେ ଆତଙ୍କବାଦୀଙ୍କୁ ଅନ୍ତିମ ସଂସ୍କାରରେ ନମାଜ ପାଠର ନେତୃତ୍ଵ ନେଉଥିବା ଦେଖିବାକୁ ମିଳିଛି। 

Also read: ଭାରତର ଧୈର୍ଯ୍ୟର ପରୀକ୍ଷା ନେଲେ, ଏମିତି କ୍ୱାଲିଟି ଜବାବ ପାଇଁ ପ୍ରସ୍ତୁତ ରୁହ: ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ

ସେ କହିଛନ୍ତି, ଯଦି ହମଲାରେ କେବଳ ସାଧାରଣ ନାଗରିକ ମରିଥାନ୍ତେ ତେବେ ମୁଁ ଆଶ୍ଚର୍ଯ୍ୟ ହେଉଛି ଏହି ଫଟୋ ବାସ୍ତବରେ ଭାରତକୁ କଣ ସନ୍ଦେଶ ଦେଇଥାନ୍ତା। ଏହା ବି ଅଜବ ଘଟଣା ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରର କଫିନକୁ ପାକିସ୍ତାନୀ ଜାତୀୟ ପତାକାରେ ଘୋଡ଼ା ଯାଇଛି ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦାର ସମ୍ମାନ ଦିଆଯାଉଛି। 

ନାଗରିକଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନର ଦାବିକୁ ଦୃଢତାର ସହ ଖଣ୍ଡନ କରି ବୈଦେଶିକ ସଚିବ ଜୋର ଦେଇ କହିଛନ୍ତି  ଯେ, ଆମେ ଯେଉଁଠି ଟାର୍ଗେଟ୍ କରିଛୁ ତାହା ଆତଙ୍କବାଦୀ କେନ୍ଦ୍ର ଥିଲା। ବୈଶ୍ଵିକ ଆତଙ୍କବାଦର କେନ୍ଦ୍ର ଭାବେ ପାକିସ୍ତାନର ପ୍ରତିଷ୍ଠା ରହିଛି। ଏଥିପାଇଁ ଉଦାହରଣ ଦିଆଯିବାର କୌଣସି ଆବଶ୍ୟକତା ନାହିଁ ଯେ, ବିନ ଲାଡେନ କେଉଁଠି ଠାବ ହୋଇଥିଲା ଏବଂ ତାକୁ କିଏ ସହିଦର ଆଖ୍ୟା ଦେଇଥିଲା। ମିଳିତ ଜାତିସଂଘ ଦ୍ଵାରା ପ୍ରତିବନ୍ଧିତ ଅନେକ ଆତଙ୍କବାଦୀ ଓ ସଂଗଠନ ପାକିସ୍ତାନରେ ରହିଛି। ଗତ ଦିନ ପୂର୍ବେ ତାଙ୍କର ପ୍ରତିରକ୍ଷା ମନ୍ତ୍ରୀ  ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଆତଙ୍କବାଦୀଙ୍କ ସହ ତାଙ୍କ ଦେଶର କେମିତି ସଂପର୍କ ରହିଛି ତାହା ସ୍ଵୀକାର କରିଥିଲେ। 

ପାକିସ୍ତାନର ଅପପ୍ରଚାର କରୁଛି ଯେ, ତାଙ୍କ ସେନା ଭାରତୀୟ ବିମାନକୁ ମାରି ଖସାଇ ଦେଇଛି। ଏଥିରେ କୌଣସି ଆଶ୍ଚର୍ଯ୍ୟର କଥା ନାହିଁ। କାରଣ ଏହା ଏକ ଏମିତି ଦେଶ ଯିଏ ଜନ୍ମ ସହିତ ମିଥ୍ୟା କହିବା ଆରମ୍ଭ କରିଥିଲା। ୧୯୪୭ରେ ଯେବେ ପାକିସ୍ତାନୀ ସେନା ଜମ୍ମୁ-କାଶ୍ମୀରକୁ ନିଜର ଅଞ୍ଚଳ ବୋଲି ଦାବି କଲା, ତାହା ସଭିଙ୍କୁ ଆଚମ୍ବିତ କରିଥିଲା। ମିଳିତ ଜାତିସଂଘରେ ଏହି ଦେଶ ଅନେକ ମିଛ କହିଛି ବୋଲି ଭାରତୀୟ ବୈଦେଶିକ ସଚିବ କହିଛନ୍ତି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.